ଗେଟ ତିଆରି ସରୁନି : ନାମ ଫଳକ ଲେଖା ହୋଇପାରୁନି : ଅବ୍ୟବସ୍ଥା ଘେରରେ କେନ୍ଦୁଆପଦା ନୋଡାଲ ଉଚ୍ଚ ବିଦ୍ୟାଳୟ

Spread the love

ଭଦ୍ରକ, ୨୯/୧୧ (ସନ୍ଧାନ ନିଉଜ) : ଅତିତରେ ଦିନେ ଶିକ୍ଷା ଓ ଶୃଙ୍ଖଳା କ୍ଷେତ୍ରରେ ଖୁବ୍ ସୁନାମ ଅର୍ଜନ କରିଥିବା ୧୯୫୪ ମସିହାରୁ ସ୍ଥାପିତ କେନ୍ଦୁଆପଦା ସ୍କୁଲ ୨ ବର୍ଷ ତଳେ ନୋଡାଲ ଉଚ୍ଚ ବିଦ୍ୟାଳୟ ଋପେ ପରିବର୍ଦ୍ଧିତ ହେବା ପରେ ଏବେ ଏହା ଚରମ ଅବ୍ୟବସ୍ଥା ଘେରରେ ! ବନ୍ତ ବ୍ଳକ୍ ଅଧିନସ୍ଥ କେନ୍ଦୁଆପଦା ପଞ୍ଚାୟତର ଖୋଦ୍ କେନ୍ଦୁଆପଦା ହେଡକ୍ଵାଟର୍ସ ଉପରେ ଅବସ୍ଥାପିତ ୧ମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଥବାଏହି ବିଦ୍ୟାନିକେତନ ଆଜି ଦୟନୀୟ ଅବସ୍ଥାରେ । ୪୮୫ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ଏହି ବିଦ୍ୟାଳୟର ଭିତ୍ତିଭୂମି ପ୍ରାୟଃ ୩ଏକର ପରିମିତ ଜାଗାରେ ଥିବାବେଳେ ଏହାର ପଶ୍ଚାତ୍ ଭାଗରେ ପ୍ରାୟଃ ୨ଏକର ପରିମିତ ପଡିଆରେ ଖେଳପଡିଆ ରହିଅଛି । ରକ୍ଷଣାବେକ୍ଷଣ ଅଭାବରୁ ଏହି ପଡିଆ ଏବେ ଖେଳ ଉପଯୋଗୀ ନଥିବା ବେଳେ ଡ୍ରେନେଜ୍‌ ସିଷ୍ଟମ୍ ସଠିକ୍ ନଥିବା କାରଣରୁ ଏବଂ କିଛି ଅଂଶ ଜବରଦଖଲ କାରୀଙ୍କ କବ୍ଜ୍ଜାରେ ରହିଥିବା ଫଳରେ ବର୍ଷା ଦିନେ ଜଳ ନିଷ୍କାସନ ହୋଇନପାରି ପଡିଆରେ ପାଣି ଜମି ନାନା ଦ୍ରବ୍ୟ ପଚି ଦୂର୍ଗନ୍ଧ ହେବା ସହିତ ପରିବେଶ ପ୍ରଦୂଷଣ କରି ପିଲାମାନଙ୍କ ପାଇଁ ଅସ୍ଵାସ୍ଥ୍ୟକର ପରିସ୍ଥିତି ସୃଷ୍ଟିକରିଥାଏ । ବିଦ୍ୟାଳୟ ପରିସରରେ ଏକ ପୁଷ୍କରଣୀ ରହିଅଛି ଓ କିଛି ନଡ଼ିଆ ଗଛ ଓ କ୍ରୋଟନଗଛ ରହି ଏହାର ଶୋଭାବର୍ଦ୍ଧନ କରୁଥିବା ବେଳେ କିଛିଦିନ ହେବ ଏହି ପୁଷ୍କରଣୀରୁ ଦଳ ଇତ୍ୟାଦି ସଠିକ ଭାବେ ପରିଷ୍କାର ହେଉନଥିବା, ନିୟମିତ ମାଛ ଛଡାଯାଇ ସେଥିରୁ ଆୟ ହେଉଥିବା ଟଙ୍କା ଏବଂ ବିଦ୍ୟାଳୟ କ୍ୟାମ୍ପସ ବାହାରେ ଥିବା କିଛି ଚାଷ ଜମିର ଉପାର୍ଜିତ ଟଙ୍କାରେ ସ୍କୁଲରେ କିଛି ଛୋଟ ଛୋଟ ବିକାଶ ମୂଳକ କାର୍ଯ୍ୟ ଏବେ ସାଧାରଣଃ ଲୋକଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି !
ଆର୍.ଡି ଦ୍ବାରା ୧ ବର୍ଷରୁ ଅଧିକ ହେବ ନିର୍ମିତ ହାଇସ୍କୁଲର ମୂଖ୍ୟ ଫାଟକର ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଶେଷ ହେଉନାହିଁ କିମ୍ବା ନାମ ଫଳକ ଲେଖା ହେଉନଥିବା କାରଣରୁ ବଜାର ମଧ୍ୟରେ ଅବସ୍ଥିତ ଏହି ବିଦ୍ୟାଳୟକୁ ଚିହ୍ନଟ କରିବା ବାହାର ଲୋକଙ୍କ ପାଇଁ ସହଜସାଧ୍ୟ ହୋଇନଥାଏ । ୯ମ ଓ ୧୦ମ ଶ୍ରେଣୀ ଗୃହର ଛାତରୁ ବର୍ଷା ଦିନେ ପାଣି ଝରିବା ସହିତ ଛାତ ଦୂର୍ବଳ ହୋଇ ଯାଇଥିବା ସହିତ କେତେକ ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା କାରଣରୁ ଏହା କୌଣସି ବିପଦଜନକ ଅବସ୍ଥା ସୃଷ୍ଟି କରିବା ପୂର୍ବରୁ ଏହାର ମରାମତି ବା ସୁରକ୍ଷିତ ରଖିବା ପାଇଁ ସଂପୃକ୍ତ ବିଭାଗ ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ । ସେହିପରି ପୂର୍ବରୁ ଶ୍ରେଣୀଗୃହ ରୁପେ ବ୍ୟବହୃତ ହେଉଥିବା ଘରଟି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ବ୍ୟବହାର ଅନୁପୋଯୋଗୀ ଉପଲବ୍ଧି କରି ସମ୍ଭାବ୍ୟ ବିପଦ କିମ୍ବା ଦୂର୍ଘଟଣାରୁ ଏଡ଼ାଇବା ପାଇଁ ତାହାକୁ ଚାବି ପକାଇ ବନ୍ଦ କରାଯାଇଥିଲେ ସେହି ଅବ୍ୟବହୃତ ଘର ମଧ୍ୟରେ ବିଷଧର ସର୍ପ ଇତ୍ୟାଦି ବସବାସ କରୁଥିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ତରଫରୁ ୧୯୧୭ ମସିହାରୁ ନିର୍ମାଣାଧିନ କୋଠା ଘରଟିର ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଶେଷ ହେଉ ନାହିଁ କିମ୍ବା ସ୍କୁଲକୁ ହସ୍ତାନ୍ତର କରାଯାଉ ନାହିଁ । ପଂନୀ ବାତ୍ୟାରେ ସ୍କୁଲର ପୁରୁଣା କମନ ରୁମ ଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇ ଥିବା ବେଳେ ତାହାର ମରାମତି କିମ୍ବା ନିର୍ମାଣ କାର୍ଯ୍ୟ ଦିଗରେ ସଂପୃକ୍ତ ବିଭାଗ ଧ୍ୟାନ ନଦେବା ପରିତାପର ବିଷୟ । ସେହିପରି ପଂନୀ ବାତ୍ୟାରେ ଏକ ଗଛ ପଡ଼ି ପାଚେରୀ କିଛି ଅଂଶ ଭାଂଗି ଯାଇଥିଲେ ମଧ୍ୟ ଗଛଟି ଏପର୍ଯ୍ୟନ୍ତ ଉଠାଯାଇ ନାହିଁ କିମ୍ବା ପାଚେରୀ ମରାମତି ହୋଇନଥିବା ପରିତାପର ବିଷୟ ! ଘର ଗୁଡିକ ନିୟମିତ ରଂଗ ଦିଆଯାଉ ନ ଥିବା ଏବଂ ମରାମତି ହେଉନଥିବା ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସେହିପରି ୨ ବର୍ଷ ତଳୁ ଜଣେ ଶିକ୍ଷକ ଡେପୁଟେସନ୍‌ରେ ଅନ୍ୟତ୍ର ଯାଇଥିଲେ ମଧ୍ୟ ଅଦ୍ୟାବଧି ଖାଲିଥିବା ସେହି ଶିକ୍ଷକ ପଦବୀରେ କାହାରିକୁ ନିଯୁକ୍ତି ଦିଆଯାଇ ନଥିବା କାରଣରୁ ପିଲାମାନଙ୍କ ପାଠପଢ଼ାରେ ମଧ୍ୟ ସାମୟୀକ ବାଧା ସୃଷ୍ଟି ହେଉଥିବାର ବୁଦ୍ଧିଜୀବୀ ମହଲରେ ଓ ସାଧାରଣରେ ଚର୍ଚ୍ଚା ହେଉଛି । ତେଣୁ, ସଂପୃକ୍ତ ବିଭାଗ ଏ ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ନେଲେ ଏକ ପୁରାତନ ସୁନାମଧନ୍ୟ ସ୍କୁଲର ପୂର୍ବ ପରିବେଶ ଓ ସୁନାମ ଫେରି ଆସନ୍ତା ବୋଲି ମତ ପ୍ରକାଶ ପାଉଛି l

Related Posts

About The Author

Add Comment