ଗଳ୍ପ★ଆଉ ଏକ ଅବୋଲକରା

Spread the love
ସନ୍ଧାନ ନିଉଜ୍/୧୭/୧୧/ଗୋବର୍ଦ୍ଧନ ବାବୁ ଏ ଅଞ୍ଚଳର ବେଶ ଜଣାଶୁଣା ଲୋକ । ରାଜନୀତି କ୍ଷେତ୍ରରେ, ବିଶେଷ କରି ମନ୍ତ୍ରୀ ମହଲରେ ତାଙ୍କର ଭାରି ହାତ । ଆଖପାଖ କେଉଁଠିକି କେଉଁ ନେତା ଆସିବେ ପ୍ରଥମେ ଖବର ପାଇବେ ଗୋବର୍ଦ୍ଧନ ବାବୁ । କାରଣ ସେ କୁଆଡେ ଗୋଟେ ବଡ଼ ଖବରକାଗଜର ସାମ୍ବାଦିକ । ଏ ଅଞ୍ଚଳର ରାଜନୀତି ତାଙ୍କରି ଇଙ୍ଗିତରେ ଚାଲେ । ଆଗାମୀ ନିର୍ବାଚନରେ ସେ ଏଇଠୁ ଏମଏଲଏ ପାଇଁ ଟିକେଟ ପାଇବାର ସମ୍ଭାବନା ରହିଛି । ଓଡ଼ିଶାର ସବୁ ଜଣାଶୁଣା ଖବରକାଗଜ ସେ କିଣନ୍ତି । ପିଣ୍ଡାରେ ବସି ଚାହା ଖାଇଲା ବେଳେ ସେ ଖବରକାଗଜ ପଢ଼ନ୍ତି । ଯଦି ସେହି ସମୟରେ ଅନ୍ୟ କିଏ ଜୁଟେ, ତାହାହେଲେ ଖବରକାଗଜ ପଢିବା ସାଙ୍ଗରେ ତାଙ୍କର ରାଜନୀତି ଚାଲେ । ହେଇ ଦେଖ ଆମ ପତ୍ରିକାରେ ଏମିତି ବାହାରିଛି । ସେ ପତ୍ରିକାଟିରେ ଏମିତିଗୁଡିଏ ବାଜେ ମିଛ କଥା ଲେଖା ହୋଇଛି । ହେଇଟି ପ୍ରଧାନମନ୍ତ୍ରୀ ଏମିତି କହିଛନ୍ତି, ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗଲେ, ଅମୁକ କେନ୍ଦ୍ରମନ୍ତ୍ରୀ ଚିକିତ୍ସା ପାଇଁ ଲଣ୍ଡନ ଗଲେ ଇତ୍ୟାଦି ଇତ୍ୟାଦି ମଝିରେ ମଝିରେ କହି ସେ ଅନ୍ୟମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରନ୍ତି । ଖବରକାଗଜ ପଢା ସରିବା ପର୍ଯ୍ୟନ୍ତ ଚାକର ଟୋକା ଅବୋଲକରାଟା ସବୁଦିନ ସେଠି ବସେ । ମଝିରେ ମଝିରେ ଚାହା ଆଣି ଗୋବର୍ଦ୍ଧନ ବାବୁଙ୍କୁ ଦିଏ ଏବଂ ସବୁ ଶୁଣୁଥାଏ । ଯେଉଁଦିନ କେହି ନଥାନ୍ତି ସେହିଦିନ ବାବୁ ଅବୋଲକରାକୁ ଏମିତି କେତେ ସମ୍ବାଦ ଶୁଣାନ୍ତି । ହେଲେ ଅବୋଲକରାଟା କେବଳ ଶୁଣେ ନାହିଁ, ମଝିରେ ମଝିରେ ବାବୁଙ୍କୁ କେତେ ଅଡ଼ୁଆ ପ୍ରଶ୍ନ କରିଦିଏ । କଥା ପଡିଲେ ଗୋବର୍ଦ୍ଧନ ବାବୁ ଅନ୍ୟମାନଙ୍କୁ କୁହନ୍ତି ଆମ ଅବୋଲକରାଟା ଅଭାବ ଅସୁବିଧା ଯୋଗୁଁ ଏମିତି ଅଛି ସିନା, ହେଲେ ମୁଣ୍ଡ ଥିବା ପିଲାଟାଏ । ସବୁଦିନ ଖବରକାଗଜ ପଢା ହେଲା ବେଳେ ଅବୋଲକରା ଶୁଣୁଛି । ପ୍ରଧାନମନ୍ତ୍ରୀ କେଉଁଠି କଣ ଭାଷଣ ଦେଲେ, ମୁଖ୍ୟମନ୍ତ୍ରୀ କଣ କହିଲେ, କୁଆଡେ ଗଲେ, କେଉଁ ରାଜ୍ୟ ମନ୍ତ୍ରୀ ଦିଲ୍ଲୀ ଗଲେ, କେଉଁ କେନ୍ଦ୍ରମନ୍ତ୍ରୀ ଓଡିଶା ଆସିବେ, କେଉଁ ନେତା କେଉଁଠି କଣ କହିଲେ, କେଉଁ କେନ୍ଦ୍ରମନ୍ତ୍ରୀ ବିଦେଶ ଯିବେ , ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରୁ ଫେରିଲେ, କେଉଁ ବିଦେଶୀ ରାଷ୍ଟ୍ରପତି ଭାରତ ଆସିବେ ଇତ୍ୟାଦି ଅନେକ ସମ୍ବାଦ । ଅବୋଲକରା ମନେ ମନେ ଭାବେ ଏଗୁଡ଼ାକ ପଢିବାକୁ ଲୋକେ ଏତେ ପଇସା ଖର୍ଚ୍ଚ କରି ଖବରକାଗଜ କିଣୁଛନ୍ତି କାହିଁକି? କିଛି କାମଧନ୍ଦା ନଥିଲେ ଏଗୁଡ଼ାକ ପଢି ଖାଲି ସମୟ ନଷ୍ଟ କରିବା କଥା । ଶଳା, ନିଜ କଥା ଅଠାଅଠି । ସାଧାରଣ ଲୋକଙ୍କ ଅଭାବ ଅସୁବିଧା କ’ଣ ଏ ଖବରକାଗଜ ବାଲାଙ୍କ ଆଖିକୁ ଆସୁନି ? ଖାଲି ଅମୁକ ମନ୍ତ୍ରୀ ଏୟା କହିଲେ, ଢ଼ିମିକି ନେତା ସେମିତି କହିଛନ୍ତି, କେନ୍ଦ୍ରର ଚକୁଳି ମନ୍ତ୍ରୀ ବିଦେଶ ଗସ୍ତରେ ଗଲେ, ପ୍ରଧାନମନ୍ତ୍ରୀ ହାଣ୍ଡିଶାଳ ପରିଦର୍ଶନ କରିବଠୁଁ ଆରମ୍ଭ କରି ପୋଖରୀତୁଠରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିବା ପର୍ଯ୍ୟନ୍ତ ସବୁ ଖାଲି ରାଜନୀତିଆଙ୍କ କଥା । ସେମାନେ ଚାଲିଗଲେ ସମ୍ବାଦ, ଘରୁ ବାହାରିଲେ ଗସ୍ତ । ଏ ଖବରକାଗଜଵାଲାଗୁଡିକ ଖାଲି ସେମାନଙ୍କ ସ୍ତୁତି ଗାନ କରିବାରେ ଲାଗିଛନ୍ତି । ଯେଉଁ ଦି ତିନିଟା ପ୍ରକୃତ ଘଟଣା ବାହାରୁଛି, ସେଗୁଡ଼ାକ ପୁଣି ଏ ଖବରକାଗଜଠୁଁ ଅନ୍ୟ ଖବରକାଗଜର ସମ୍ବାଦ ପୁରା ଅଲଗା । ଘଟଣାତ ଗୋଟାଏ, ମାତ୍ର ଏ ସମ୍ବାଦଗୁଡିକ ଓଲଟପାଲଟ ହେଉଛି କେମିତି? ଯଦି ଗୋଟିଏ ଘଟଣା ସମ୍ପର୍କରେ ପ୍ରକାଶ ପାଇଥିବା ସବୁ ଖବରକାଗଜର ସମ୍ବାଦକୁ ଜଣେ ପଢେ, ତେବେ ସେ ଭାବିବ ଗୋଟିଏ ସ୍ଥାନରେ  ଏକାବେଳେକେ ବୋଧେ ଦୁଇ ତିନୋଟି ଘଟଣା ଘଟିଥିଲା । କାରଣ କୌଣସି ଖବରକାଗଜର ସମ୍ବାଦ ଅନ୍ୟ କାହା ସହିତ ମେଳ ଖାଉନଥିବ । ସବୁ ଖବରକାଗଜଵାଲା ମିଶି ଗୋଟାଏ ବିଶୁଦ୍ଧ ଫାର୍ସ ଚଳେଇଛନ୍ତି ।
ଅବୋଲକରା ଏତେ କଥା ଭାବେ ସିନା, ମୁହଁ ଖୋଲି କହି ପାରେନାହିଁ । ସେଦିନ ଖବରକାଗଜଟେ ଦେଖୁ ଦେଖୁ ଗୋବର୍ଦ୍ଧନ ବାବୁ ପାଟି କରି କହିଲେ – ଏଇଟା ଗୋଟେ ରୀତିମତ ଚକ୍ରାନ୍ତ । ଆମ ଦଳ ବିରୁଦ୍ଧରେ ବିରୋଧୀଦଳର ଗୋଟେ ଚାଲ । ଯାହା କରିବ ସିନା ସତଟାକୁ ଏମିତି ଫାଙ୍କି ଦେବ । ଆମ ଖବରକାଗଜରେ ସତଟାକୁ ଆମେ କାଢୁଛୁ ନା, ଏମିତି ୟା ତା କଥାରେ ପଡି ସତଟାକୁ ମିଛ ବୋଲି ଲେଖୁଛୁ?ସମସ୍ତେ ଏକାବେଳକେ କହିଲେ କେଉଁଟା ବାବୁ?
ଦେଖୁନ ବିରୋଧୀଦଳର ନେତାଟା ଭାଷଣରେ କହିଛି କଣ ନା ଆମ ଦଳ ଗଢିଥିବା ସରକାରର ଅପାରଗତା ଯୋଗୁଁ କଟକ ମଦମୃତ୍ୟୁ ଘଟଣା ଘଟିଗଲା । ପୁରା ମିଛ କଥା । ଆମ ଖବରକାଗଜ ଦେଖ ସତ କଥାଟା ପୁରା ଖୋଲିକି କହିଦେଉଛି । ଏଇଟା ଆମ ସରକାରକୁ ବଦନାମ କରିବା ପାଇଁ ବିରୋଧୀଦଳର ଗୋଟେ ଚାଲ ।
ଆଉ ଅବୋଲକରା ରହିପାରିଲା ନାହିଁ । କହିଲା – ହଇଓ ! ସେଠି ବିଷାକ୍ତ ମଦ ପିଇ କେତେ ଲୋକ ମଲେ, ତାର ହିସାବ ନାହିଁ । ସରକାର ୨୦୦ କହିବା ବେଳକୁ ଆର ଖବରକାଗଜଵାଲା କହିଲେ, ସରକାରଙ୍କ ଗଣନା ଭୁଲ । ସେଠି ଅଧିକ ଲୋକ ମରିଛନ୍ତି । ତୁମ ଖବରକାଗଜ ସରକାରଙ୍କୁ ଘୋଡେଇ କହିଲା କଣ ନା’, ସେଠି ତ ୨୦୦ ଲୋକ ବି ମରିନାହାଁନ୍ତି । ତାହାଠାରୁ କମ ଲୋକ ମରିଛନ୍ତି । ସେଇ ବିଷ ପିଇ ମରିଥିବା ଲୋକମାନଙ୍କ ପରିବାର ହଜିଲେଣି କି ଭାସିଲେଣି ସେକଥା କୁଆଡେ ଗଲା?
ଏ ଖବରକାଗଜଗୁଡାକ ଆଲୋ ମୁତୁରୀ ଶୋଇବା ନୀତିରେ ଖାଲି ରାଜନୀତିଆଙ୍କ ପ୍ରଚାର କରି ଗୋଟେ ରାଜନୀତି ଚଳେଇଛନ୍ତି ।
ଗୋବର୍ଦ୍ଧନବାବୁ ଉତ୍ତର ଦେଲେ – ଧେତ୍, ଆରେ ତୁ କୁଆଡୁ ବୁଝିବୁ । ଖାଲି ଏ ରାଜ୍ୟଟା ନୁହେଁ, ସାରା ଦେଶଟା ରାଜନୀତିଆଙ୍କ ଯୋଗୁଁ ଚାଲିଛି । ରାଜନୀତିଆଙ୍କ ଯୋଗୁଁ ଏସବୁ ଖବରକାଗଜ ନିୟମିତ ବାହାରିପାରୁଛି । ସେମାନେ ରାଜନୀତିଆଙ୍କ କଥା ଲେଖିବେନି ଆଉ କଣ ତୋ କଥା ଲେଖିବେ?
ଅବୋଲକରା କହିଲା ଯଦି ସାଧାରଣ ଲୋକଙ୍କ କଥା ଲେଖିବେନି, ତେବେ ସବୁ ଲୋକ ଏଗୁଡ଼ାକ ପଢିବେ କାହିଁକି?
ଆରେ ଏମିତି ଭୁଲ ସମ୍ବାଦ ବାହାର କରି କରି ଆମେ ଏ ଲୋକଗୁଡାଙ୍କୁ ଚାମଚା ବନେଇ ଦେଇଛୁ । ଏମାନଙ୍କୁ ମେଣ୍ଢା କରିଦେଇଛୁ । ଆମେ ଯାହା ଲେଖିବୁ, ଏମାନେ ପଢିବେ ଏବଂ ସେଥିରେ ମାତିବେ । ଏମାନଙ୍କ ନିଜର ଜ୍ଞାନ ନାହିଁ, ଏ ସମସ୍ତେ ମୂର୍ଖ, ମହାମୂର୍ଖ । ଅନ୍ୟ ଲୋକମାନେ ଗୋବର୍ଦ୍ଧନ ବାବୁଙ୍କ ଆଡ଼କୁ ଢ଼ିମା ଢ଼ିମା ଆଖିରେ ଚାହିଁଥିବାର ଦେଖି ଗୋବର୍ଦ୍ଧନ ବାବୁ ହଠାତ କଥା ବନ୍ଦ କରିଦେବା ସାଙ୍ଗେ ସାଙ୍ଗେ ଆଙ୍ଗୁଠିଟାକୁ କାମୁଡି ପକେଇଲେ । ହେଁ ହେଁ କରି ଟିକେ ମିଛ ହସ ହସି ଲୋକମାନଙ୍କୁ କହିଲେ ମୁଁ ଟିକେ ଘରୁ ଆସୁଛି ।
ପାଖରେ ବସିଥିବା ଲୋକମାନେ ଅବୋଲକରାକୁ ପଚାରିଲେ – ବାବୁ ଏଗୁଡ଼ାକ କାହାକୁ କହୁଥିଲେ

ଚିତ୍କାର କରି ଅବୋଲକରା କହୁଥିଲା – ତୁମକୁ। ତୁମେ ସବୁ ମହାମୂର୍ଖ ନହେଇଥିଲେ ଘଣ୍ଟା ଘଣ୍ଟା ଧରି ଏଗୁଡ଼ାକ ଶୁଣୁଥାନ୍ତ ? ତମର କଣ କିଛି କାମ ଧନ୍ଦା ନାହିଁ? ପ୍ରଧାନମନ୍ତ୍ରୀ ଭାଷଣ ଭାଷଣ ଦେଲେ ତୁମ ପେଟ ପୁରୁଛି? ତୁମ ବେକାର ପୁଅ ରୋଜଗାର କରିପାରୁଛି? ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗଲେ ତୁମକୁ ଦିଲ୍ଲୀ ଗଲା ଭଳି ଲାଗୁଛି? ଏଠି ଘଣ୍ଟା ଘଣ୍ଟା ବସି ମନ ଦେଇ ଖାଲି ସେମାନଙ୍କ କଥା ଶୁଣୁଛ? କଣ ସେଗୁଡା କିଛି କାମରେ ଲାଗୁଛି? ବସିଥିବା ଲୋକଗୁଡ଼ାକ ଫେରିଗଲା ବେଳେ ବାରମ୍ବାର ଅବୋଲକରାକୁ ଚାହୁଁଥିଲେ ।
ସାମ୍ପ୍ରତିକ ସ୍ଥିତିରେ ମୂଲ୍ୟବୋଧବିହୀନ ସମ୍ବାଦ ପରିବେଷଣ ଦେଖିବା ପରେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ତଥା ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ବାସୁଦେବ ମହାପାତ୍ରଙ୍କ ଏହି ଗଳ୍ପଟି ଯାହା ମାସିକ ସମ୍ବାଦଭିତ୍ତିକ ପତ୍ରିକା ଜ୍ୟୋତିଶ୍ରୀରେ ପ୍ରକାଶ ପାଇଥିଲା, ତାହାକୁ ସଚେତନ ପାଠକଙ୍କ ନଜରକୁ  ଆଣିବାକୁ ଉଚିତ ଭାବିଲି।(ଗାଳ୍ପିକ – ବାସୁଦେବ ମହାପାତ୍ର, କୁମାରାଙ୍ଗ ଶାସନ, ବାଣପୁର, ଖୋର୍ଦ୍ଧା, ମୋ – 9437575996)

Related Posts

About The Author

Add Comment