ରାଉରକେଲା,୨୨/୦୭ (ସନ୍ଧାନ ନିଉଜ) : ବଣ ପାହାଡ଼ ଘେରା ଲାଠିକଟା ଏବେ କୁସୁମ କୋଳିର ପସରା ।ରୁତୁକାଳୀନ ଏହି ଜଙ୍ଗଲୀ ଫଳ ସ୍ଥାନୀୟ ବନବାସୀଙ୍କ ପାଇଁ ବରଦାନ ସଦୃଶ ସାଜିଛି ।କୁସୁମ କୋଳି ବିକ୍ରି କରି ଅନେକ ମହିଳା ସେମାନଙ୍କର ତେଲ ଲୁଣର ଅଭାବକୁ ମେଂଟାଉଛନ୍ତି । କିଛି ଆଦିବାସୀ ସମ୍ପ୍ରଦାୟ ଗଛରୁ ଏହାକୁ ସଂଗ୍ରହ କରି କିଛିଟା ରୋଜଗାର କରୁଛନ୍ତି ।ଲାଠିକଟା ବ୍ଲକର ରାମଯୋଡ଼ି,ବେତଝରଣ ,ମନକୋ,ନୂଆଟୋଲି ଅଂଚଳର ଜଙ୍ଗଲରେ ବହୁ ପରିମାଣରେ କୁସୁମ ଗଛ ରହିଛି ।ଏହାକୁ ଆଦିବାସୀମାନେ ଖଟାମିଠା ଗଛ ବୋଲି କହିଥାନ୍ତି ।ଫେବୁୟାରୀ ମାସ ଶେଷରୁ କୁସୁମ ଫଳ ଆରମ୍ଭ ହୋଇ ଏହା ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଫୁଟିଥାଏ ।ଆଦିବାସୀ ଗ୍ରାମବାସୀମାନେ ପିଲାଛୁଆ ଧରି ସକାଳୁ ନିକଟ ଜଙ୍ଗଲକୁ ଯାଇ ଫୁଲ ସଂଗ୍ରହ କରି ଘରକୁ ଆଣିଥାନ୍ତି ।ଆଦିବାସୀ ଅଂଚଳର ଏକ ପ୍ରମୁଖ ବନଜାତ ଦ୍ରବ୍ୟ ହେଉଛି କୁସୁମ ଫୁଲ ଫଳ ।ଏହା ଲୋକଙ୍କ ପରମ୍ପରା ସହିତ ଜଡ଼ିତ ।ଏହି ଫୁଲ ବାସ୍ନା ହେଉଥିବାରୁ ମହିଳାମାନେ ମୁଣ୍ଡରେ ଖୋସିଥାନ୍ତି ।କୁସୁମ ଫଳ,ମଂଜି ଓ ଫୁଲର ଓøଷଧୀୟ ଗୁଣ ଥିବାରୁ ତାକୁ ଶୁଖାଇ ଗୁଣ୍ଡ କରାଯାଇ ବ୍ୟବହାର କରାଯାଉଛି ।ମଂଜିରୁ ତେଲ ପେଡ଼ି ଖାଇବାଠାରୁ ମାଖିବା କାମରେ ଲଗାଯାଉଛି ।ମାର୍ଚ୍ଚ ପରେ କୁସୁମ ଗଛରେ ଫଳ ଧରି ଏପ୍ରିଲଠାରୁ ପାଚିବା ଆରମ୍ଭ କରିଥାଏ ।ସବୁଜ ରଙ୍ଗର ଏହି କୋଳିର ଭିତର ହଳଦିଆ ରଙ୍ଗ ହୋଇଥିବାବେଳେ ଜାମୁ କୋଳି ଭଳି ଖଟା ମିଠା ସ୍ୱାଦ ରହିଛି । ଏହାକୁ ସଂଗ୍ରହ କରି ବଜାରରେ ବିକ୍ରି କରାଯାଇଥାଏ ।କେବଳ କୋଳି ନୁହେଁ ଫଳ ସରିଗଲା ପରେ ଗଛର ପତ୍ର ଓ ଛେଲିକୁ ସଂଗ୍ରହ କରି ମଧ୍ୟ ବିକ୍ରି କରାଯାଉଥିବା ଗ୍ରାମବାସୀ କହିଛନ୍ତି । କୁସୁମ ମଂଜିରୁ ତେଲ ବାହାର କରି ମଧ୍ୟ ବିକ୍ରି କରାଯାଉଛି ।ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଏହା ରୋଜଗାରର ମାଧ୍ୟମ ପାଲଟିଥିଲେ ମଧ୍ୟ ଏଭଳି ଜଙ୍ଗଲଯାତ ଦ୍ରବ୍ୟ ଉପରେ ସରକାରଙ୍କ କୌଣସି ସ୍ୱଷ୍ଟ ନୀତି ନାହିଁ ।ଫଳରେ ସଂଗ୍ରହକାରୀ ଗ୍ରାମବାସୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳୁନଥିବା କହିଛନ୍ତି ।ଜିଲା ବାହାରର ବ୍ୟବସାୟୀମାନେ ଗାଁ ଗାଁ ବୁଲି ସ୍ୱଳ୍ପ ମୂଲ୍ୟରେ କୁସୁମ ମଂଜି କିଣି ନେଉଛନ୍ତି ।