ଜଗତସିଂହପୁର,( ୨୦/୧୦ )ସନ୍ଧାନ ନ୍ୟୁଜ୍: କଟକ ଗତିରାଉତ ପାଟଣା ନାବାଳିକା ଗଣବଳାତ୍କାର ବିରୋଧରେ ଜଗତସିଂହପୁର ବିଜୁ ପଟ୍ଟନାୟକ ଛକରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବିଭିନ୍ନ ସଂଗଠନର ମହିଳା କର୍ମକର୍ତା ଓ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ ସହ ଅଭିଯୁକ୍ତଙ୍କୁ ଦଣ୍ଡ ଓ ପୀଡିତାଙ୍କୁ ଥଇଥାନ ଦାବି କରିଥିଲେ । ପ୍ରଗତିଶୀଳ ଜନମଞ୍ଚ ବ୍ୟାନରରେ ଏକାଠି ହୋଇ ମହିଳାମାନେ ରାଜ୍ୟରେ ମହିଳା ଓ ଝିଅଙ୍କ ବିରୋଧରେ ଅପରାଧ ବଢି ଚାଲିଥିବା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତିର୍ତୋଲ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଶାସକ ଦଳର ବରିଷ୍ଠ ନେତାମାନେ ବିଭିନ୍ନ ପଂଚାୟତରେ ବୁଲୁଛନ୍ତି । ହେଲେ ସେମାନେ ପୀଡିତାଙ୍କ ପରିବାରକୁ ଭେଟି ନାହାନ୍ତି । ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଟଙ୍କାଟିଏ ମଧ୍ୟ କ୍ଷତିପୂରଣ ମିଳିନାହିଁ । ଅଭିଯୁକ୍ତମାନଙ୍କୁ ଦଣ୍ଡ, ପୀଡିତାଙ୍କୁ ଥଇଥାନ ଓ କ୍ଷତିପୂରଣ, ମଦ ବିକ୍ରି ବନ୍ଦ, ବାଦାମବାଡ଼ି, ଓଏମପି ଓ ମାଷ୍ଟର କ୍ୟାଂଟିନ ଭଳି ଗୁରୁତ୍ୱପୂର୍ଣ୍ଣ ବସଷ୍ଟାଣ୍ଡରେ ସିସିଟିଭି ଲଗାଇବାକୁ ଜନମଞ୍ଚର ସଂଯୋଜକ ପ୍ରାଚୀ ପଟ୍ଟନାୟକ ଦାବି କରିଥିଲେ । ମମତା ପରିଡ଼ା, ଲକି ସାହୁ, ମାନସୀ ପଟ୍ଟନାୟକ ଓ ଅନ୍ୟ ନାରୀନେତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗତ ଶୁକ୍ରବାର ଚାଉଳିଆଗଞ୍ଜ ପୁଲିସ ପୀଡ଼ିତାଙ୍କ ବାପାଙ୍କୁ ଭେଟି ଘଟଣା ସମ୍ପର୍କରେ ପଚରାଉଚୁରା କରିଥିଲେ । ପୁଲିସ ବ୍ୟତୀତ ଆଉ କେହି ଘଟଣା ପରଠାରୁ ମୋ ଘରକୁ ଆସିନାହାନ୍ତି ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି । ଉଲ୍ଲେଖଯୋଗ୍ୟ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରଙ୍କେଇ ଗାଁର ଜଣେ ନାବାଳିକାକୁ ଦୁଇ ଅଭିଯୁକ୍ତ ୨୨ ଦିନ ଧରି ଗତିରାଉତପାଟଣାର ଏକ ଫାର୍ମ ହାଉସରେ ଗଣବଳାତ୍କାର କରିଥିଲେ । ଅଭିଯୁକ୍ତ ଦ୍ୱୟଙ୍କୁ ପୁଲିସ ଗିରଫ କରିଛି ।
ଗଣବଳାତ୍କାର ଅଭିଯୁକ୍ତଙ୍କୁ ଦଣ୍ଡ ଓ ପୀଡ଼ିତାଙ୍କୁ ଥଇଥାନ ଦାବିରେ ବିକ୍ଷୋଭ
|
October 20, 2020 |
