ଯାଜପୁର, ୨୫/୦୫/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡମଧୁପୁର ଏବଂ ଜେନାପୁର ଠାରେ ଥିବା ଦୁଇଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଡାକ୍ତର ପଦବୀ ଖାଲି ପଡିଛି । ଏବେ କରୋନା ପାଇଁ ଡାକ୍ତର ନଥିବାରୁ ଏହି ଅଂଚଳରେ ଅତି ଦାରୁଣ ଅବସ୍ଥା ସୃଷ୍ଟି ହୋଇଛି । ସେହିପରି ନିକଟସ୍ଥ କବାଟବନ୍ଧର ସାରୋଇ ଏବଂ ଅଂଟିଆ ସବସେଂଟରରେ କୌଣସି ଅଧିକାରୀ ନଥିବାରୁ ପ୍ରାୟ ୨୦ ହଜାର ଲୋକ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ଏବଂ ଟୀକାରୁ ବଂଚିତ ହେଉଛନ୍ତି । ତେଣୁ ଏଠାରେ ତୁରନ୍ତ ଅସ୍ଥାୟୀ ଡାକ୍ତର ନିଯୁକ୍ତି ସହ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଦଳ ପଠାଇବାକୁ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ପତ୍ର ଲେଖିଛନ୍ତି । ସେ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଦୀର୍ଘବର୍ଷ ତଳେ ଗଡମଧୁପୁର ଡାକ୍ତରଖାନା ସମ୍ମୁଖରେ ଦୀର୍ଘଦିନ ଧାରଣାରେ ବସିବା ପରେ ଡାକ୍ତରଖାନାର ବହୁ ସମସ୍ୟା ସମାଧାନ ହୋଇଥିଲା । କରୋନା ପାଇଁ ଏବେ ଏହି ପ୍ରସଙ୍ଗରେ କୌଣସି ପ୍ରକାର ଆନେ୍ଦାଳନାତ୍ମକ ପ୍ରତିବାଦ କରିବା ବି ସମ୍ବବ ନୁହେଁ । ଏବେ ବାତ୍ୟା ଏବଂ ବର୍ଷା ପାଇଁ ଲୋକେ ଦୂରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ପାରୁ ନାହାନ୍ତି । କରୋନା ସାଙ୍ଗକୁ ଝାଡାବାନ୍ତି ଓ ଜ୍ୱର ବ୍ୟାପିଲାଣି । କେହି ଘରୁ ବାହାରି ପାରୁ ନାହାନ୍ତି । କେହି କାହା କଥା ଓ ଦଃୁଖ ବି ଜାଣି ପାରୁ ନାହାନ୍ତି । ଏଥିପାଇଁ ଏହି ଅଂଚଳରେ ତୁରନ୍ତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଦଳ ପହଂଚା ଯାଉ ନଚେତ ଦୁଇ ଡାକ୍ତରଖାନାକୁ ଅସ୍ଥାୟୀ ଡାକ୍ତର ପଠାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି । ଏକ ଜନମଙ୍ଗଳ ରାଷ୍ଟ୍ରରେ ଲୋକଙ୍କ ଜୀବନ ରକ୍ଷା ଏବଂ ସ୍ୱାସ୍ଥ୍ୟସେବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି ଦିଗ ପ୍ରତି କ୍ଷମତାସୀନ କିମ୍ବା ନିଜକୁ କ୍ଷମତାଶାଳୀ ବୋଲାଉଥିବା ବାବୁମାନେ କେବେ ଗୁରୁତ୍ୱ ଦେବାର ଏଠାରେ ନଜିର ନାହିଁ । ବିଭିନ୍ନ ଦୃଷ୍ଟିକୋଣରୁ ଉଭୟ ଜେନାପୁର ଏବଂ ଗଡମଧୁପୁରର ରାଜ୍ୟରେ ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ଏହି ଅଂଚଳର ଲୋକ ମାନଙ୍କୁ ଏଭଳି ତୁଚ୍ଛ ଦୃଷ୍ଟିରେ ଦେଖା ନଯାଉ । ଏଥିନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ । କରୋନା ସମୟରେ କୌଣସି ଆନେ୍ଦାଳନ ଉଚିତ ନୁହେଁ । ହେଲେ ଆଗାମୀ ଦିନରେ ଏଥିନେଇ ଦୃଢ ଭାବେ ବିରୋଧ କରାଯିବ ।
ସତୀଶ ବିଶ୍ୱାଳ, ବି.ଜେ.ଡି ନେତା ଧର୍ମଶାଳା, ଯାଜପୁର, ମୋ-୯୪୩୭୦୧୯୧୧୭
ଗଡମଧୁପୁର ଓ ଜେନାପୁର ଅଂଚଳର ଲୋକଙ୍କ ଦୁର୍ଦ୍ଦଶା ବଢୁଛି
|
May 25, 2021 |