ଓଡ଼ିଶା ପର୍ଯ୍ୟଟନର ବ୍ରହ୍ମପୁର ପ୍ରବେଶ ଦ୍ୱାର ସଦୃଶ। ତେଣୁ ବ୍ରହ୍ମପୁରରେ ରାଜ୍ୟର ପ୍ରଥମ ରକ୍ ଗାର୍ଡ଼େନ୍ ବା ପଥର ବଗିଚା ନିର୍ମାଣ କରାଯିବାକୁ ପରିକଳ୍ପନା କରାଯାଇଥିଲା। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଅଭିଜ୍ଞ ଶିଳ୍ପୀଙ୍କ ପଥର ନିର୍ମିତ କାରୁକାର୍ଯ୍ୟ ପ୍ରଦର୍ଶୀତ ହେବ। ଯାହା ବ୍ରହ୍ମପୁରକୁ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରାଇବା ଏଭଳି କେତେକ ସ୍ବପ୍ନ ଏବଂ ସମ୍ଭାବନାକୁ ନେଇ ବ୍ରହ୍ମପୁର ଆମ୍ବପୁଆରେ ୨୦୧୫ରେ ରାଜ୍ୟର ପ୍ରଥମ ରକ୍ ଗାର୍ଡେନ ନିର୍ମାଣ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହାର ନିର୍ମାଣ କାର୍ଯ୍ୟ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିିଏ)କୁ ଦିଆଯାଇଥିଲା। ୯ ଏକର ଜମିରେ ୧୩.୯୨ କୋଟି ଟଙ୍କା ବ୍ୟୟରେ ଏହି ବଗିଚା ନିର୍ମାଣ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା ା ଦିଲ୍ଲୀର ଆର୍କିଟେକ୍ଚର ଫାର୍ମ ନାମକ ଏକ ସଂସ୍ଥା ଦ୍ୱାରା ଏହାର ଡିପିଆର(ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ) ମଧ୍ୟ ପ୍ରସ୍ତୁତ କରାଯାଇଥିଲା ା
କିନ୍ତୁ ଘୋଷଣାକୁ ୩ ବର୍ଷରୁ ଊର୍ଦ୍ଧ୍ୱ ଓ ପାଚେରି ନିର୍ମାଣକୁ ଦେଢ ବର୍ଷ ବିତିଛି ତଥାପି ବାସ୍ତବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା
ଚଣ୍ଡିଗଡ଼ ଢ଼ାଞ୍ଚାରେ ନିର୍ମିତ ହେବାକୁ ଥିବା ଏହି ବଗିଚା ନିର୍ମାଣ ପାଇଁ ୨୦୧୬ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ା ଓଡିଶାର ବିଭିନ୍ନ ଅଞ୍ଚଳରେ ଥିବା ପଥର କାରିଗରଙ୍କ କଳାକୃତୀକୁ ବଞ୍ଚାଇବା ସହ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡିଶାର ପଥର କାରୁକାର୍ଯ୍ୟକୁ ସ୍ଥାନୀତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି ବଗିଚାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରଥମ ପଯର୍ର୍ୟାୟରେ ଏହାର ପାଚେରି ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୬୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା ା ୨୦୧୬ ଡିସେମ୍ବର ୧୪ରେ ଏହାର ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ୨୦୧୭ ଜୁନରେ ନିର୍ମାଣ ସରିଥିଲା। ଏହାପରେ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଏ ଦିଗରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଓ ସରକାରଙ୍କ ଉଦାସୀନତା ଯୋଗୁ ଏହାର ବାସ୍ତବତା ସ୍ବପ୍ନ ହୋଇଯାଇଥିବା ନେଇ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ା ଏନେଇ ବିଡ଼ିଏ ସଚିବ ସମ୍ବିତ ରାଉତରାୟ କହିଛନ୍ତି, ବର୍ତ୍ତମାନ ଗଞ୍ଜାମ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୋପାଳପୁରରେ ଇକୋ ରିଟ୍ରିଟ ହବ ନାମରେ ଏକ ବୃହତ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ା ଆସନ୍ତା ଦୁଇରୁ ୩ ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ରକ୍ ଗାର୍ଡେନ ନିର୍ମାଣ ପାଇଁ ଡିପିଆର ଅନୁମୋଦନ ପାଇଁ ପଠାଯାଇଛି। ଖୁବଶୀଘ୍ର ବଗିଚାର ନିର୍ମାଣ କାର୍ଯ୍ୟ ପାଇଁ ସରକାର ଅର୍ଥ ଅନୁମୋଦିତ କରିବା ନେଇ ଆଶା କରାଯାଉଥିବା ରାଉତରାୟ କହିଛନ୍ତି ା



