ଗଞ୍ଜାମ, ୬/୨ (ସନ୍ଧାନ ନିୟୁଜ) ଗଞ୍ଜାମ ଜିଲା ଚିକିଟି ବ୍ଲକ୍ ନୂଆପଡା ଗ୍ରାମରେ ଦୀର୍ଘ ଏକ ସପ୍ତାହ ଧରି ଜଳଯୋଗାଣ ବନ୍ଦ ରହିଛି। ଫଳରେ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି। କୂପ, ପୋଖରି ଶୁଖିଯାଇଥିବା ବେଳେ ଜଳସ୍ତର କମିଯିବାରୁ ନଳକୂପରୁ ପାଣି ଆବଶ୍ୟକ ପରିମାଣରେ ବାହାରୁନି ଏବଂ ଅନ୍ୟ କେତେକ ନଳକୂପ ଅଚଳ ଅବସ୍ଥାରେ ପଡିରହିଛି। ସ୍ଥାନୀୟ ପ୍ରଶାସନର ଉଦାସିନତା ଏବଂ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ସବୁ ଅସୁବିଧା ଉପୁଜୁଥିବା କୁହାଯାଇଛି। ଗ୍ରାମବାସିଙ୍କ ପକ୍ଷରୁ ବାରମ୍ବାର ପଞ୍ଚାୟତ ପ୍ରତିନିଧି, ବ୍ଲକ୍ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହାର ସମାଧାନ ଦିଗରେ କେହି ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି।
୧୯୪୦ ମସିହା ଅକ୍ଟୋବର ୧୨ ତାରିଖରେ ଉକ୍ତ ଗ୍ରାମର ୧୫୦୦ଜଣ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ କେତେକ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯାଇଥିଲା। ୧୯୭୨ ସେପ୍ଟେମ୍ବର ୨୨ରେ ଡିଜେଲ ଚାଳିତ ମଟରକୁ ବଦଳାଇ ବିଦ୍ୟୁତ ଚାଳିତ ପମ୍ପ୍ର ବ୍ୟବସ୍ଥା କରାଯାଇଥିଲା। ଏକ ସପ୍ତାହ ହେଲା ଯାନ୍ତ୍ରୀକ ତ୍ରୁଟି ଯୋଗୁ ମଟରଟି ଅଚଳ ହୋଇଯିବା ଫଳରେ ଜଳଯୋଗାଣ ଠପ୍ ହୋଇଯାଇଛି। ଏହାର ରକ୍ଷଣବେକ୍ଷଣ ଦାୟିତ୍ୱ ପଞ୍ଚାୟତ ହାତରେ ରହିଥିବା ବେଳେ ଏହାର ପ୍ରତିକାର କରାଯାଉ ନାଇଁ`। ତୁରନ୍ତ ଏହାର ସମାଧାନ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।



