ବେତନଟୀ, ୦୬/୧୦/୨୦ (ସନ୍ଧାନ ନିଉଜ) : ସରକାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିମନ୍ତେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି କାର୍ଯ୍ୟ ସଠିକ ଭାବେ ନହେବା ସହିତ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତୁରରେ କାମ ଚାଲିବାରୁ ଏହାକୁ ଗ୍ରାମବାସୀ ବିରୋଧ କରିବା ସହିତ ନିମ୍ନମାନର ଇଟାରେ କାମ କିପରି ଚାଲିଛି ଓ ବିନାଫଳକରେ କାମ କିପରି ହେଉଛି ବୋଲି ଅଭିଯୋଗ ହୋଇଛି । ବେତନଟୀବୁକ ରଘୁପୁର ପଞ୍ଚାୟତର ଖୁଣ୍ଟାପୁରଗ୍ରାମରେ ୨୮ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ହେଉଥିବା ଉପସ୍ବାସ୍ଥ୍ୟ କେନ୍ଦ୍ରର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭରୁହିଁ ଜନ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି । ଉକ୍ତ ଉପସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣକାର୍ଯ୍ୟ ଠିକାଦାର ଯଦୁପତି ମହାନ୍ତ କରୁଥିବାବେଳେ ନିର୍ମାଣକାର୍ଯ୍ୟ ଚାଲିଥିବାବେଳେ କାର୍ଯ୍ୟ ତଦାରଖ ନିମନ୍ତେ ଘଟଣାସ୍ଥଳରେ କେହି ଉପସ୍ଥିତ ନଥିବାରୁ କାର୍ଯ୍ୟ କରୁଥିବା ବେଙ୍ଗଲୀ ମିସ୍ତ୍ରୀମାନେ କିଭଳି ମାଲିକଙ୍କ ଅନୁପସ୍ଥିତିରେ କାର୍ଯ୍ୟ କରୁଛନ୍ତି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ସରକାରୀ ଟେଣ୍ଡର ମାଧ୍ୟମରେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣକାର୍ଯ୍ୟ ନିମନ୍ତେ କାର୍ଯ୍ୟାଦେଶ ଗତ ମାର୍ଚ୍ଚମାସ ପୂର୍ବରୁ ପାଇଥିଲେ ମଧ୍ୟ ଫଳକ ଲାଗିନଥିବାର ଦେଖାଯାଇଥୁଲା । ଏ ସମ୍ପର୍କରେ ଖୁଣ୍ଟାପୁର ଗ୍ରାମର ଜଣେ ସଚେତନ ମହିଳା ଉକ୍ତ ନିର୍ମାଣକାର୍ଯ୍ୟକୁ ବିରୋଧ କରୁଥିବାର ଦେଖୁକୁ ମିଳିଥିଲା । ଏ ସର୍ମରେ ତାଙ୍କୁ ପଚାରିବାରୁ ସେ ପ୍ରଥମେ ନିର୍ମାଣ ହେଉଥିବା ପ୍ଲାଯଆସ ଇଟାକୁ ଦେଖାଇବା ସହିତ ଏହି ଇଟା କିପରି ଧୋଇ ଯାଉଛି ତାହାର ନମୁନା ଦେଖାଇଥିଲେ। ମହିଳା ସଂଗଠନର ଜଣେ ଛୋଟ କର୍ମୀ ଭାବେ ସୀତା ସିଂ ବିରକ୍ତିଭାବ ପ୍ରକାଶ କରି କହିଥିଲେ ଏଭଳି ଘର ଆମର ଦରକାରନାହିଁ, ଏହାର ନିର୍ମାଣକାର୍ଯ୍ୟ ଆମେ ବନ୍ଦକରିବୁ ନିମ୍ନମାନର ଇଟା ସହିତ ବାଲି ଓ ସିମେଣ୍ଟର ଭାଗମାପା ମଧ୍ୟ ଠିକ ନଥିବାରୁ ଏହାକୁ ଆମେ ବିରୋଧ କରୁଛୁ ଓ କରିବୁ ବୋଲି ପ୍ରକାଶ କରିଥିଲେ। ଏନଆରଏଚଏମ ଅଧୀନରେ ଏହି ନିର୍ମାଣକାର୍ଯ୍ୟ ଚାଲିଥିବାରୁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ ନଉଠାଇବାରୁ ତାଙ୍କ ସହ ଆଲୋଚନା ସମ୍ଭବ ହୋଇନଥିଲା । ଏ ସମ୍ପର୍କରେ ଠିକାଦାର ଯଦୁପତି ମହାନ୍ତଙ୍କ ସହ ଯୋଗାଯୋଗ କରିବାରୁ କୋଭିଡ-୧୯ ଓ ବର୍ଷା ପାଇଁ ଫଳକ ଲଗାଯାଇ ପାରିନାହିଁ ବୋଲି କହିବା ସହିତ ତାଙ୍କ ଦ୍ବାରା ନିୟୋଜିତ ସୁପରଭାଇଜର ତାଙ୍କ ଅନୁପସ୍ଥିତିରେ ନିମ୍ନମାନର ଇଟା ବ୍ୟବହାର କରିଛି ବୋଲି ସ୍ବୀକାର କରିଥିଲେ । ମଙ୍ଗଳବାର ସୁଦ୍ଧା ଫଳକ ଲଗାଇବା ସହିତ ଭଲ ଇଟାରେ କାମ କରିବେ ବୋଲି ପ୍ରକାଶ କରିଥିଲେ । ନିର୍ମାଣକାର୍ଯ୍ୟ ତଦାରଖ କରିବାର ଦାୟିତ୍ଵ ବିଭାଗୀୟ ଯନ୍ତ୍ରୀଙ୍କର ରହିଥିଲେ ମଧ୍ୟ ସେ କାର୍ଯ୍ୟସ୍ଥଳକୁ ଯାଇନଥିବା ଅଭିଯୋଗ ହୋଇଛି ଓ ବିନା ଫଳକରେ କିପରି ଠିକାଦାରି କାର୍ଯ୍ୟ କରୁଛନ୍ତି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଏ ସମ୍ପର୍କରେ ଖୁଣ୍ଟାପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସଞ୍ଜୟ ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ କହନ୍ତି ଯେ ଫଲକ ନଥିବାରୁ ଏହା କେଉଁ ବିଭାଗ ଦ୍ୱାରା ହେଉଛି ତାହା କେହି ଜାଣିପାରୁ ନାହାଁନ୍ତି । ଏହି କାର୍ଯ୍ୟରେ ବ୍ୟବହୃତ ହେଉଥିବା ଇଟା ଠାରୁ ଆରମ୍ଭକରି ଅଶ ସାମଗ୍ରୀ ନିମ୍ନମାନର ବୋଲି ପ୍ରକାଶ କରିଥିଲେ।
ଖୁଣ୍ଟାପୁର ଉପସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିନା ଫଳକରେ ଚାଲିଛି ନିର୍ମାଣ
|
October 6, 2020 |