ଖାଉଟି ଦ୍ରବ୍ୟର ମୂଲ୍ୟ ଅହେତୁକ ବୃଦ୍ଧି, ଗ୍ରାହକ ଚିନ୍ତାରେ

Spread the love

ରାଉରକେଲା, ୦୪/୦୭/୨୦ (ସନ୍ଧାନ ନିଉଜ) : ସଭିଙ୍କୁ ଘାରିଛି କରୋନା ଚିନ୍ତା! ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ରାଜ୍ୟ ସମେତ ବିଭିନ୍ନ ପୁରପଲୀରେ କାୟାବିସ୍ତାର କରି ଚାଲିଥିବା ବେଳେ, ଅପରପକ୍ଷରେ ଦରଦାମ ଅହେତୁକ ଭାବେ ବୃଦ୍ଧି ପାଇବା ଗରିବ,ମଧ୍ୟବିତ ପରିବାରର ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି । କରୋନାକୁ ପ୍ରତିହିତ କରିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ତ୍ୱରିତ ପଦକ୍ଷେପ ଯେପରି ଲକ୍ ଡାଉନ, ସଟଡାଉନ, ୧୪୪ ଧାରା ଜାରି କରାଯାଇ କରୋନା କଟକଣା ଗାଇଡ଼ଲାଇନ ଜାରି ରହିଛି । ମାତ୍ର ୩ ମାସ ଧରି ଲକ୍ ଡାଉନ ହେବା ଫଳରେ ବିଭିନ୍ନ ବର୍ଗର ଲୋକେ ସେମାନଙ୍କ ରୋଜଗାର ହରାଇ ହାତବାନ୍ଧି ବସିଛନ୍ତି । ଯାହା ଫଳରେ ପରିବାର ଚଳାଇବା ଏକପ୍ରକାର କାଠିକର ପାଠ ହୋଇପଡ଼ିଛି । ଏଭଳି ପରିସ୍ଥିତିରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ଦର ହୁହୁ ହୋଇ ବଢି ଚାଲିଛି । ଡାଲି, ଅଟା, ଖାଇବା ତେଲ ଦର ବଢିବା ଦ୍ୱାରା ଏହା ଖାଉଟିର ପକେଟକୁ ବାଧୁଛି! ଦକ୍ଷିଣ ରାଉରକେଲା ସମେତ ଲାଠିକଟା ବ୍ଲକର ଗ୍ରାମାଚଂଳରେ ଥିବା କିଛି ଅସାଧୁ ବ୍ୟବସାୟୀ ନିଜ ମନମର୍ଜିରେ ବିଭିନ୍ନ ଖାଉଟି ସାମଗ୍ରୀର ଦର ନିର୍ଦ୍ଧାରଣ କରିବା ଦ୍ୱାରା ଗ୍ରାହକ ମାନେ ଠକାମୀର ଶୀକାର ହେଉଥିବା ଅଭିଯୋଗ ହୋଇଛି । ତେଲ, ଚିନି, ସୁଜି, ଅଟା, ବେସନ ଭଳି ଖାଦ୍ୟ ସାମଗ୍ରୀ ଦୁଇଗୁଣା ଦରରେ ବିକ୍ରି ହେଉଥିବା ଗ୍ରାମାଂଚଳରେ ବସବାସ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । କେବଳ ଯେ, ଖାଉଟି ସାମଗ୍ରୀ ନୁହେଁ, ପନିପରିବା ଦର ମଧ୍ୟ ଆକାଶଛୁଆଁ ହୋଇଛି । କିଛି ପରିବା କିଲୋପ୍ରତି ୪୦ ଟଙ୍କା ଉପରେ ରହୁଛି । ଯାହାକି ନିରାମିଷ ବ୍ୟକ୍ତିଙ୍କ ପାଇଁ ଏକ ପ୍ରକାର ଚିନ୍ତାର କାରଣ ପାଲଟିଛି । ଗୋଟିଏ ପଟେ କୋରୋନା ମାଡ଼ରେ ଜନତା ପ୍ରଭାବିତ ହେଉଥିବା ବେଳେ ଅପରପକ୍ଷରେ, ଖାଉଟି ଦର ମୂଲ୍ୟରେ ବୃଦ୍ଧି  ଜନତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ବୋଲି ସାଧାରଣରେ ଆଲୋଚନା ହେଉଛି । ଦକ୍ଷିଣ ରାଉରକେଲାରେ ଚଢାଦରରେ ଖାଉଟି ଦ୍ରବ୍ୟ ବିକ୍ରି କରୁଥିବା ଅସାଧୁ ଖୁଚୁରା ବେପାରୀଙ୍କ ଉପରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Related Posts

About The Author

Add Comment