ବୈପାରିଗୁଡା , ୧/୭ (ସନ୍ଧାନ ନିୟୁଜ )କୋରାପୁଟ ଜିଲ୍ଲା ଦେଇ ଯାଉଥିବା ବିଭିନ୍ନ ରାଜପଥ ଏବଂ ଜାତୀୟ ରାଜପଥରେ ଦୈନିକ ଚାଲିଛି ବିପଦ ସଂକୁଳ ଯାତ୍ରୀ ପରିବହନ ।ଏଥିପ୍ରତି ପରିବହନ ବିଭାଗ କିମ୍ବା ପୋଲିସ ପ୍ରଶାସନ ର ନିଘା ନ ଥିବା ବେଳେ ଯାତ୍ରୀମାନେ ସଚେତନ ନ ଥିବାରୁ ସମସ୍ୟା ଦ୍ଵିଗୁଣିତ ହେଉଥିବା ଜଣାପଡିଛି ।ରାଜପଥ ରେ ଯାତାୟତ କରୁଥିବା କିଛି ଅଟୋ, ବୋଲେର,କମାଣ୍ଡର, ଟାଟା ମ୍ୟାଜିକରେ ଆବଶ୍ୟକ କୁ ଅଧିକ ଯାତ୍ରୀ ପରିବହନ କରାଯାଉଥିବା ଦେଖିବାକୁ ମିଳିଛି ।ଖାସ କରି ବୈପାରିଗୁଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଯାତାୟତ କରୁଥିବା ଯାତ୍ରୀବାହୀ ଗାଡ଼ିରେ ଜିନିଷ ବୁହାହେବା ଭଳି ଯାତ୍ରୀଙ୍କୁ ନେବାଆଣିବା କରାଯାଉଛି ।ଏପରିକି ଗାଡ଼ିର ଉପରେ ମଧ୍ୟ ଯାତ୍ରୀମାନଙ୍କୁ ବସାଇ ଆଣୁଥିବା ଦେଖିବାକୁ ମିଳିଛି ।ରାଜପଥ ର ଅଧିକାଂଶ ସ୍ଥାନରେ ବିପଦପୂର୍ଣ୍ଣ ଭାବେ ବିଦ୍ୟୁତ ତାର ଝୁଲି ରହିଥିବା ବେଳେ କେଉଁଠି ଗଛ ଡାଳ ଝୁଲି ରହିଛି ।ଫଳରେ ଗାଡ଼ିର ଉପରେ ବସି ଆସୁଥିବା ଯାତ୍ରୀ ବିଦ୍ୟୁତ ତାର ଓ ଗଛ ଡାଳ ସଂସ୍ପର୍ଶରେ ଆସି ଦୁର୍ଘଟଣାର ସମ୍ମୁଖିନ ହେଉଥିବା ନଜିର ରହିଛି ।ଏହି ଗାଡ଼ି ଗୁଡ଼ିକ ଥାନା କିମ୍ବା ଫାଣ୍ଡି ସମ୍ମୁଖ ଦେଇ ଆସୁଥିଲେ ମଧ୍ୟ ପୋଲିସ କର୍ମଚାରୀ ଆଖି ବୁଜିଦେଇଥିବା ଜଣାପଡିଛି ।ଗାଡ଼ିର କର୍ମଚାରୀ ଙ୍କ ଦାଇତ୍ଵହୀନତା ତଥା ବିପଦସଂକୁଳ ପରିବହନ କାରଣରୁ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ସହ ଆଇନ ଶୃଙ୍ଖଳା ଭଳି ପରିସ୍ଥିତି ଏକ ନିତିଦିନିଆ ଘଟଣା ହୋଇପଡିଛି ।ତେଣୁ ପରିବହନ ବିଭାଗ ର ଉଚ୍ଚ କତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।