ବୈପାରିଗୁଡା, ୩/୬ (ସନ୍ଧାନ ନିୟୁଜ)- କୋରାପୁଟ ଜିଲ୍ଲାର ବୈପାରିଗୁଡା ଠାରେ ଧୁମଧାମରେ ପାଳିତ ହେଲା ସାବିତ୍ରୀ ବ୍ରତ ।ଆଜି ସାବିତ୍ରୀ ଅମାବସ୍ୟା ।ଓଡ଼ିଆମାନଙ୍କର ଗଣପର୍ବ ମଧ୍ୟରୁ ଏହା ହେଉଛି ଅନ୍ୟତମ । ଓଡିଆ ଘରର ଏହି ପର୍ବଟିକୁ ସାଧାରଣରେ ସଧବାମାନେ ହିଁ ପାଳନ କରିଥାନ୍ତି । ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଏହି ବ୍ରତରେ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି । ସ୍ୱାମୀ ହିଁ ସ୍ତ୍ରୀର ସର୍ବସ୍ୱ । ଆଜି ଏନେଇ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।କିମ୍ବଦନ୍ତୀ ଅନୁସାରେ, ସତ୍ୟବାନ ଅଳ୍ପାୟୁ ଥିଲେ ବି ମୃତ୍ୟୁକୁ ଜୟ କରିଥିଲେ । ଏହା ସମ୍ଭବ ହୋଇଥିଲା ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ପାଇଁ । ଜଣେ ଶ୍ରେଷ୍ଠ କନ୍ୟା ହେଲେ ସାବିତ୍ରୀ । ସେ ଥିଲେ ରାଜକନ୍ୟା । ସାବିତ୍ରୀ ଦେବୀଙ୍କୁ ପ୍ରାର୍ଥନା କରି ମାଦ୍ରଦେଶର ରାଜା ଅଶ୍ୱପତି ତାଙ୍କୁ କନ୍ୟା ରୂପେ ପାଇଥିଲେ । ସତ୍ୟବାନଙ୍କ ରୂପ ଓ ଗୁଣରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିବେ ବୋଲି ଇଚ୍ଛା କରିଥିଲେ । ବିବାହ ପରେ ସତ୍ୟବାନ ଗୋଟିଏ ବର୍ଷ ବଞ୍ଚିବେ ଜାଣି ମଧ୍ୟ ତାଙ୍କୁ ବିବାହ କରି ଜଙ୍ଗଲରେ ରହୁଥିଲେ । ଠିକ୍ ବର୍ଷକ ପରେ ସତ୍ୟବାନଙ୍କ ମୃତ୍ୟୁ ହୋଇଥିଲା ।ମହାସତୀ ସାବିତ୍ରୀଙ୍କ ତପ ବଳରେ ସେ ପୁର୍ନଜନ୍ମ ପାଇଥିଲେ । ଯମରାଜଙ୍କୁ ନିଜର ଯୁକ୍ତି ବଳରେ ସନ୍ତୁଷ୍ଟ କରି ସାବିତ୍ରୀ ନିଜ ସ୍ୱାମୀଙ୍କୁ ଫେରିପାଇଥିଲେ । ଏନେଇ ରାଜ୍ୟର ବିଭିନ୍ନ ଦେବାଳୟ ଓ ଘରେ ଘରେ ସାବିତ୍ରୀ ବ୍ରତ ପାଇଁ ସଧବା ନାରୀମାନେ ସଜବାଜ ହେଉଛନ୍ତି । ଅନ୍ନ ଜଳ ସ୍ପର୍ଶ ନକରି ସେମାନେ ଏହି ବ୍ରତ ପାଳନ କରି ସ୍ୱାମୀଙ୍କୁ ପୂଜା କରିବାର ପରମ୍ପରା ରହିଛି । ଏଥି ପାଇଁ ହିନ୍ଦୁ ଘରେ ଘରେ ସାବିତ୍ରୀ ବ୍ରତ ପାଳନ କରାଯାଏ ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।



