ବୈପାରିଗୁଡା,୧୦/୫ (ସନ୍ଧାନ ନିୟୁଜ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଝାଞ୍ଜି ପବନ ବହୁଥିବା ଜଣାପଡିଛି । ବୈପାରିଗୁଡା ସହର ଓ ଏହାର ଉପକଣ୍ଠରେ ଅସହ୍ୟ ଗରମ ଏବଂ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।ବୈପାରିଗୁଡା ଠାରେ ଆଜି ତାପମାତ୍ରା ୪୨ ଡିଗ୍ରୀ ଥିବାର ଜଣାପଡ଼ିଛି ।ସକାଳ ୧୦ଟାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ।ମଧ୍ୟାହ୍ନରେ ଜନ ଗହଳି ପରିବା ବଜାର ଖାଁ ଖାଁ ଦେଖାଯାଇଥିଲା । ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଦୋକାନ ବଜାର ପ୍ରାୟତଃ ବନ୍ଦ ରହୁଥିବା ବେଳେ ଲୋକେ ଘରେ ଏବଂ ଛାଇ ଥିବା ସ୍ଥାନରେ ଆଶ୍ରୟ ନେଇଛନ୍ତି । ଜରୁରୀ କାର୍ୟ୍ୟ ନିମନ୍ତେ ବାହାରକୁ ବାହାରୁଥିବା ଅଧିକାଂଶ ଲୋକେ ମୁଣ୍ଡରେ ଗାମୁଛା, ହାତରେ ଛତା ଧରିଥିବା ଦେଖିବାକୁ ମିଳିଥିଲା । ଗ୍ରୀଷ୍ମପ୍ରବାହ ଗୁଳୁଗୁଳି ଯୋଗୁଁ ଘର ମଧ୍ୟରେ ରହିବା କଷ୍ଟକର ହୋଇପଡ଼ିଛି ।ଚଳିତ ବର୍ଷ ତାପମାତ୍ରା ୪୨ ଡ଼ିଗ୍ରୀ ରୁ ଉର୍ଦ୍ଧ୍ବ ହୋଇଥିବାରୁ ବୈପାରିଗୁଡା ସମେତ ଆଖପାଖ ରାମଗିରି, ଦଣ୍ଡାବାଡ଼ି, ଟାଙ୍ଗିନୀଗୁଡା, ଦଶମନ୍ତପୁର,ଦୋରାଗୁଡା,ମହୁଲି, ମାଝୀଗୁଡା, କେରାପୁଟ, କେନ୍ଦୁଗୁଡା ଭଳି ପ୍ରତ୍ୟେକ ଗ୍ରାମାଞ୍ଚଳରେ ପୋଖରୀ,ଝରଣା ଗୁଡ଼ିକ ଶୁଖିଲା ପଡିଥିବା ଦେଖିବାକୁ ମିଳିଛି । ମଣିଷ ସମେତ ବନ୍ୟଜନ୍ତୁ ଏବଂ ଗୃହପାଳିତ ପଶୁ ପକ୍ଷୀମାନେ ଗ୍ରୀଷ୍ମ ଝାଞ୍ଜିରେ ଆଉଟୁ ପାଉଟୁ ହେଉଥିବା ପରିଲିକ୍ଷିତ ହୋଇଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।