ବାରିପଦା, 29/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ମୟୂରଭଞ୍ଜ ଜିଲାର ଦୁର୍ଗାପୂଜା ସମୟରେ ଜିଲାର ବିଭିନ୍ନ ସ୍ଥାନରେ ଦଳ ଦଳ ହୋଇ ଆଦିବାସୀ ଲୋକେ ଦାସାଏଁ ନୃତ୍ୟ ପ୍ରଦର୍ଶନ କରି ଦୁର୍ଗାପୂଜାର ମଜା ନେଇଥାନ୍ତି । ଦୁର୍ଗାପୂଜା ଆସିବା ମାତ୍ରେ ସପ୍ତମୀଠାରୁ ଦଶମୀ ପର୍ଯ୍ୟନ୍ତ ଦାସାଏ ନୃତ୍ୟ ଦଳ ଲାଉତୁମାରେ ନିର୍ମିତ ମୁଖ୍ୟ ବାଦ୍ୟଯନ୍ତ୍ର ସହିତ କେନ୍ଦେରା, ଘଣ୍ଟଘଣ୍ଟା ଆଦି ସହିତ ପାରମ୍ପରିକ ଆଦିବାସୀ ବେଶଭୂଷାରେ ସଜ୍ଜିତ ହୋଇ ଏହି ନୃତ୍ୟ ସହରର ବିଭିନ୍ନ ସ୍ଥାନରେ ପରିବେଷଣ କରିଥାନ୍ତି । ଏପରିକି ଏହି ଦାସାଏଁ ନୃତ୍ୟ ଗାଁରୁ ସହର ଯାଏଁ ବହୁଳଭାବରେ ଦେଖୁବାକୁ ମିଳିଥାଏ। ଫଳରେ ଦୁର୍ଗାପୂଜା ମାହୋଲ ବେଶ ଜମିଥାଏ । ଏହି ନୃତ୍ୟ ଦଳରେ ସାତ ଜଣରୁ ଦଶ ଜଣ ବ୍ୟକ୍ତି ଭାଗ ନେବା ସହ ଅଦ୍ଧଚନ୍ଦ୍ରାକାରରେ ‘ଦେବୀଲୋ ଦୁର୍ଗା ଉଚ୍ଚାରଣ ପୂର୍ବକ ନୃତ୍ୟ ପରିବେଷଣ ବେଳେ ପରିବାରର ସମସ୍ତେ ଉସୁକତା ସହିତ ଉପଭୋଗ କରିଥାନ୍ତି । ସେମାନଙ୍କୁ ଆତିଥ୍ୟ ପ୍ରଦାନ ସ୍ଵରୁପ ଟଙ୍କା ଓ ଚାଉଳ ଆଦି ଦେଇଥାନ୍ତି । ଏହି ନୃତ୍ୟ ଦଳ ସହରର ବିଭିନ୍ନ ଗଳିକନ୍ଦି, ରାଜରାସ୍ତା ତଥା ପୂଜା ମଣ୍ଡପଗୁଡିକରେ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଏଣୁ ଏହି ନୃତ୍ୟ ଦେଖୁବାକୁ ଗଳିକନ୍ଦିରେ ବିଭିନ୍ନ ପରିବାରର ଆବାଳବୃଦ୍ଧବନିତା ଦଶହରା ଉତ୍ସବକୁ ଅପେକ୍ଷା କରିଥାନ୍ତି । କିନ୍ତୁ ଏଥର ତାହା ସମ୍ଭବ ହୋଇ ପାରିଲା ନାହିଁ । କାରଣ ଚଳିତବର୍ଷ କୋଭିଡ ମହାମାରୀ ପାଇଁ ସହରରେ ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପଗୁଡିକରେ ପୂଜାର୍ଚ୍ଚନା ହେଉଥିଲେ ମଧ୍ୟ ଜନସାଧାରଣଙ୍କ ଦର୍ଶନ ନିଷେଧ ରହିଥିଲା। ସେହିପରି ସହରରେ ଦୁର୍ଗାପୂଜା ଅବସରରେ ସାଧାରଣରେ ଉତ୍ସାହ ଉଦ୍ଦୀପନା ମଧ୍ୟ ଦେଖାଯାଉ ନା ଥିଲା । ଏଣୁ ଏହି କାରଣରୁ ଦାସାଏଁ ନୃତ୍ୟ ଦଳଗୁଡିକ ଦୁର୍ଗା ପୂଜା ଅବସରରେ ଏଥର ଆସି ନାହାନ୍ତି । ଯାହାଫଳରେ ଦାସାଏଁ ନୃତ୍ୟ ଦୁର୍ଗାପୂଜାରେ ଦେଖୁକୁ ମିଳୁ ନ ଥିଲା ।
କୋଭିତ କଟକଣା ପାଇଁ ଦୁର୍ଗାପୂଜାରେ ଦାସାଏଁ ନୃତ୍ୟ ଉଭାନ
|
October 29, 2020 |