ରାଉରକେଲା, ୧୨/୦୬/୨୦ (ସନ୍ଧାନ ନିଉଜ) : ରାଜ୍ୟରେ ଏବେ କୋରୋନା ପ୍ରକୋପ ଜାରି ରହିଛି । ଏପରି ସମୟରେ କୋଭିଡ ଆଇନ କାର୍ଯ୍ୟକାରୀ ହେଉଛି । କିନ୍ତୁ ଏହାର ବ୍ୟତିକ୍ରମ ଦେଖାଦେଇଛି ରାଉରକେଲା ସହରରେ । ସୂଚନାନୂସାରେ, ଜୁନ 8 ତାରିଖରେ କୋଭିଡ ଗାଇଡ ଲାଇନକୁ ଅବମାନନା କରି ହଜାର ହଜାର ଲୋକ ଏକ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ହେଲେ ପୋଲିସ ଏ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ ଆଣିଛି ରାଉରକେଲା ଓକିଲ ସଂଘ । ଏ ଘଟଣାରେ ଆଇନ ଶୃଙ୍ଖଳା ରକ୍ଷା କରିବା ଏବଂ ଆଇନ ଶୃଙ୍ଖଳା ଭଙ୍ଗ କରୁଥିବା ଲୋକଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ଓକିଲ ସଂଘ ରାଉରକେଲା ଏସପିଙ୍କ ବଦଳି ଦାବି କରିଛି ।
ସହରରେ କୋଭିଡ ଆଇନ କାର୍ଯ୍ୟକାରୀ ହେଉ ନ ଥିବାରୁ ଆଗକୁ ରାଉରକେଲାରେ ଏହି ମହାମାରୀ ବ୍ୟାପିବାର ଆଶଙ୍କା କରାଯାଇଛି । ଏ ସଂକ୍ରାନ୍ତରେ ସଂଘ ପକ୍ଷରୁ ଏକ ଦାବିପତ୍ର ପାନପୋଷ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି ।