କୋରାପୁଟ, 05.02.2021 (ସନ୍ଧାନ ନିଉଜ୍):- ପୁଣି ଓଡି଼ଶା ଉପରେ ଆନ୍ଧ୍ରର ଦାଦାଗିରି । ବିବାଦୀୟ କୋଟିଆ ପଞ୍ଚାୟତର ୩ଟି ଗାଁକୁ ଏକପ୍ରକାର କବ୍ଜାକୁ ନେଇଛି ଆନ୍ଧ୍ର । କେବଳ ଦଖଲକୁ ନେଇଛି ତା’ ନୁହେଁ, ସେଗୁଡ଼ିକର ନାଁ ବଦଳାଇ ଦେଇଛି । ଏସବୁ ଗାଁ ହେଉଛି ତଳଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀ । ନାଁ ବଦଳାଇ ଆନ୍ଧ୍ର ରଖିଛି ତଳଗଞ୍ଜେଇଭଦ୍ରା, ପାଟୁଚିନେରୁ ଓ ପାଗୁଲୁଚିନେରୁ । ଏହି ୩ଟି ଗାଁକୁ ସାଲୁର ମଣ୍ଡଳରେ ସାମିଲ କରି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି ଆନ୍ଧ୍ର । ସବୁଠୁ ବଡ଼କଥା ହେଉଛି, ଏସବୁ ଗାଁର କେତେକ ପ୍ରାର୍ଥୀ ନିର୍ବାଚନରେ ଭାଗ ନେବା ଲାଗି ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡିଛି । ଆଜି ଏହି ଖବର ପଦାକୁ ଆସିବା ପରେ ରାଜ୍ୟରେ ସୃଷ୍ଟି ହୋଇଛି ଆଲୋଡ଼ନ । ଏ ସମ୍ପର୍କରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି, ଜିଲ୍ଲା ପଞ୍ଚାୟତ ଅଧିକାରୀ ସୁଦେଶ ପଟ୍ଟନାୟକଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେ ଏହାର ତଦନ୍ତ କରି ରିପୋର୍ଟ ଦେବେ । ଆଜିଠାରୁ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଆସନ୍ତା ୧୩ ତାରିଖରେ ନିର୍ବାଚନ ହେବାକୁ ଯାଉଛି । କୋଟିଆ ବିକାଶ ମଞ୍ଚର ଆବାହକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି, ଆନ୍ଧ୍ର ପକ୍ଷରୁ କୋଟିଆକୁ ସମ୍ପୂର୍ଣ୍ଣ କବ୍ଜା କରିବା ଲାଗି ଅହରହ ଷଡଯନ୍ତ୍ର ଚାଲୁ ରହିଛି । ଉପରୋକ୍ତ ୩ଟି ଗାଁକୁ ପଞ୍ଚାୟତ ଘୋଷଣା କରି ସେଗୁଡିକର ଠିକଣା ବଦଳାଇ ସାରିଛି । ପୂର୍ବରୁ ଏସବୁ ଗାଁରେ ଆନ୍ଧ୍ର ପକ୍ଷରୁ ସରପଞ୍ଚ ଚୟନ କରାଯାଉଥିଲା । କିନ୍ତୁ ପ୍ରଥମଥର ପାଇଁ ସାଲୁର ମଣ୍ଡଳରେ ଏହି ୩ଟି ଗାଁକୁ ପଞ୍ଚାୟତରେ ସାମିଲ କରାଯାଇ ନିର୍ବାଚନ କରିବାକୁ ଯାଉଛି । ଏମିତିକି ଆନ୍ଧ୍ରର କୁର୍କୁଟି ପଞ୍ଚାୟତରେ କୋଟିଆର ତାଡିବାଲ୍ସା, ଆର୍ଜୁବାଲସା, ଧୂଳିପଦର ଏବଂ ନେରେଡିବାଲ୍ସାକୁ ଆନ୍ଧ୍ର ସାମିଲ କରିସାରିଛି । ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗି କହିଛନ୍ତି, ପୂର୍ବରୁ ଆନ୍ଧ୍ର ତା’ର ପଞ୍ଚାୟତ ନିର୍ବାଚନରେ ଏସବୁ ଗାଁରୁ ୱାର୍ଡମେମ୍ବର, ସମିତି ସଭ୍ୟ ଓ ସରପଞ୍ଚ ଚୟନ କରି ଆସୁଥିଲା । ଚଳିତବର୍ଷ ପଞ୍ଚାୟତ ନିର୍ବାଚନରେ ଆନ୍ଧ୍ର ସିଧାସଳଖ କୋଟିଆ ପଞ୍ଚାୟତର ଏହି ୩ଟି ଗାଁରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ କରିଛି । ଆଗରୁ ଆନ୍ଧ୍ର ସରକାର କୋଟିଆ ପଞ୍ଚାୟତର ୨୧ ଗାଁ ପାଇଁ ୪ଟି ସ୍ଥାନରେ ନାଁକୁ ମାତ୍ର ବୁଥ୍ କରୁଥିଲା । କିନ୍ତୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁନଥିଲା । କେବଳ ରାସ୍ତା ଉପରେ ବୁଥ୍ କରି ଆସୁଥିଲା । ଏବେ ନିର୍ବାଚନ କରି କୋଟିଆକୁ କରାୟତ କରିବା ଲାଗି ବିଧିବଦ୍ଧ ବ୍ୟବସ୍ଥା କରିସାରିଛି ଆନ୍ଧ୍ର । ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ବିରୋଧ କରିବା ଦରକାର ବୋଲି ଶ୍ରୀ ପାଙ୍ଗି କହିଛନ୍ତି । ସୂଚନାଥାଉକି, ପଟ୍ଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତର ୨୮ ଖଣ୍ଡ ଗାଁ ମଧ୍ୟରୁ ୨୧ଖଣ୍ଡ ଗାଁକୁ ଯାଇ ୬୦ ଦଶକରୁ ଆନ୍ଧ୍ର-ଓଡି଼ଶା ବିବାଦ ଲାଗି ରହିଛି । ଏସବୁ ବିବାଦୀୟ ଗାଁର ଭୋଟର କୋରାପୁଟ ଲୋକସଭା ଏବଂ ପଟ୍ଟାଙ୍ଗି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶର ଆର୍କୁ ଲୋକସଭା ଏବଂ ସାଲୁର ବିଧାନସଭା ପ୍ରାର୍ଥୀଙ୍କୁ ମଧ୍ୟ ଭୋଟ ଦେଇ ଆସୁଛନ୍ତି । କାରଣ ସେମାନଙ୍କ ପାଖରେ ଉଭୟ ରାଜ୍ୟର ଭୋଟରକାର୍ଡ ରହିଛି ।
କୋଟିଆର ୩ ଗାଁକୁ କରାୟତ କଲା ଆନ୍ଧ୍ର
|
February 5, 2021 |