କଟକ, ୨୯/୫(ସନ୍ଧାନ ନିୟୁଜ୍): ଭାରତୀୟ ଭୂଖଣ୍ଡକୁ ମୌସୁମୀ ଛୁଇଁଛି । କିନ୍ତୁ ଅବସ୍ଥା ଦୁର୍ବଳ । କେରଳ ଓ କର୍ଣ୍ଣାଟକ ତଟବର୍ତ୍ତୀ ଆରବସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିଛି । ଫଳରେ ଭାରତୀୟ ଉପମହାଦେଶରେ ମୌସୁମୀ ପ୍ରବାହ ଆରମ୍ଭ ହୋଇଛି । ଆଜି କର୍ଣ୍ଣାଟକରେ ବର୍ଷା ହୋଇଥିବାବେଳେ କେରଳରେ ସେତେଟା ବର୍ଷା ନାହିଁ । ଆରବସାଗରରେ ସୃଷ୍ଟ ଲଘୁଚାପ ଉତ୍ତରାଭିମୁଖା ଥିବାରୁ ଆଗାମୀ ଦିନରେ କେରଳ, କର୍ଣ୍ଣାଟକ, ଲାକ୍ଷାଦୀପ, ତାମିଲନାଡ଼ୁ, ପୁଡ଼ୁଚେରୀ, ଆଣ୍ଡମାନ ଓ ନିକୋବର ଦୀପପୁଞ୍ଜରେ ବର୍ଷା ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । ଚଳିତ ବର୍ଷ ଦେଶରେ ହାରାହାରି ୯୭% ବୃଷ୍ଟିପାତ ହେବ ବୋଲି ବିଭାଗ ପକ୍ଷରୁ ଆବଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ରଜ ସୁଦ୍ଧା ମୌସୁମୀ ପ୍ରବେଶ କରିବ ବୋଲି ଆଶା କରାଯାଉଛି । ଉଲ୍ଲେଖନୀୟ ଯେ, ୨୦୧୧ ମସିହାରେ ମୌସୁମୀ ମେ ମାସ ୨୯ ତାରିଖରେ ଭାରତ ସ୍ପର୍ଶ କରିଥିବାବେଳେ ଗତବର୍ଷ ମେ’ ୩୦ ତାରିଖରେ ଭାରତ ଛୁଇଁଥିଲା ।