କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Spread the love

ଅନୁଗୁଳ ,୩/୧୨ (ସଂଧାନ ନିୟୁଜ/ଅଜିତ କୁମାର ବେହେରା): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ତାଳଚେର ଗସ୍ତରେ ଆସି କିଶୋର କ୍ଲବରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଏବଂ କୋଲିୟରୀ ହାଇସ୍କୁଲ,ଡେରାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦଯାପନୀ ଉତ୍ସବରେ ଯୋଗଦାନ କରିଥିଲେ । ସର୍ବପ୍ରଥମେ ମନ୍ତ୍ରୀ ତାଳଚେର କିଶୋର କ୍ଲବ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦାନ କରିବା ଅବସରରେ ବହୁ ଦଳୀୟ କାର୍ଯ୍ୟକର୍ତା ଏବଂ ସମର୍ଥକମାନେ ତାଙ୍କୁ ତାଳଚେର ଫାଷ୍ଟଗେଟ ନିକଟରୁ ସଭାସ୍ଥଳୀ ପର୍ଯ୍ୟନ୍ତ ଏକ ବିରାଟ ପଟୁଆରରେ ପାଛୋଟି ନେଇଥିଲେ । ସେଠାରେ ମନ୍ତ୍ରୀ ଓଏନଜିସି ଦ୍ୱାରା ନିର୍ମାଣ ହେବାକୁ ଥିବା ଗୋଷ୍ଠୀ କେନ୍ଦ୍ର ନିମନ୍ତେ ଭୂମିପୂଜନ କରିଥିଲେ । ସେହିପରି ଏମ୍.ସି.ଏଲ ସହଯୋଗରେ ନିର୍ମିତ ଲାଇବ୍ରେରୀକୁ ଉଦଘାଟନ କରିଥିଲେ । ସେହିପରି ତାଳଚେର ରାଜ ଦରବାରର ମୁଖଶାଳା,ସିଂହଦ୍ୱାର,ଫାଷ୍ଟଗେଟ,ଘୋଡ଼ାଶାଳ ଆଦିର ପୁନରୁଦ୍ଧାର ନିମନ୍ତେ ଏମ୍.ସି.ଏଲ ଏବଂ ଓଏନଜିସି ସହଯୋଗର ହାତ ବଢ଼ାଇବେ ବୋଲି ପ୍ରକାଶ କରିଥିଲେ । ଏହାପରେ ଆୟୋଜିତ ସାଧାରଣ ସଭାରେ ମନ୍ତ୍ରୀ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ତାଳଚେର ସମେତ ସମଗ୍ର ଅନୁଗୋଳ ଜିଲ୍ଲାରେ ଖଣିଜ ପାଣ୍ଠିର ସୁବିନିଯୋଗ କରାନଯିବା,ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତରଙ୍କ ଅଭାବ,ସ୍ଥାନୀୟ ଅଂଚଳରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ନିମନ୍ତେ ପ୍ରଶାସନ ଜମି ପ୍ରଦାନ ନକରିବା ଆଦି ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସେହିପରି ଏନ୍.ଟି.ପି.ସି.ର ପ୍ରସ୍ତାବିତ ୧୦ହଜାର ଟଙ୍କା ବ୍ୟୟରେ ତାଳଚେର ଥର୍ମାଲର ସମ୍ପ୍ରସାରଣ କାର୍ଯ୍ୟକୁ ରାଜ୍ୟ ସରକାର ଅନୁମତି ନଦେବା,ଏମ୍.ସି.ଏଲ ଦ୍ୱାରା ନିର୍ମିତ ତାଳଚେର ମେଡ଼ିକାଲ କଲେଜକୁ କାର୍ଯ୍ୟକ୍ଷମ ନିମନ୍ତେ ରାଜ୍ୟ ସରକାର ଏମ୍.ସି.ଆଇ.କୁ ଆବେଦନ ନକରିବା ନେଇ ଶ୍ରୀଯୁକ୍ତ ପ୍ରଧାନ ତୀବ୍ର ଅସନ୍ତୋଷ ଜାହିର କରିଥିଲେ । ଏହି ଅବସରରେ ସେ ନୂତନ ତାଳଚେର,ନୂତନ ଅନୁଗୋଳ ତଥା ନୂଆ ଓଡ଼ିଶା ଗଠନ କରିବାକୁ ଆହ୍ୱାନ କରିବାସହ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । କିଶୋର କ୍ଲବର ସ୍ଥାୟୀ ସଭାପତି ତଥା ତାଳଚେର ରାଜାସାହେବ ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ,ଏମ୍.ସି.ଏଲ.ର ଡାଇରେକ୍ଟର ପର୍ସନାଲ ଏଲ.ଏନ୍.ମିଶ୍ରା, ଡାଇରେକ୍ଟର ଟେକ୍ନିକାଲ ଜେ.ପି.ସିଂ,କ୍ଲବର କାର୍ଯ୍ୟକର୍ତା ଦୀପକ ଥମ୍ବ,ପ୍ରକାଶ ମହାରଣା,ପେସ୍କାର ଗଡ଼ନାୟକ,ତାଳଚେର ଓକିଲ ସଂଘ ସଭାପତି ଦୟାସାଗର ମିଶ୍ର ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତା ଏବଂ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।

ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡେରା କୋଲିୟରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୂଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀଯୁକ୍ତ ପ୍ରଧାନ ସୁବର୍ଣ୍ଣ ଜୟନ୍ତୀ ଅବସରରେ ସମସ୍ତ ପୁରାତନ ଛାତ୍ର, ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟୟନରତ ଛାତ୍ରଛାତ୍ରୀ,ବିଦ୍ୟାଳୟ କର୍ତୃପକ୍ଷ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ସେ ନିଜକୁ ଉକ୍ତ ହାଇସ୍କୁଲର ଏକ ଅଂଶବିଶେଷଭାବେ ବିବେଚନା କରି୧୯୮୩ ମସିହାରେ ଉକ୍ତ ସ୍କୁଲରେ ମାଟ୍ରିକ ପରୀକ୍ଷାର ସେଂଟର ପଡ଼ିଥିବାରୁ ସେ ସେଠାରୁ ପରୀକ୍ଷା ଦେଇଥିବାର ପ୍ରକାଶ କରିଥିଲେ । ଅଂଚଳବାସୀଙ୍କ ଦୀର୍ଘ ଦିନର ଦାବୀ ଗୋପାଳପ୍ରସାଦ ମା ହିଙ୍ଗୁଳା ପୀଠରୁ ଡେରା ପର୍ଯ୍ୟନ୍ତ ଏକ ଉଜ୍ଜ୍ୱଳମୟ ସର୍ବସାଧାରଣ ରାସ୍ତା ନିର୍ମାଣ କରିବାକୁ ଏମ୍.ସି.ଏଲ ସମ୍ମତି ପ୍ରକାଶ କରିଥିବା ଏବଂ ତାଳଚେର ଷ୍ଟେସନଠାରୁ ଅନୁଗୋଳ ଷ୍ଟେସନ ପର୍ଯ୍ୟନ୍ତ କୋଲିୟରୀ ଦେଇ ଏକ ଲୁପ୍ ଲାଇନ୍ ନିର୍ମାଣ ପାଇଁ ଏକ ଉଚ୍ଚସ୍ତରୀୟ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଆଗାମୀ ୧ବର୍ଷ ମଧ୍ୟରେ ଡେରା କୋଲିୟରୀ ହାଇସ୍କୁଲର ନୂତନ ବିଲ୍ଟିଂ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସେ ପ୍ରକାଶ କରିଥିଲେ । ୧୯୬୬ ମସିହାରେ କୋଇଲାଖଣିର ଶ୍ରମିକମାନେ ନିଜ ଏରିୟର ଟଙ୍କାରେ ଏହି ସ୍କୁଲକୁ ଆରମ୍ଭ କରିଥିବାବେଳେ ଏଠାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇ ବିଭିନ୍ନ ଉଚ୍ଚ ପଦପଦବୀରେ ଦେଶବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି,ଯାହାକି ଏକ ଗୈାରବର କଥା ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ମୂଖ୍ୟବକ୍ତାଭାବେ ରାଜ୍ୟର ପୂର୍ବତନ ଡିଜି ଶରତ ଚନ୍ଦ୍ର ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ପୁରାତନ ଛାତ୍ର ସଂସଦର ସଭାପତି ଶଙ୍କର ପ୍ରସାଦ ବେହେରା,ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ବାରିକ,ଛାତ୍ର ସଂସଦର ଅନ୍ୟାନ୍ୟ କାର୍ଯ୍ୟକର୍ତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ସଫଳ କରିଥିଲେ । ଏହି ଅବସରରେ ପୁରାତନ ଶିକ୍ଷକ,ଶିକ୍ଷୟତ୍ରୀଙ୍କୁ ମୂଖ୍ୟ ଅତିଥି ପୁଷ୍ପଗୁଚ୍ଛ,ଉତରୀୟ ଏବଂ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ପରିଶେଷରେ ବଲିଉଡ଼ ଏବଂ ଆଲବମ୍ ଦୁନିଆର ବହୁ ନାମିଦାମୀ କଳାକାରମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Related Posts

About The Author

Add Comment