କେନ୍ଦୁଝର, ୨୩/୪ (ସନ୍ଧାନ ନିୟୁଜ) ଆଜି କେନ୍ଦୁଝର ଜିଲ୍ଲାରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାଟଡିହି ବ୍ଲକରେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଛି। ସନ୍ଧ୍ୟା ୬ଟା ସୁଧା ଶତକଡା ୬୮ ଭାଗ ମତଦାନ ହୋଇଥିବା ଜଣାଯାଇଛି। ଆଜି ସକାଳେ ବ୍ଲକର ୧୬୮ଟି ଭୋଟ ଗ୍ରହଣକେନ୍ଦ୍ର ମଧ୍ୟରୁ ୬୦ରୁ ଉର୍ଦ୍ଧ ଭୋଟ ଗ୍ରହଣ କେନ୍ଦ୍ରରେ ଇଭିଏମ ମେସିନ୍ ଚଳାଇବାରେ ଅପରାଗତା ଯୋଗୁଁ ମତଦାନ ବିଳମ୍ବ ଘଟିଥିଲା। ଯାହାକୁ ନେଇ ସବୁଆଡେ ଅସନ୍ତୋଷ ଦେଖା ଦେଇଥିଲା। ଶାସଙ୍ଗର ୧୩୯ନଂ ବୁଥରେ ମତଦାନ ଅଧଘଣ୍ଟା ବିଳମ୍ବ ଘଟିଥିବାବେଳେ ବଞ୍ଚୋର ୧୨୫ ଓ ୧୨୬ନଂ ବୁଥରେ ୪୫ମିନିଟି ବିଳମ୍ବ ଘଟିଥିଲା। ସେହିପରି ଆଇତିପୁରର ୨୮୯ନଂ ବୁଥରେ ଏକ ଘଣ୍ଟା ୪୫ମିନିଟ ବିଳମ୍ବ ଘଟିଥିବାବେଳେ ଅଁରାର ୨୪୯ ଓ ୨୫୦ନଂ ବୁଥରେ ଘଣ୍ଟାଏ ପର୍ଯ୍ୟନ୍ତ ଇଭିଏଏମ ମେସିନ୍ ଖୋଲାଯାଇପାରି ନଥିଲା।, ବାଲିବରେଇର ୨୧୯ନଂ ବୁଥରେ ଦୁଇଘଣ୍ଟା ସେହିପରି ରାଇଘାଟିର ୧୯୭ନଂ ବୁଥରେ ଦୁଇଘଣ୍ଟା ବିଳମ୍ବ ଘଟିଥିବାବେଳେ ନନ୍ଦିପଦା, ଓରାଳିର ୨୪୪ ଓ ୨୪୫ନଂ ବୁଥରେ ମତଦାନ ଆରମ୍ଭରେ ବହୁ ବିଳମ୍ବ ଘଟିଥିଲା। ରାଘବପୁରର ୨୯୦ନଂ ବୁଥରେ ହାତକୁ ଦବାଇଲେ ହାତୀକୁ ଭୋଟ ଯାଉଥିବା ଅଭିଯୋଗ କରିଥିଲେ। ଫଳରେ ସେଠାରେ ଦୁଇଘଣ୍ଟା କାଳ ଭୋଟ ଗ୍ରହଣ ହୋଇପାରି ନଥିଲା। ପରବର୍ତ୍ତୀ ସମୟରେ ମେସିନ୍ ପରିବର୍ତ୍ତନ କରାଯାଇ ଭୋଟ ଗ୍ରହଣ କରାଯାଇଥିଲା। ହଦଗଡର ୨୦୦ନଂ ବୁଥ, ସିଙ୍ଗଡୋବର ୧୨୩ନଂ ବୁଥରେ ଭୋଟ ଗ୍ରହଣ ଚାଲିଥିବାବେଳେ ମେସିନ୍ ଖରାପ ଯୋଗୁଁ କିଛିସମୟ ପର୍ଯ୍ୟନ୍ତ ମତଦାନ ବନ୍ଦ ହୋଇଯାଇଥିଲା। କାହାଳିଆ ଗଡିଆର ୨୧୪ ନଂ ବୁଥରେ ଦିନ ୧୧ଟାବେଳେ ମେସିନ୍ ଖରାପ ହୋଇପଡିବାରୁ ବହୁ ଭୋଟର ଭୋଟ ନଦେଇ ଫେରିଯାଇଥିଲେ। ସେହିପରି ଆମ୍ବୋର ଏକ ବୁଥରେ ଦୀର୍ଘ ଦୁଇଘଣ୍ଟା ଧରି ଭିଭିପାଟ ମେସିନ୍ ଖରାପ ହୋଇଯିବାରୁ ଦିନ ଗୋଟାଏରୁ ଦିନ ୩ଟାପର୍ଯ୍ୟନ୍ତ ଭୋଟଗ୍ରହଣ ବନ୍ଦ ହୋଇଯାଇଥିଲା। ପରେ ଅନ୍ୟଏକ ମେସିନ୍ ଅଣାଯିବାପରେ ମତଦାନ ଆରମ୍ଭ ହୋଇଥିଲା। ସେହିପରି ବଞ୍ଚୋର ୧୨୬ନଂ ବୁଥରେ ଘଣ୍ଟାଏ କାଳ ମେସିନ୍ ଖରାପ ଯୋଗୁଁ ବନ୍ଦ ହୋଇଥିଲା। ସେହିପରି ସଢ଼ାର ୨୩୫ନଂ ବୁଥରେ ମତଦାନ ବେଳେ ପ୍ରିଜାଇଡିଂ ଅଫିସର ଜଣେ ବିଜେଡି ଏଜେଣ୍ଟକୁ ବାହାରକୁ ବାହାର କରିଦେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ହେବାପରେ ସୋସୋ ପୁଲିସ ଘଣ୍ଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ସେହିପରି ଗୋପାଳପୁର ବୁଥରେ ଧାଡିରେ ଯାଇ ଭୋଟ ଦେବାକୁ କେନ୍ଦ୍ରକରି ଚୋର ଗଡିଆ ଓ ବଡତୀରା ଗ୍ରାମର କିଛି ଯୁବକଙ୍କ ମଧ୍ୟରେ ହାତାହାତି ହୋଇଥିବାବେଳେ ନନ୍ଦିପଦା ପୁଲିସ ପହଞ୍ଚି ପରିସ୍ଥତି ନିୟନ୍ତ୍ରଣ କରିଥିଲା। ସେହିପରି ନୁଆକରି ଭୋଟ ଦେଉଥବବା ଭୋଟରଙ୍କ ମଧ୍ୟରେ ଭୋଟ ଦେବାକୁ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।
କେନ୍ଦୁଝର: ୬୦ରୁ ଉର୍ଦ୍ଧ ବୁଥରେ ମେସିନର ବ୍ୟବହାର ହୋଇନପାରିବାରୁ ବିଳମ୍ବ, ଆମ୍ବୋରେ ଭିଭିପାଟ ମେସିନ୍ ଅଚଳ ଯୋଗୁଁ ୨ଘଣ୍ଟା ମତଦାନ ବନ୍ଦ
|
April 23, 2019 |