କିସ୍ ଛାତ୍ର ହତ୍ୟା ମାମଲା: ଜେଲ୍ ଗଲେ ୮ ଅଭିଯୁକ୍ତ, ସୁଧାର ଗୃହରେ ୩ ଛାତ୍ର

Spread the love

ଭୁବନେଶ୍ୱର  ୧୮/୧୨/୨୫  (ସନ୍ଧାନ ନ୍ୟୁଜ )  : ରାଜ୍ୟର ପ୍ରତିଷ୍ଠିତ ଘରୋଇ ବିଦ୍ୟାଳୟ କିସରେ ନବମ ଶ୍ରେଣୀ ଛାତ୍ରକୁ ହତ୍ୟା ମାମଲାରେ ଗିରଫ ହୋଇଥିବା ୮ ଜଣ କର୍ମଚାରୀଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଏହା ସହିତ ହତ୍ୟାରେ ସମ୍ପୃକ୍ତ ୩ ଛାତ୍ର ନାବାଳାକ ହୋଇଥିବାରୁ ସୁଧାର ଗୃହକୁ ପଠାଇ ଦିଆଯାଇଛି ।  କିସ୍ ଛାତ୍ର ଶିବ ମୁଣ୍ଡାଙ୍କ ହତ୍ୟା ମାମଲାରେ ଇନଫୋସିଟି ଥାନା ପୋଲିସ ଗତକାଲି 8 ଜଣଙ୍କୁ ଗିରଫ କରିଥିଲା । ସେମାନେ ଅତିରିକ୍ତ ସିଇଓ ପ୍ରମୋଦ କୁମାର ପାତ୍ର, ଶିକ୍ଷକ ବିନୟ କୁମାର ଗୋଛି, ସିନିଅର୍ ଏକାଡେମିକ୍ କୋର୍ଡିନେଟର୍ ପ୍ରସନ୍ନ କୁମାର ମଲ୍ଲ, ଶିକ୍ଷକ ପ୍ରଦୀପ କୁମାର ଦାସ, କିସ୍ ସେକେଣ୍ଡାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ନାୟକ, ଛାତ୍ରାବାସର ଫିଲ୍ଡ ଅଫିସର ହେମନ୍ତ କୁମାର ମହାପାତ୍ର, ସୁପରଭାଇଜର୍ ଶୁଭକାନ୍ତ ବେହେରା ଓ ସହକାରୀ ଶିକ୍ଷୟତ୍ରୀ ସୁଜାତା ମିଶ୍ର । ଏମାନଙ୍କୁ ଭୁବନେଶ୍ୱର ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପରିବାରକୁ ମିଥ୍ୟା ମୃତ୍ୟୁ ରିପୋର୍ଟ ଦେବା ମାମଲାରେ ୭ ଜଣ ଡାକ୍ତରଙ୍କୁ ମଧ୍ୟ ଇନଫୋସିଟି ଥାନା ପୋଲିସ ଘନ ଘନ ଜେରା କରୁଛି ।  କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଘୁଝୁରାର ଟିକରଗୁମୁରା ଗ୍ରାମର ରଘୁନାଥ ମୁଣ୍ଡାଙ୍କ ପୁଅ ଶିବ ମୁଣ୍ଡା (୧୪) କିସ୍ ବିଦ୍ୟାଳୟରେ ପଢ଼ୁଥିଲେ । ଗତ ୧୨ ତାରିଖରେ ପରିବାର ଲୋକଙ୍କୁ ଫୋନ୍ ଯାଇଥିଲା ଯେ ଶିବ ଅସୁସ୍ଥ ଅଛନ୍ତି । ଝାଡ଼ା ବାନ୍ତି ହେଉଥିଲା, ପାଇଖାନାକୁ ଯାଇଥିବାବେଳେ ପଡ଼ି ଯାଇଥିଲା । ତାକୁ ତୁରନ୍ତ କିମ୍ସ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ବୋଲି କୁହାଯାଇଥିଲା । ପରିବାର ଲୋକ କିମ୍ସରେ ପହଁଚିବା ପରେ ପୁଅକୁ ମୃତ ଘୋଷଣା କରିଥିଲେ ଡାକ୍ତର । ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା କିମ୍ସ ଡାକ୍ତର କହିଥିଲେ । ବିନା ଶବ ବ୍ୟବଚ୍ଛେଦ ଏବଂ ବିନା ଏତଲାରେ ତରବରିଆଭାବେ ଛାତ୍ରର ମୃତ ଦେହକୁ ବାପାଙ୍କୁ ଦେଇ କେନ୍ଦୁଝର ପଠାଇ ଦେଇଥିଲେ । ବେକରେ କିଛି ଦାଗ ଥିବାରୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଜିରୋ ଏଫଆଇଆରରେ କେନ୍ଦୁଝର ଟାଉନ ଥାନା ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହା ସହିତ ସ୍ଥାନୀୟ ଇନଫୋସିଟି ଥାନକୁ ଅବଗତ କରାଇଥିଲା । ଇନଫୋସିଟି ପୋଲିସ ଘଟଣାର ତଦନ୍ତ କରିବା ପରେ ଏହା ଆକସ୍ମିକ ମୃତ୍ୟୁ ନୁହେଁ ବରଂ ହତ୍ୟା ବୋଲି ସ୍ପଷ୍ଟ ହୋଇଥିଲା ।  ଜୋକର୍ ଗ୍ୟାଙ୍ଗ୍ କରି ତିନି ଜଣ ଛାତ୍ର ଶିବଙ୍କ ସହିତ ଝଗଡ଼ା କରିବା ସହିତ ପାଇଖାନାରେ ତଣ୍ଟି ଚିପି ହତ୍ୟା କରିଥିଲେ । ଏପରିକି ଘଟଣାକୁ କାହା ଆଗରେ ପ୍ରଘଟ ନ କରିବାକୁ ବିଦ୍ୟାଳୟର କର୍ମଚାରୀମାନେ ଛାତ୍ରମାନଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ ।

Related Posts

About The Author

Add Comment