ଭଦ୍ରକ,୧୫/୧୧ (ସନ୍ଧାନ ନିୟୁଜ) ବର୍ଷକ ଦାନା ଗଲା । ଚାଷ ପାଇଁ କିଏ ସରକାରୀ ହେଉ ଅଥବା ବେସରକାରୀ ବ୍ୟାଙ୍କରୁ ଋଣ ଆଣିଥିବା ସହ ଆଉ କେତେକ ଗାଁ ମହାଜନ ଠାରୁ କରଜ ଆଣି ଧାନ ଚାଷ ଓ ପରିବା ଚାଷ କରିଥିଲେ । ଏବେ ପଡିଲା ଚଡକ । ଦାଉ ସାଧୁଛି ବାତ୍ୟା । ମହାଜନର କରାଳ ସାଥିକୁ ପରିବାରର ତେଲ ଲୁଣର ଜଞ୍ଜାଳ । ଭାଗଚାଷ ପାଇଁ ଋଣ କରି ଆଶା କରିଥିଲେ ଅମଳ ଫସଲକୁ ବିକି ପରିଶୋଧ କରିବା ସହ ବର୍ଷକ ଦାନା ଯୋଗାଡ ହୋଇଯିବ । ସବୁଆଶା ଆଶାରେ ରହିଗଲା । ତେଣେ ଜମିର ମାଲିକ ଚାଷକୁ ନେଇ ଆସୁଥିବା ସରକାରୀ ସହାୟତାକୁ ଝାମ୍ପି ନେବା ପାଇଁ କସରତ କରୁଛି । ଏମିତି ଦୋଛକିରେ ଥିବା ଭାଗଚାଷୀ ଭାଗ୍ୟ କୁଆଡେ ? ପ୍ରତିବର୍ଷ ପରି ଚାଷୀ ଆତ୍ମହତ୍ୟା ଚଳିତବର୍ଷ ଉଗ୍ରରୁପ ନେବନିତ !
କୃଷକମାନଙ୍କ କଲ୍ୟାଣ ପାଇଁ ଉଦିଷ୍ଟ କାଳିଆ ଯୋଜନାକୁ ହାତେଇବା ପରେ ବୁଲବୁଲ ସହାୟତାକୁ ହାତେଇବା ପାଇଁ ଏବେ ଲମ୍ବା ଲାଇନ ଲାଗିଛି । ଯାହାଫଳରେ ପକୃତ ଚାଷୀ ଏହି ସହାୟତାରୁ ବଂଚିତ ହେବା ଏବେଠୁ ଜଳଜଳ ହୋଇ ଦେଖାଗଲାଣି । ଏମିତିବି ଭାଗଚାଷୀ ବାତ୍ୟା ବୁଲବୁଲ ପାଇଁ ନାହିଁନଥିବା ଅସରନ୍ତି ଦୁଃଖରେ ମନମାରି ବସିଥିବା ବେଳେ ଆର୍ଥୀକ ମେରୁଦଣ୍ଡ ଭାଙ୍ଗିଯାଇଛି । ତେଣେ ଜମିମାଲିକ ନିଜ ନାମରେ ବୁଲବୁଲ ସହାୟତା ହାତେଇବା ପାଇଁ ଜୋରସୋର ଉଦ୍ୟମ କଲେଣି । ଅପରପକ୍ଷରେ ଭାଗଚାଷୀ ଆଇନକୁ ନେଇ ସରକାର ଟାଳଟୁଳନିତୀ ଅବଲମ୍ବନ କରୁଥିବା ବେଳେ ଏହାର ଫାଇଦା ଉଠାଇବାକୁ ଜମିର ମାଲିକମାନେ ମେଳି ହେଲେଣି । ଫଳରେ ପ୍ରଶାସନିକ ଅଧିକାରୀଙ୍କ ହାତରେ କିଛି କରିବାର ନାହିଁ ପରି କଥା ଶୁଣାଯାଉଛି । ତେବେ କାଳିଆ ଯୋଜନାରେ ଅଯୋଗ୍ୟ ଠାରୁ ବାତ୍ୟା ବୁଲବୁଲରେ ହୀତାଧିକାରୀ ଚୟନ ପରେ ଆଉ ଏକ ଅଡୁଆ ସୁତାରେ ଛନ୍ଦି ହେବାକୁ ଯାଉଛନ୍ତି ରାଜ୍ୟ ସରକାର । ତେଣେ ବାତ୍ୟା ସହାୟତା ପାଇଁ ହାତରେ କମ ସମୟ ଥିବାରୁ କ୍ଷେତ୍ର ପରିଦର୍ଶନ କରି ହୀତାଧିକାରୀ ଚୟନ କରିବା ସମ୍ଭବପର ହୋଇପାରୁନି । କ୍ଷେତ୍ର ପରିଦର୍ଶନ ହେଲେ ପ୍ରକୃତ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣ ଚର୍ଚ୍ଚା ଚାଲିଛି । ତେବେ ବାତ୍ୟା ବୁଲବୁଲରେ ସମଗ୍ର ଭଦ୍ରକ ଜିଲ୍ଲାର ଧାନଚାଷ, ପନିପରିବା ଚାଷ ଉଜୁଡି ଯାଇଥିବା ବେଳେ କୁମ୍ଭୀର କାନ୍ଦଣା ଆଉ କେତେଦିନ ବୋଲି କୃଷକ ମୋର୍ଚ୍ଚା ସରକାରଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି ।
Report- R Nayak