ରସୁଲପୁର, (ସନ୍ଧାନ ନିଉଜ) ଆଜି ଠାରୁ ନିଖିଳ ଉତ୍କଳ ଗ୍ରାମ ପଂଚାୟତସ୍ତରୀୟ ସଂଘର ଆନ୍ଦୋଳନ ଡାକରାରେ ସାମିଲ ହୋଇଛି ରସୁଲପୁର ପିଇଓ ସଂଘ । ସଂଘର କର୍ମକର୍ତ୍ତା ମାନେ ଆଜି ରସୁଲପୁର ବ୍ଲକ ପିଇଓ ସଂଘର ସଭାପତି ସୁଧିର କୁମାର ମହାନ୍ତିଙ୍କ ନେତୃତ୍ୱରେ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିଛନ୍ତି । ସେମାନଙ୍କ କହିବା ମୁତାବକ ଜନ୍ମଠାରୁ ମୃତ୍ୟୁ ପ୍ରର୍ଯ୍ୟନ୍ତ ଗ୍ରାମପଂଚାୟତରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟରେ ସେମାନେ କାର୍ଯ୍ୟ କରିଆସୁଛନ୍ତି କିନ୍ତୁ ସରକାର ସେମାନଙ୍କ ପ୍ରତି ଚରମ ଅବହେଳା କରିଛନ୍ତି । ଏପରକି ପଂଚାୟତରେ ଭତ୍ତା ବଂଟନ, ରାସ୍ତାଘାଟ ନିର୍ମାଣ, ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ, ଏସ.ଏସ.ଜି ମହିଳାଙ୍କ ପାଇଁ ବିକାଶ ମୂଳକ କାର୍ଯ୍ୟ, ପଂଚାୟତର ଆୟବ୍ୟୟ ହିସାବ ରଖିବା,ମନେରେଗା ଯୋଜନାକୁ କାର୍ଯ୍ୟକାରୀ କରିବା, କେନ୍ଦ୍ରୀୟ ଅର୍ଥ କମିଶନର ଅର୍ଥରାଶି ଏବଂ ରାଜ୍ୟ ଅର୍ଥ କମିଶନର ଅର୍ଥରାଶିର ସୁ ପରିଚାଳନା କରିବା, ବିଭିନ୍ନ ବିଦ୍ୟାଳୟ ମାନଙ୍କର ଉନ୍ନତି କରିବା, ଗ୍ରାମସଭା ଏବଂ ପଲ୍ଲୀସଭା କରାଇବା, ପଂଚାୟତରେ କ୍ରୀଡାର ବିକାଶ କରାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନ କରିବା, ପାନୀୟ ଜଳ ଯୋଗାଇବା ଆଦି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ସର୍ବଦା ଲିପ୍ତ ରହୁଛନ୍ତି ।
ମାତ୍ର ସରକାରଙ୍କ ପାଖରେ ସେମାନଙ୍କୁ ଶିକ୍ଷାଗତ ଯୋଗ୍ୟାତ ପରିବର୍ତ୍ତନ କରିବା, ପେ ସ୍କେଲ ୫ରୁ ୯କୁ ବୃଦ୍ଧି କରିବା, ସେମାନଙ୍କୁ ଶତ ପ୍ରତିଶତ ପ୍ରମୋଶନ କରିବା, ସରକାରୀ ନିୟମ ମୁତାବକ କ୍ୟାଡରରେ ଅନ୍ତଭୁକ୍ତ କରିବା ଆଦି ଦାବି ଗୁଡିକ ବହୁଦିନ ଧରି ଦାବି କରାଯାଇଥିଲେ ସୁଧା ତାହା ଏପ୍ରର୍ଯ୍ୟନ୍ତ ପୂରଣ କରାଯାଇନାହିଁ । ପୂର୍ବରୁ ସରକାର ଏହାକୁ ପୂରଣ କରିବାର ପ୍ରତିଶୃତି ଦେଇ ସଂଘର ଆନ୍ଦୋଳନକୁ ବନ୍ଦ କରାଇଦେଇଥିଲେ । ଏହାକୁ ପୂରଣ ନକରିଥିବାରୁ ବାଧ୍ୟ ହୋଇ ପୁଣି ଥରେ ସଂଘ ଆନ୍ଦୋଳନକୁ ଓଲ୍ଲାଇଛି । ଆଜି ଠାରୁ ୧୭ତାରିଖ ପ୍ରର୍ଯ୍ୟନ୍ତ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିବା ସହିତ ୧୮ତାରିଖରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ଯଦିଓ ସରକାରଙ୍କ ସଂଘର ରାଜ୍ୟ ସ୍ତରୀୟ ନେତୃତ ମାନଙ୍କ ସହିତ ଅଲୋଚନା କରିଛନ୍ତି ତାହା ଉପରେ ପୁଣି ଅଧିକ ଆଲୋଚନା ହେବ ବୋଲି କୁହାଯାଇଛି ।
ଯଦି ସରକାର ଦାବି ଗୁଡିକ ନଶୁଣନ୍ତି ତେବେ ଆନ୍ଦୋଳନ ତ୍ରୀବ ହେବ ବୋଲି ରାଜ୍ୟ ସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ଆଜି କଳା ବ୍ୟାଚ୍ ପ୍ରତିବାଦରେ ସଂଘର ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ସମ୍ପାଦକ ଅକ୍ଷୟ କୁମାର ସାମଲ, କୋଷାଧ୍ୟକ୍ଷ ସସ୍ମିତା ମଲିକ, ପ୍ରଫୁଲ୍ଲ କୁମାର ନାଥ, ନିକୁଞ୍ଜ ବିହାରୀ ରାଉତ, ନିରଞ୍ଜନ ବଳ, ରମେଶ ଚନ୍ଦ୍ର ରଣା, ସତ୍ୟଜିତ୍ ରାଉତ, ପ୍ରଫୁଲ୍ଲ କୁମାର ଜେନା, ଅଭିମନ୍ୟୁ ବିଶ୍ୱାଳ, ଭଦ୍ରଶୀଳା ଦେଓ, ଦେବପ୍ରସାଦ ଧଳ, ସନ୍ତୋଷ କୁମାର ମିଶ୍ର, ଶତ୍ରୁଘ୍ନ ଜେନା, ଅନିଲ କୁମାର ଅଙ୍ଗରାଇ, ତିଳୋତମା ସାହୁ ପ୍ରମୁଖ ସାମିଲ ହୋଇଥିଲେ ।