ବାରିପଦା,୧୧/୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ମୟୁରଭଞ୍ଜ ଜିଲ୍ଲାର ୨୬ଟି ପଞ୍ଚାୟତ ରହିଛି । ପଞ୍ଚାୟତର ରାଜସ୍ବ ବୃଦ୍ଧି କରିବା ପାଇଁ ବିଭାଗ ପକ୍ଷରୁ କଲ୍ୟାଣମଣ୍ଡପ ନିର୍ମାଣ ଯୋଜନା କରାଯାଇଛି । ହେଲେ ଏହି ଯୋଜନା ଜିଲ୍ଲାରେ ଦିଗହରା ହୋଇ ପଡିଥିବା ଦେଖିବାକୁ ମିଳିଛି । ଜିଲ୍ଲାର ୮୫ ପଞ୍ଚାୟତର କଲ୍ୟାଣମଣ୍ଡପ ନିର୍ମାଣ ଲାଗି ରାଜ୍ୟ ଅର୍ଥ କମିଶନ ଟଙ୍କା ମଞ୍ଜୁର କରିଛନ୍ତି । ୨୦୨୫-୧୬ ଆର୍ଥିକ ବର୍ଷରୁ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ୮୫ଟିରୁ ମାତ୍ର ୨୦ଟି କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ ହୋଇଛି । ୪୫ଟି କାର୍ଯ୍ୟ ନିର୍ମାଣଧିନ ରହିଥିବା ବେଳେ ୨୦ଟିର ଶିଳାନ୍ୟାସ ମଧ୍ୟ ବର୍ତ୍ତମାନ ସୁଦ୍ଧା ହୋଇନାହିଁ । କେଉଁଠି ସ୍ଥାନ ଚିହ୍ନଟ ହୋଇ ନପାରିବା, ଜମିବାଡ଼ି ବିବାଦ ତ ଆଉ କେଉଁଠି ଅଧା କାମ କରି ଠିକାଦାର ପଳାଇ ଯାଇଥିବାରୁ କଲ୍ୟାଣମଣ୍ଡପ ଅସମ୍ପୂର୍ଣ୍ଣ ହୋଇ ରହିଛି । ୧୨ଟି ବ୍ଲକର ବିଭିନ୍ନ ପଞ୍ଚାୟତରେ କିଛି କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୪ଟି ବ୍ଲକରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ ସୋଇପାରିନାହିଁ । ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ବାରିପଦା ବ୍ଲକ ଅଧୀନ ୮ଟି ପଞ୍ଚାୟତରେ କଲ୍ୟାଣମଣ୍ଡପ ପାଇଁ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ସେଥିରୁ ୫ଟି ସମ୍ପୂର୍ଣ୍ଣ ହୋଇଛି । ସେହିଭଳି ବେତନଟୀ ବ୍ଲକର ୪ଟି ପଞ୍ଚାୟତରୁ ୧ଟି ସମ୍ପୂର୍ଣ୍ଣ , ବାଙ୍ଗିରିପୋଷି ବ୍ଲକ ୨ଟିରୁ ୧ଟି , କୁଳିଅଣାରେ ୩ଟିରୁ ୧ଟି,ମୋରଡାରେ ୭ଟିରୁ ୩ଟି, ସାରସକଣାରେ ୨ଟିରୁ ୧ଟି , ଶ୍ୟାମାଖୁଣ୍ଟାରେ ୮ଟିରୁ ୩ଟି , ଖୁଣ୍ଟାରେ ୨ଟିରୁ ୧ଟି , କପ୍ତିପଦାରେ ୪ଟିରୁ ୧ଟି , ଜାମଦାରେ ୩ଟିରୁ ୧ଟି ରରୁଆରେ ୨ଟିରୁ ୧ଟି ସମ୍ପୂର୍ଣ୍ଣ ହୋଇଛି । ବଡସାହି ବ୍ଳକର ୩ଟି ପଞ୍ଚାୟତ ପାଇଁ ଅର୍ଥ ମଞ୍ଜୁର ହେଇଥିବା ବେଳେ ଗୋଟିଏ ବି ସମ୍ପୁର୍ଣ୍ଣ ହୋଇପାରିବନାହିଁ । ସେହିଭଳି ରାଇରଙ୍ଗପୁର ୨ଟି ଶୁଳିଆପଦାରେ ୪ଟି , ଗୋପବନ୍ଧୁନଗରରେ ୩ଟି, ବହଳାଦାରେ ୪ଟି, ବିଜାତଳିରେ ୧ଟି , ବିଶୋଇରେ ୨ଟି , କୁସୁମିରେ ୪ଟି , ରାଇରଙ୍ଗପୁରରେ ୧ଟି ,ତିରିଂରେ ୧ଟି, କରଞ୍ଜିଆରେ ୨ଟି, ଯଶିପୁରରେ ୫ଟି , ଶୁକୃଳିରେ ୩ଟି , ଓ ଠାକୁରମୁଣ୍ଡା ବ୍ଲକର ଗୋଟିଏ ପଞ୍ଚାୟତରେ କଲ୍ୟାଣମଣ୍ଡପ ଲାଗି ଅର୍ଥ ମଞ୍ଜୁର ହୋଇଥିବା ବେଳେ କୈାଣସି ଠାରେ ଗୋଟିଏ ବି ସମ୍ପୁର୍ଣ୍ଣ ହୋଇ ନାହିଁ । ଉଲ୍ଲେଖଯୋଗ୍ୟ ଯେ , ଗୋଟିଏ କଲ୍ୟାଣମଣ୍ଡପ ପାଇଁ ୨୦ରୁ ୩୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥାଏ । ମୋରଡା ବ୍ଲକ ଚିତ୍ରଡା ପଞ୍ଚାୟତର ପୁରୁଣା ପାଣି ଗ୍ରାମରେ କଲ୍ୟାଣମଣ୍ଡପ ବର୍ତ୍ତମାନ ନିର୍ମାଣଧିନ ରହିଛି । ଏ ନେଇ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କୁ ପଚାରିବାରୁ ବିଭିନ୍ନ କାରଣ ଯୋଗୁଁ ପଞ୍ଚାୟତରେ କଲ୍ୟାଣମଣ୍ଡପ ଅଟକି ରହିଥିବା କହିଛନ୍ତି । ତେବେ କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ କରାଯାଇ ପଞ୍ଚାୟତର ରାଜସ୍ବ ବୃଦ୍ଧି କରାଯିବାକୁ ସାଧାରଣରେ ଦାବି ହେଉଛି ।
କଲ୍ୟାଣ ମଣ୍ଡପ ନିର୍ମାଣ ଯୋଜନା ଦିଗହରା
|
July 11, 2020 |