ନୂଆଦିଲ୍ଲୀ, ୨/୨ (ସନ୍ଧାନ ନିୟୁଜ) : ଜିଏସଟି ଆଦାୟ ନେଇ ମୋଦି ସରକାରଙ୍କୁ ମିଳିଛି ବଡ଼ ସଫଳତା । ଅର୍ଥ ମନ୍ତ୍ରାଳୟର ତାଜା ଆକଳନ ଅନୁଯାୟୀ, ଜାନୁଆରୀ ମାସ ଶେଷ ସୁଦ୍ଧା ମୋଟ୍ ୧.୦୨ ଲକ୍ଷ କୋଟି ଜିଏସଟି ଆଦାୟ ହୋଇଛି । ସୂଚନା ଅନୁଯାୟୀ, ଜାନୁଆରୀ ୨୦୧୮ରେ ଜିଏସଟିରୁ ମୋଟ୍ ୮୯, ୮୨୫ କୋଟି ଟଙ୍କା ଆଦାୟ ହୋଇଥିଲା । ତେବେ ଚଳିତବର୍ଷ ଜାନୁଆରୀରେ ଏହା ୧ ଲକ୍ଷ କୋଟି ଟଙ୍କା ଟପିଯାଇଛି । ତେବେ ଏହା ପୂର୍ବରୁ ମଧ୍ୟ ଗତ ଅପ୍ରେଲ ଏବଂ ଅକ୍ଟୋବର ମାସରେ ଜିଏସଟି କଲେକସନ୍ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଥିଲା ।
ଅର୍ଥ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଜାନୁଆରୀ ୨୦୧୯ରେ ମୋଟ୍ ୧,୦୨,୫୦୩ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଏଥିରେ କେନ୍ଦ୍ରୀୟ ଜିଏସଟି ୧୭,୭୬୪ କୋଟି ରହିଥିବା ବେଳେ ରାଜ୍ୟ ଜିଏସଟି ୨୪,୮୨୬ କୋଟି, ଏକକ ଜିଏସଟି ୫୧,୨୨୫ କୋଟି ଏବଂ ସେସ୍ ୮,୬୯୦ କୋଟି ଟଙ୍କା ରହିଛି ।
ତେବେ ଯଦି ବିଗତ ମାସର ଆକଳନ ଦେଖିବା, ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ମାସ ଏପ୍ରିଲରେ ଜିଏସଟି କଲେକସନ୍, ୧.୦୩ ଲକ୍ଷ କୋଟି ରହିଥିଲା। ସେହିପରି ମେ ମାସରେ ୯୪,୦୧୬ କୋଟି ଟଙ୍କା, ଜୁନରେ ୯୫,୬୧୦ କୋଟି ଟଙ୍କା, ଜୁଲାଇରେ ୯୬,୪୮୩ କୋଟି ଟଙ୍କା, ଅଗଷ୍ଟରେ ୯୩.୯୬୦ କୋଟି ଟଙ୍କା ଏବଂ ସେପ୍ଟେମ୍ବରରେ ୯୪,୪୪୨ କୋଟି ଟଙ୍କା ଜିଏସଟି କଲେକସନ୍ ହୋଇଥିଲା । ସେହିପରି ଅକ୍ଟୋବର ମାସରେ ଜିଏସଟି କଲେକସନ୍ ୧,୦୦,୭୧୦ କୋଟି ଟଙ୍କା ରହିଥିବା ବେଳେ ନଭେମ୍ବରରେ ୯୭,୬୩୭ କୋଟି ଟଙ୍କା ଏବଂ ଡିସେମ୍ବରରେ ୯୪,୭୨୫ କୋଟି ଟଙ୍କା ହୋଇଥିଲା ।



