ବେଙ୍ଗାଲୁରୁ ,୧୫ /୧ (ସନ୍ଧାନ ନିୟୁଜ) : କର୍ଣ୍ଣାଟକ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। କର୍ଣ୍ଣାଟକରେ ଜେଡିଏସ୍- କଂଗ୍ରେସ ମିଳିତ ସରକାରକୁ ଭାଙ୍ଗି ସେଠାରେ ବିଜେପି ସରକାର ଗଠନ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଛି। ଜେଡିଏସ୍- କଂଗ୍ରେସର ବିଧାୟକମାନଙ୍କୁ ନିଜ ପକ୍ଷକୁ ନେବା ପାଇଁ ବିଜେପି କଂଗ୍ରେସ ବିଧାୟକମାନଙ୍କୁ ମୁମ୍ବାଇ ଓ ଜେଡିଏସ୍ ବିଧାୟକମାନଙ୍କୁ ନୂଆଦିଲ୍ଲୀ ନେଇଯିବା ସହ ସେଠାରେ ନଜର ବନ୍ଦୀ କରି ରଖି ସେମାନଙ୍କ ସହ ଘୋଡ଼ା ବେପାର ପାଇଁ ମୂଲଚାଲ ଚଲାଇଥିବା ବେଳେ ଏଣେ ମିଳିତ ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି କର୍ଣ୍ଣାଟକ ଦୁଇ ସ୍ୱାଧୀନ ବିଧାୟକ। ମିଳିତ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଏହି ଦୁଇ ସ୍ୱାଧୀନ ବିଧାୟକ ହେଲେ ଏଚ୍ ନଗେସ୍ ଓ ଆର୍ ଶଙ୍କର।
ତେବେ, ଦୁଇ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ଜେଡିଏସ୍- କଂଗ୍ରେସ ମିଳିତ ସରକାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କଂଗ୍ରେସ ଦାବି କରିଛି। ଅନ୍ୟ ପକ୍ଷରେ ବିଜେପି ଦାବି କରି କହିଛି ଯେ ଖୁବ୍ ଶୀଘ୍ର କଂଗ୍ରେସର ୫ରୁ ୬ ବିଧାୟକ ମିଳିତ ସରକାରରୁ ଓହରି ଆସି ବିଜେପିରେ ଯୋଗ ଦେବେ।