ରାଉରକେଲା,୩୦/୦୬ (ସନ୍ଧାନ ନିଉଜ) :ମହାମାରୀ କରୋନା ଭୁତାଣୁ ଜନିତ ଲକଡ଼ାଉନ ଦେଶର ଅର୍ଥନିତୀ ଠାରୁ ଆରମ୍ଭ କରି ଗ୍ରାମାଂଚଳର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି । ଶିଳ୍ପ,ବାଣିଜ୍ୟ,ବ୍ୟବସାୟ,ଗମନାଗମନ ଓ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁଷୁଡ଼ିବାକୁ ବସିଲାଣି ।ମାନବ ସମ୍ବଳକୁ ବଂଚାଇ ରଖିବା ସରକାରଙ୍କ ପ୍ରଥମ ଲକ୍ଷ୍ୟ ଥିବାବେଳେ କରୋନା ଯୁଦ୍ଧରେ ବିଜୟୀ ହେବା ଓ ସମାଜର ମଙ୍ଗଳ ପାଇଁ ସରକାର କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି । କହିବାକୁ ଗଲେ ଅର୍ଥନୀତି ପରେ ଶିକ୍ଷାନୀତି ଉପରେ କରୋନାର ଯୋରଦାର ଶକ୍ତ ପ୍ରହାର ଲାଗିଛି । ଫଳରେ ଏ ଦେଶର ଆଗାମୀ ଭବିଷ୍ୟତ (ଛାତ୍ରଛାତ୍ରୀ)ମାନଙ୍କର ଭବିଷ୍ୟତ ଯେ ସଙ୍କଟମୟ ତାହା ସହଜରେ ଅନୁମେୟ ।ସମଗ୍ର ଦେଶ ପରି ଏହାର ପ୍ରଭାବ ମଧ୍ୟ ସମଗ୍ର ଦକ୍ଷିଣ ରାଉରକେଲାରେ ଅନୁଭୂତ ହେବାରେ ଲାଗିଛି ।ସୂଚନାରୁ ପ୍ରକାଶ ପ୍ରତ୍ୟେକ ବର୍ଷ ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥାଏ ନୂତନ ଶିକ୍ଷାବର୍ଷ ।ବିଦ୍ୟାଳୟ ମାନଙ୍କରେ ପ୍ରବେଶ ଉତ୍ସବ ଜରିଆରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯିବା ସହିତ ପୁରୁଣା ପିଲାଙ୍କ ଉତୀର୍ଣ୍ଣ ଶ୍ରେଣୀର ପାଠ ପଢା କାର୍ଯ୍ୟ ଆରମ୍ଭ ହୋଇଥାଏ ।ହେଲେ ଏଥର ମହାମରୀ କରୋନା ଲକଡ଼ାଉନ ସବୁକିଛି ଓଲଟପାଲଟ କରିଦେଇଛି ।ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ,କଲେଜ ବନ୍ଦ ହୋଇଯାଇଛି । ଏପରିକି ସଂକ୍ରମଣର ଭୟବହତାକୁ ନଜରରରେ ରଖି ରାଜ୍ୟ ସରକାର ଆଗାମୀ ଜୁନ ୧୭ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ଓ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପରବର୍ତୀ ଶ୍ରେଣୀକୁ ଉତୀର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ସମୟରେ ଛାତ୍ରଛାତ୍ରୀମାନେ ଘରେ ବସି ରହିଥିବାବେଳେ ବିଭିନ୍ନ ପୁସ୍ତକ ଦୋକାନ ବନ୍ଦ ରହିଥିବାରୁ ପାଠ୍ୟ ପୁସ୍ତକ ଓ ଆବଶ୍ୟକୀୟ ପାଠ୍ୟ ସାମଗ୍ରୀ ମିଳୁନାହିଁ । ଯଦିଓ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଠ୍ୟପୁସ୍ତକ ବିଭିନ୍ନ ବିଦ୍ୟାଳୟ ଶିକ୍ଷକମାନଙ୍କ ଦ୍ୱାରା ଘରେ ଘରେ ଛାତ୍ରଛାତ୍ରୀମାନଙ୍କୁ ବାଂଟିବା କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଛି କିନ୍ତୁ ଏହି ପାଠ୍ୟପୁସ୍ତକ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଖରେ ପହଂଚିବା ସମୟ ସାପେକ୍ଷ ବୋଲି ସାଧାରଣରେ ଆଲୋଚନା ହେଉଛି । ସେହିପରି ଦଶମ ଶ୍ରେଣୀର କିଛି ପୁସ୍ତକ ପରିବର୍ତିତ ହୋଇଥିବାବେଳେ ନୂତନ ପୁସ୍ତକ ଲକଡ଼ାଉନ ପରେ ବଜାରକୁ ଆସିବାର ସମ୍ଭାବନା ଥିବାରୁ ଛାତ୍ରଛାତ୍ରୀମାନେ ଅବସାଦ ମଧ୍ୟରେ କାଳତିପାତ କରୁଛନ୍ତି । ଅନ୍ୟପକ୍ଷେ ଅଂଚଳରେ ଥିବା ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ମାଟ୍ରିକ ପରୀକ୍ଷା ପରେ ପରେ ଚଳ ଚଂଚଳ ହୋଇ ଉଠେ । ଏହି ସମୟରେ ଶିକ୍ଷାନବୀଶ ମାନେ ନିଃଶୁଳ୍କ ଗ୍ରୀଷ୍କକାଳୀନ ପାଠ୍ୟକ୍ରମ ମାଧ୍ୟମରେ ସ୍ପୋକନ ଇଂଲିଶ ସହିତ କମ୍ପ୍ୟୁଟର ଶିକ୍ଷା ଲାଭ କରିବାର ସୁଯୋଗ ପାଇଥାନ୍ତି । ଯାହାଦ୍ୱାରା ସେମାନଙ୍କର ଦୌନନ୍ଦିନ ଜୀବନ ଶିକ୍ଷା ସହିତ ଯୋଡ଼ି ହୋଇ ରହିଥାଏ ।ମାତ୍ର କରୋନା ଲକଡ଼ାଉନରେ ସମାଜିକ ଦୂରତ୍ୱକୁ ଗୁରୁତର ସହ ପାଳନ କରାଯାଉଥିବାରୁ ସଂକ୍ରମଣ ଆଶଙ୍କାରେ ସରକାର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ବନ୍ଦ କରିଦେଇଛନ୍ତି । ସେହିପରି ଅନଲାଇନ ମାଧ୍ୟମରେ ଶିକ୍ଷା ଦାନ ପ୍ରକ୍ରିୟା ସମସ୍ତ ଶିକ୍ଷାର୍ଥୀ ମାନଙ୍କ ପାଇଁ ସହଜସାଧ୍ୟ ନୁହେଁ ।ତେଣୁ ଏହି ସମୟରେ ଆସନ୍ତା ନୂତନ ଶିକ୍ଷାବର୍ଷକୁ ସମ୍ମୁଖୀନ ହେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ଲକ୍ଷ୍ୟ ରଖିଥିବା ଛାତ୍ରଛାତ୍ରୀ ବିନା ପ୍ରସ୍ତୁତିରେ ଆଗକୁ କିପରି ଏହାର ସମ୍ମୁଖୀନ ହେବେ ଏବଂ ଜୁନ ୧୭ପର ଠାରୁ ଖୁବ କମ ସମୟ ମଧ୍ୟରେ ପାଠ୍ୟକ୍ରମ ଶେଷ କରି ମାର୍ଚ୍ଚ ମାସରେ କିପରି ପରୀକ୍ଷା ଦେବେ ବୋଲି ସେହି ଚିନ୍ତାରେ ଏବେ ଘାରି ହେଉଛନ୍ତି । ତେଣୁ ଏସବୁକୁ ତର୍ଜମା କଲେ ଦେଶର ଆଗାମୀ ଭବିଷ୍ୟତ ମାନଙ୍କର ଭବିଷ୍ୟତ ଯେ ସଙ୍କଟମୟ ଓ କଂଟକିତ ସେଥିରେ ଦ୍ୱିମତ ହେବାର ନାହିଁ ବୋଲି ବିଭିନ୍ନ ଶିକ୍ଷାବିତ୍ମାନେ ମତପୋଷଣ କରିଛନ୍ତି ।
କରୋନା ଯୋଗୁ ସଙ୍କଟରେ ଶିକ୍ଷା ବ୍ୟବସ୍ଥା!
|
June 30, 2020 |
