ଜେନାପୁର, ୩୦/୦୪ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଳକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମପଞ୍ଚାୟତର କଲାଣ୍ଡ ଗ୍ରାମର ମହିଳା ଓ ଝିଅ ବୋହୁ ମାନେ ଜେନାପୁର ଥାନାର କାର୍ଯ୍ୟରତ କରୋନା ଯୋଦ୍ଧାଙ୍କୁ ଫୁଲ ଚନ୍ଦନ ଓ ଉତରୀୟ ଦେଇ ସମ୍ମାନିତ କରିଛନ୍ତି । କରୋନାର ଭୟ ସମସ୍ତଙ୍କୁ ଘାରିଥିବା ବେଳେ ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ନିଜର ସ୍ୱଳ୍ପ ସଂଖ୍ୟାକ କର୍ମଚାରୀ ମାନଙ୍କୁ ନେଇ ଲକ ଡ଼ାଉନ୍ ଓ ସଡ୍ ଡ଼ାଉନ୍ ସମୟରେ ଲୋକମାନଙ୍କୁ କରୋନା ସମ୍ବନ୍ଧରେ ସଚେତନ କରିଥିଲେ । ତତ ସହିତ ଜେନାପୁର ଅଂଚଳରେ ଶାନ୍ତି ଓ ସ୍ଥିରତା ଯେପରି ବଜାୟ ରହିବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେଇଥିଲେ । ଥାନା ଅଧୀନରେ ଥିବା ଜେତେକ ସପ୍ତାହିକ ହାଟ, ବିଭିନ୍ନ ଛକ ବଜାର ସ୍ଥିତି ନିୟନ୍ତ୍ରଣ କରିବାରେ ତାଙ୍କର ଉଲେଖନୀୟ ଅବଦାନ ରହିଛି ।
ଅନେକ ଅମାନିଆ ଲୋକ ପୋଲିସ ସହିତ ଚୋର ପୋଲିସ ଖେଳିଲା ଭଳି ବ୍ୟବହାର କରିଥିଲେ ହେଁ ସେମାନଙ୍କୁ ସାବାଡ଼ କରି ଦିନ କେଇଟାରେ ରାସ୍ତା ଘାଟ ସୁନୁ ସାନ୍ କରିଦେଇଥିଲେ । ଲୁଚି ଛପି ଚଳାଉ ଥିବା ପାନ ଦୋକାନ, ଚାହା ଦୋକାନ,ଜଳଖିଆ ଦୋକାନସବୁ ସାଧା ପୋଷାକରେ ଆସି ବନ୍ଦ କରିବା ସହିତ ଅନେକଙ୍କ ଠାରୁ ଜୋରିମନା ଆଦାୟ କରିଥିଲେ ।ଲୋକମାନଙ୍କର ନିହାତି ଆବଶ୍ୟକ ଥିବା ରାସନ ଦୋକାନରେ ଯେପରି ସାମାଜିକ ଦୁରତା ରକ୍ଷା କରାଯାଇ ପାରିବ ସେଥିପ୍ରତି ମଧ୍ୟ ଦୃଷ୍ଟି ନିବଦ୍ଧ ରଖିଥିଲେ । କାହାକୁ ଆହାର କାହାକୁ ପାହାର ଓ କାହାକୁ ସଚେତନ କରାଇ ଲକ ଡ଼ାଉନ୍ ସମୟକୁ ଅତି ସୁନ୍ଦର ଭାବରେ ପାଳନ କରିଥିବାରୁ ଜେନାପୁର ଥାନା ଅଧୀନରେ ଥିବା ପୁରା ଅଞ୍ଚଳରେ ଏ ପର୍ଯ୍ୟନ୍ତ କରୋନାର କୌଣସି ସନ୍ଦିଗ୍ଧ ଚିହ୍ନଟ ହୋଇନାହାନ୍ତି ।
ଯାହା ଦ୍ୱାରା ଆଜି ଏ ଅଞ୍ଚଳର ଲୋକମାନେ ଟିକିଏ ଆଶ୍ୱସ୍ଥ ହୋଇଛନ୍ତି । ଖରା ବର୍ଷାକୁ ଖାତିରି ନକରି ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ଓ ନେତାଜୀ ସାମ୍ବାଦିକ ସଂଘର ସଦସ୍ୟ ମାନଙ୍କ ସହଯୋଗରେ ଗାଁ ଗାଁ ବୁଲି ଅସହାୟ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ପ୍ରଦାନ କରିଛନ୍ତି । କରୋନା କଣ ଜାଣିନଥିବା ବଲାଙ୍ଗୀଆ ,ବୁରୁସାହି,ମହୁଲ ଖୋଳି, ହନୁଆ ପୋଖରୀ ଆଦି ଅନେକ ଆଦିବାସୀ ବସ୍ତିରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ କରୋନା କିପରି ସେମାନଙ୍କ ଘର ମାଡିବ ନାହିଁ ସେ ସମ୍ବନ୍ଧରେ ସଚେତନ କରିଛନ୍ତି ।ଏପରିକି ବିଭିନ୍ନ ସାମାଜିକ ଅନୁଷ୍ଠାନ ମାନଙ୍କ ସହାୟତାରେ ନିଜେ ଉପସ୍ଥିତ ରହି ଲୋକଙ୍କ ପାଖରେ ଆବଶ୍ୟକୟ ଖାଦ୍ୟ ସାମଗ୍ରୀ ପହଁଚାଇ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ସାଜିଛନ୍ତି ।ସଚେତନ ନାଗରିକ ମଞ୍ଚର ସହଯୋଗରେ ପ୍ରତ୍ୟେକ ଗଳି କନ୍ଧି ବୁଲି ଲୋକଙ୍କ ଅଭାବ ବୁଝିବା ସହିତ ଯେଉଁଠି ଅଭାବ ସେଇଠାରେ ବ୍ୟକ୍ତିଗତ ରିଲିଫ୍ କିପରି ପହଁଚି ପାରିବ ସେଥିପ୍ରତି ଯତ୍ନବାନ ରହିଛନ୍ତି ।
ବାସ୍ତବରେ ଜଣେ କରୋନା ଯୁଦ୍ଧରେ ଭଳି କାର୍ଯ୍ୟ କରି ସହକାରୀ କର୍ମଚାରୀଙ୍କ ସହଯୋଗରେ ଲୋକମାନଙ୍କର ହୃଦୟ ଜିତିଥିବା ଥାନା ଅଧିକାରୀ ଆଜିର ଏହି ବନ୍ଦାପନା କାର୍ଯ୍ୟକ୍ରମରେ ଲୋକମାନଙ୍କ ସ୍ନେହ ଶ୍ରଦ୍ଧା ଓ ଭଲପାଇବା ଭୁଲିପାରିବନାହିଁ ବୋଲି କହିଥିଲେ । ଆୟୋଜକ କଲାଣ୍ଡ ଗ୍ରାମର ସାଗରିକା ଦଳାଇ, କାଞ୍ଚନ ବାଳା ମିଶ୍ର, ମମତା ପଣ୍ଡା, ଶ୍ରଦ୍ଧାଞ୍ଜଳି ପଣ୍ଡା, ଓ ପୂଜକ ଲଷ୍ମୀଧର ପଣ୍ଡାଙ୍କ ସମେତ ଅନେକ ମହିଳା ସାମାଜିକ ଦୁରତା ରକ୍ଷା କରି ଥାନା ଅଧିକାରୀ ସମେତ ସମସ୍ତ ଥାନା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ସେମାନଙ୍କୁ ବନ୍ଧା ପନା କରି ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି । ସଚେତନ ନାଗରିକ ମଞ୍ଚର ଆବାହକ ସରୋଜ କାନ୍ତ ବେହେରା ଆଜିର କାର୍ଯ୍ୟକ୍ରମଟିକୁ ଖୁବ ସୁନ୍ଦର ଭାବରେ ସଂଚାଳନ କରିଥିଲେ ।