ରାଉରକେଲା, ୨୫/୦୮/୨୦ (ସନ୍ଧାନ ନିଉଜ/ସୁବୋଧ ନାୟକ) : କାଳରୂପୀ କରେନାର କାୟାରେ ପୁରରୁ ପଲ୍ଲୀ ସମସ୍ତେ ଆତଙ୍କିତ ହୋଇ ପଡ଼ିଛନ୍ତି । ଗ୍ରାମାଚଂଳ ହେଉକି ସହରାଚଂଳ ସବୁଠି କରୋନା ତା’ର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଜୀବନ ଜୀବିକାକୁ ଉଜାଡ଼ି ଦେଇଛି କରୋନା । ଦକ୍ଷିଣ ରାଉରକେଲା ସମେତ ସହରତଳି ଗ୍ରାମାଂଚଳ ଗୁଡ଼ିକରେ ବସବାସ କରୁଥିବା ଗରିବ ଓ ମଧ୍ୟବିତ ଶ୍ରେଣୀୟ ପରିବାର ନିଜ ରୋଜଗାର ହରାଇ ଏବେ ଘରେ ହାତ ବାନ୍ଧି ବସିଛନ୍ତି । ଏପରି ସ୍ଥଳେ ଘରେ ଓଳିଏ ଅନ୍ନ ଖାଇବା ମଧ୍ୟ କଷ୍ଟକର ବ୍ୟାପାର ହୋଇ ପଡ଼ିଛି । ସାଧାରଣତଃ ବସ୍ତି ଅଂଚଳ ଗୁଡ଼ିକରେ ବସବାସ କରୁଥିବା ବାସିନ୍ଦା ମାନେ ଦିନ ମଜୁରିଆ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରିଥାନ୍ତି । ଦୈନିକ ମଜୁରୀରେ ଏଭଳି ପରିବାର ମାନଙ୍କର ଚୁଲି ଜଳିଥାଏ ମାତ୍ର ଏବେ କରୋନା କାଳରେ ଅନେକ ଅଧାପନ୍ତରିଆ ଭାବେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଯଦିଓ କାଁଭାଁ ନିର୍ମାଣ କାର୍ଯ୍ୟ ଚାଲିଛି, ସେପଟେ ସଠିକ ମଜୁରୀ ମିଳୁନାହିଁ ବୋଲି ଦକ୍ଷିଣ ରାଉରକେଲା ଟାଙ୍ଗରପାଲୀ ବସ୍ତି ଅଂଚଳରେ ରହୁଥିବା ଜଣେ ମହିଳା ଶ୍ରମିକ ନିଜ ନାମ ଗୋପନ ରଖିବା ସର୍ତରେ ପ୍ରକାଶ କରିଛନ୍ତି । ପରିବାର ଚଳାଇବା ପାଇଁ ମଧ୍ୟବିତ ଓ ଗରିବ ଶ୍ରେଣୀର ବ୍ୟକ୍ତି ମାନେ ବାଧ୍ୟବାଧକତାରେ ଘରେ ଥିବା ପିଲାମାନଙ୍କୁ କାମ କରିବାକୁ ପଠାଉଛନ୍ତି । ଯେଉଁ ମାନଙ୍କ ବୟସ ମାତ୍ର ୧୨ରୁ ୧୪ ବର୍ଷ ମଧ୍ୟରେ । ଏହି କୋମଳମତି ପିଲାମାନେ ପରିବାରର ବୋଝ ମୁଣ୍ଡାଇ ସ୍ଥାନୀୟ ଅଂଚଳର କିଛି ଢାବା, ହୋଟେଲ, ଗ୍ୟାରେଜରେ କାମ କରି ଦୁଇ ପଇସା ରୋଜଗାର କରୁଛନ୍ତି । ଅପରପକ୍ଷରେ ଜୀବିକା ପାଇଁ ଏମାନଙ୍କ କୋମଳମତି ଜୀବନ ବନ୍ଧା ପଡ଼ି ଯାଇଛି । ଗ୍ରାମାଚଂଳରେ ରହୁଥିବା ପିଲାମାନେ ସହର ମୁହାଁ ହୋଇ କିଛି ଅର୍ଥ ରୋଜଗାର କରିବା ପାଇଁ ଆଗଭର ହୋଇଥିବା ଜଣାପଡ଼ିଛି । କିଛି ଶିଶୁ କୌଣସି କାମଧନ୍ଦା ନପାଇ ଅଳିଆ ଆବର୍ଜନା, ଭଙ୍ଗା ପ୍ଲାଷ୍ଟିକ ବୋତଲ ଗୋଟାଇବା ପରେ ଏଗୁଡ଼ିକୁ ବିକ୍ରି କରି ନିଜ ପରିବାରର ଗୁଜୁରାଣ ମେଂଟାଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଶିଶୁ ଶ୍ରମିକ ସଂଖ୍ୟା କରୋନା ପରେ ବୃଦ୍ଧି ପାଇବାରେ ଲାଗିଛି, ଯାହାକି ସମାଜ ପାଇଁ ଆଦୌ ହିତକର ନୁହେଁ , ମାତ୍ର ଜୀବନ ଜୀବିକା ପାଇଁ ପିଲାମାନଙ୍କୁ ଶିଶୁଶ୍ରମିକ ଭାବେ କାର୍ଯ୍ୟ କରିବାକୁ ପଡ଼ୁଛି ବୋଲି ସେମାନଙ୍କ ପରିବାର ପକ୍ଷରୁ କୁହାଯାଇଛି ।
କରୋନାରେ ବନ୍ଧା ପଡ଼ିଛି ଶିଶୁଙ୍କ ଜୀବନ!
|
August 25, 2020 |
