ବାରିପଦା ୨୫/୮/୨୦(ଲିଙ୍ଗରାଜ ପଣ୍ଡା):- କୋଭିଡ- ୧୯କୁ ମୟୂରଭଞ୍ଜ ଜିଲ୍ଲାରେ ନିୟନ୍ତ୍ରଣ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ କଡାକଡି ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତ୍ତମାନ ଗ୍ରାମାଞ୍ଚଳଗୁଡିକରେ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଉଥିବା ଚିନ୍ତାଜନକ ହୋଇପଡିଛି । ଗୋଷ୍ଠୀ ସଂକ୍ରମଣର ପେଣ୍ଠସ୍ଥଳୀ ହାଣ୍ଡିଆ ବିକ୍ରୀ ଓ ମହୁଲିମଦର ଉତ୍ପାଦନ ସ୍ଥଳ ଉପରେ ଚଢ଼ାଉ କରିବାପାଇଁ ଜିଲ୍ଲା ଅବକାରୀ ଅଧକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ମୋବାଇଲ ସ୍କାର୍ଡ ସହ କରଞ୍ଜିଆ ଓ ରାଇରଙ୍ଗପୁର ଅବକାରୀ ବିଭାଗ, ପୁଲିସ ଓ ମାଜିଷ୍ଟ୍ରେଟଙ୍କୁ ନେଇ ମିଳିତ ଚଢ଼ାଉ କରାଯାଇଥିଲା । କରଞ୍ଜିଆ ଥାନା ଅଞ୍ଚଳର ୪ ଟି ଗ୍ରାମରେ ଓ ଯଶିପୁର ଥାନା ଅଞ୍ଚଳର ୭ଟି ସ୍ଥାନରେ ଗତ ୨୦ ଓ ୨୧ ତାରିଖ ଦୁଇଦିନ ଚଢ଼ାଉ କରାଯାଇ ମୋଟ ୧୪ ହଜାର ୫ ଶହ କେଜି ପୋଚ ଏବଂ ୧୨୫୦ ଲିଟର ମହୁଲିମଦକୁ ଜବତ ପରେ ନଷ୍ଟ କରାଯାଇଥିଲା । ଗତ ୨୦ ତାରିଖରେ ୧ କରଞ୍ଜିଆ ଅବକାରୀ ନିରୀକ୍ଷକ ଶ୍ରୀଧର ହେମ୍ରମଙ୍କ ନେତୃତ୍ବରେ ସବଇନିସ୍ପେକ୍ଟର କ୍ଷିତିଶ ଦାସ, ରାଇରଙ୍ଗପୁର ଅବକାରୀ ସବଇନିସ୍ପେକ୍ଟର ହରିହର ସିଂ ଏବଂ ଜିଲ୍ଲା ମୋବାଇଲ ସ୍କାର୍ଡ଼ର ସବଇନିସ୍ପେକ୍ଟରଙ୍କ ସହ ଅବକାରୀ ଫୋର୍ସ ଯଶିପୁର ଥାନା ଅଞ୍ଚଳର ଅନୁକୂଳପୁର, କଳାପଥର, ବେଲଦୀ ଓ ମାଛକାନ୍ଦଣା ଗ୍ରାମ ନିକଟସ୍ଥ ଜଙ୍ଗଲରେ ମହୁଲିମଦ ଭାଟି ଉପରେ ଅତର୍କିତ ଚଢ଼ାଉ କରିଥିଲେ । ମଦ ପ୍ରସ୍ତୁତକାରୀଗଣ ମଦକୁ ସିଂଥେଟିକ ଡୁମ ଓ ମୋଟର ଟ୍ୟୁବ ଏବଂ ପୋଚକୁ ଜରି ଭିତରେ ରଖି ମାଟିରେ ପୋତିଥିବା ଜାଣି ସେସବୁକୁ ବାହାରକରି ନଷ୍ଟ କରାଯାଇଥିଲା । ଏହି ଚଢ଼ାଉରେ ୬ ହଜାର କେ.ଜି. ମହୁଲ ପୋଚ ଓ ୯ ଶହ ଲିଟର ମହୁଲିମଦକୁ ଜବତ ପରେ ନଷ୍ଟ କରାଯାଇଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ୨୧ ତାରିଖରେ ମାଜିଷ୍ଟ୍ରେଟ ଦାୟିତ୍ବରେ କରଞ୍ଜିଆ ତହସିଲଦାର ତାପସ ରଞ୍ଜନ ଦେହୁରୀ, ଏପିଆର ପୁଲିସ ଫୋର୍ସ ସହ ୨୦ ତାରିଖ ଚଢ଼ାଉରେ ସାମିଲ ଅଧିକାରୀଗଣ ଏବଂ ଅବକାରୀ ଫୋର୍ସ କରଞ୍ଜିଆ ଥାନା ଅଞ୍ଚଳର ମେଣ୍ଟାସିଂଘା , ଗନ୍ଧାହୁଡ଼ି, ନୂଆଗାଁ ଓ ସୋରିଷବାଡ଼ି ଏବଂ ଯଶିପୁର ଥାନା ଅଞ୍ଚଳର ଗଡ଼ତଳିସାହି ଉପରସାହି, ବଣକାଠିରେ ବ୍ୟାପକ ଚଢ଼ାଉ କରାଯାଇଥିଲା । ଚଢ଼ାଉ ପୂର୍ବରୁ ମଦ ପ୍ରସ୍ତୁତକାରୀଗଣ ଫେରାର ହୋଇଯାଇଥିଲେ ମଧ୍ୟ ମାଟିତଳୁ ୮ ହଜାର ୫ ଶହ କେ.ଜି. ପୋଚ ଓ ୩୫୦ ଲିଟର ମହୁଲିମଦକୁ ଜବତ ପରେ ନଷ୍ଟ କରାଯାଇଥିଲା । ମଦ ଓ ପୋଚ ଥିବା ଡ୍ରାମଗୁଡିକୁ ନଷ୍ଟ କରାଯିବା ସହ ମଦ ରନ୍ଧାରେ ବ୍ୟବହୃତ ସିଲଭର ହାଣ୍ଡିଗୁଡିକୁ ଜବତ କରାଯାଇଥିଲା । ଯଶିପୁର ଅବକାରୀ ବିଭାଗର ନିଷ୍କ୍ରିୟତା ଓ ଅପାରଗତା ଯୋଗୁଁ ଗ୍ରାମାଞ୍ଚଳରେ ବିପୁଳ ପରିମାଣର ମଦ ପ୍ରସ୍ତୁତ ହେଉଥିବା ଏବଂ ମହୁଲ ବେପାରୀଙ୍କୁ ଆଦୌ ପଞ୍ଜିକୃତ କରିନଥିବା କାରଣରୁ ନିକଟରେ ବ୍ୟାପକ ପରିମାଣର ବେଆଇନ ଭାବେ ମହଜୁଦ ଥିବା ମହୁଲକୁ ଜବତ କରାଯାଇଥିଲା । ଏହି ଘଟଣା ପରେ ଯଶିପୁର ଅବକାରୀ ଅଧିକାରୀଙ୍କୁ ଜିଲ୍ଲା ଅଧୀକ୍ଷକ ଅନ୍ୟତ୍ର ବଦଳି କରିବାପରେ କରଞ୍ଜିଆ ଅବକାରୀ ନିରୀକ୍ଷକ ଶ୍ରୀଧର ହେମ୍ରମଙ୍କୁ ଅତିରିକ୍ତ ଦାୟିତ୍ବ ଦେବାପରେ ଏଭଳି ର ଚଢ଼ାଉ ଆରମ୍ଭ ହୋଇଥିବା ଶୁଣାଯାଉଛି ।
କରଞ୍ଜିଆ ଓ ଯଶିପୁର ଥାନା ଅଞ୍ଚଳରେ୨ ଦିନ ଧରି ଅବକାରୀ ଚଢ଼ାଉ
|
August 25, 2020 |
