କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜେଡି ଗୋଷ୍ଟି କନ୍ଦଳ ବଢ଼ିବାରେ ଲାଗିଛି

Spread the love
ଗଂଜାମ, ୧୪/୪ (ସନ୍ଧାନ ନିୟୁଜ) ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳ ଧୀରେ ଧୀରେ କୁହୁଳିବାରେ ଲାଗିଛି। ପୂର୍ବରୁ ଏଠାରେ ଖଲ୍ଲିକୋଟ ରାଣୀଙ୍କ ହାତରେ ଶାସନ ଡୋରି ଥିବା ବେଳେ ଅସୁସ୍ଥତା ଯୋଗୁଁ ବିଗତ ୨ ବର୍ଷ ଧରି କୌଣସି ଉନ୍ନୟନ କାର୍ଯ୍ୟ ହୋଇନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା। ଚଳିତ ନିର୍ବାଚନରେ ଶେରଗଡ ଅଞ୍ଚଳରୁ ଲତିକା ପ୍ରଧାନଙ୍କୁ ବିଜେଡ଼ି ଟିକେଟ୍ ମିଳିବା ପରେ ରାଜନୈତିକ ଚିତ୍ର ଓଲଟ ପାଲଟ ହୋଇଯାଇଛି। ବିରୋଧୀ ନବୀନଙ୍କ ଏଭଳି କାର୍ଯ୍ୟକୁ ସିଧାସଳଖ ନିନ୍ଦା କରୁଥିବା ବେଳେ ଖୋଦ୍ ଦଳ ଭିତରୁ ମଧ୍ଯ ଅସନ୍ତୋଷ ପ୍ରକାଶ ପାଇଛି। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ ରାଜନେତା ଥିବା ବେଳେ ଶେରଗଡ଼ ଅଞ୍ଚଳରୁ ନେତାଙ୍କୁ ଆଣି କବିସୂର୍ଯ୍ୟନଗର ରେ ଥଇଥାନ କରିବା କଥାକୁ ବହୁ ଦଲୀୟ ନେତା ଓ କର୍ମୀ ଖୋଲାଖୋଲି ବିରୋଧ ନ କରୁଥିଲେ ମଧ୍ୟ କ୍ରସ୍ ଭୋଟ୍ କରି ନବୀନଙ୍କୁ ଜବାବ୍ ଦେବା ପାଇଁ ମନ ବଳାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।ସେପଟେ ୨୦୧୪ ରେ ଏହି ନିର୍ବାଚନମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିଥିବା ଏବଂ ଚଳିତ ନିର୍ବାଚନରେ ବିଜୁ ଜନତା ଦଳରୁ ଟିକେଟ୍ ପାଇଁ ଲବି ରଖିଥିବା ଯୁବ ନେତା ହରପ୍ରସାଦ ସାହୁଙ୍କୁ ଟିକେଟ୍ ନ ମିଳିବା ପରେ ତାଙ୍କର ହଜାର ହଜାର ସମର୍ଥକ ନିରାଶ ହୋଇଛନ୍ତି। ତେବେ ଶ୍ରୀ ସାହୁ ନବୀନ ପଟ୍ଟନାୟକଙ୍କୁ ସମର୍ଥନ କରିବା ପାଇଁ ନିଜ ସମର୍ଥକଙ୍କୁ କହୁଥିବା ବେଳେ ନିକଟରେ ତାଙ୍କର ବହୁ ସରପଞ୍ଚ ଓ ସମିତି ସଭ୍ୟ ଲତିକା ଶିବିରରେ ଯୋଗ ଦେଇ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସବୁଠାରୁ ବଡ କଥା ହେଲା ପୁରୁଣା ଓ ନୂଆ କରି ଯୋଗଦେଇଥିବା ନେତା ଓ କର୍ମୀ ମାନଙ୍କ ଭିତରେ ଫାଟକୁ ଯେତେ ପେଚ୍ ପକାଗଲେ ମଧ୍ୟ କୌଣସି ସୁଫଳ ମିଳୁନି। ଲତିକାଙ୍କ ପ୍ରଚାର ବେଳେ ନୂଆ କର୍ମକର୍ତ୍ତା ମାନଙ୍କୁ ଅଣଦେଖା କରାଯାଉଥିବା ନେଇ କର୍ମକର୍ତ୍ତା ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏସବୁ ଭିତରେ ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳର ଗୋଳିଆ ପାଣିରୁ ଫାଇଦା ହାସଲ କରିବାକୁ ଲକ୍ଷ୍ୟ ରଖିଛି ବିଜେପି। ଯୁବନେତା ରଞ୍ଜନ ପଲେଇ ଗାଁ ଗାଁ ବୁଲି ମୋଦି ଆଦର୍ଶ ଓ ବିକାଶକୁ ପାଥେୟ କରି ଭୋଟର ମାନଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି ଏବଂ ନିକଟରେ ବହୁ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।ନିର୍ବାଚନ ପାଇଁ ଆଉ ମାତ୍ର ୩ /୪ ଦିନ ବାକି ଥିବାବେଳେ ବିଜେଡ଼ିର ଏହି ଗୋଷ୍ଠୀ ବିବାଦ ଆଗକୁ କି ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା।

Related Posts

About The Author

Add Comment