କବିତା “ଆହ୍ବାନ”

Spread the love
ଗାଅ ନାହିଁ କବି ଆଜ
ପ୍ରେମର ଏ ମିଳନ-ବିରହ ଗାନ,
ଦେଖ ସେଠି ବାଦଲର କିଆଁ
ଛଳଛଳ ଅଶ୍ରୁପୂର୍ଣ୍ଣ ହେଉଛି ନୟନ । (୧)
ଶତଦଳ ପଙ୍କେ ଯୁଗେଯୁଗେ ଯିଏ
ଜୀବନ ଯନ୍ତ୍ରଣା ସଦା ଭୋଗୁଛନ୍ତି ,
ତୁମ ନୂଆ କ୍ରାନ୍ତିର ଛନ୍ଦରେ
ମୁକ୍ତିର ପଥ ସିଏ ଖୋଜୁଛନ୍ତି । (୨)
ସବୁରି ନୟନେ ବହୁଛି ଗଂଗା
ଛଳକୁଛି କିଆଁ ଆଜି ଯମୁନା,
ମେଣ୍ଟାଇ ପାରୁନି ଗଂଗା ଜଳ ଛିଟା
ଆମ ଦେଶ-ଜାତିର ସବୁ ତୃଷ୍ଣା । (୩)
ପେଟର କ୍ଷୁଧାକୁ ମେଣ୍ଟାଇବା ପାଇଁ
ବିକଳିତ କୋଟି କୋଟି ମଣିଷ,
ହୃଦୟରୁ ନିଜ ରକ୍ତ ଦେଇ ପୁଣି
ତୃପ୍ତ କରାନ୍ତି ନର-ରାକ୍ଷସ । (୪)
କ୍ଷୁବ୍ଧ ଆଜି ନିରୀହ ଜାତି
ରୁଗ୍ଣ ଯେଣୁ ମାନସିକତା,
ରୁଦ୍ଧ ଆଜି କଣ୍ଠସ୍ବର
ସ୍ତବ୍ଧ ଦେଖି ଏ ଅରାଜକତା । (୫)
ଜାଗ୍ରତ ହୁଅ ଜାତିର ନେତା
ଶାଣିତ କର ନିଜ ଦକ୍ଷତା,
ନିର୍ଭୀକ ହୋଇ କର ସଂଗ୍ରାମ
ବଢାଅ ଜାତିର ସାହସିକତା । (୬)
ଆସ ଏ ଜାତିର ନିର୍ମାଣ ଜଜ୍ଞେ
ଢାଳିବା ସଭିଙ୍କ ଆଖିରୁ ପାଣି,
ସୁସଜ୍ଜିତ ହେବ ନବ ନିର୍ମାଣ
ଜଲାଇ ବିପ୍ଳବ ବହ୍ନି  । (୭)
ତୁମରି କଲମ ଗାରର ବୀରତ୍ବ
କର ଖଣ୍ଡା ଠାରୁ ବଳିୟାନ,
ଦୋହଲାଇ ଦିଅ ଶୋଷକଙ୍କ ଗଡ଼
ଅନୀତି ଦୁର୍ନୀତି ହେଉ ଦମନ । (୮)
ଆଗେଇ ଆସ ହେ ଦରଦୀବନ୍ଧୁ
ଆମ ନୂତନ ସମାଜ କର ସର୍ଜନା,
ଜଳାଞ୍ଜଳି ଦିଅ ସ୍ବାର୍ଥ ଅହମିକା
ତବ କଣ୍ଠୁ ଝରୁ  ମୁକ୍ତି-ମୂର୍ଛନା । (୯)
ଲେଖନୀ ମୁନେ ଭାଂଗିଦିଅ ଲୁଟେରାଙ୍କ
ସୁନାଚାନ୍ଦୀରେ ଗଢ଼ା ପାଚେରୀ କାନ୍ଥ,
ଧ୍ବଂସ କରିଦିଅ ପୁଂଜୀବାଦୀଙ୍କ
ସବୁ ପୁଂଜିଭୂତ ଅମାରତ । (୧୦)
ସମାଜେ ସମତା ନିର୍ମାଣ ଯଜ୍ଞେ
ତୁମ ଅନ୍ତର୍ଜ୍ଯୋତିକୁ କର ଜାଗ୍ରତ,
ଘରେ ଘରେ ଖୁସି ଫେରାଇ ପାରିଲେ
ତେବେ ଜାତି ହେବ ବିଶ୍ବେ ସମ୍ରାଟ । (୧୧)
ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ
ସ୍ବେଚ୍ଛାଚାର, ଦୁର୍ନୀତି ହେଉ ଦମନ,
ଶାନ୍ତି, ମୈତ୍ରୀ, ପ୍ରୀତି ହୋଇ ସ୍ଥାପନ
ଜାଜ୍ଜୁଲ୍ଯମାନ ହେଉ ଜାତିର ନାମ । (୧୨)
ବେଣୁଧର ସୁରୁଜାଲ
ଉଳୁଣ୍ଡା, ସୁବର୍ଣ୍ଣପୁର

Related Posts

About The Author

Add Comment