କନ୍ଧମାଳ ଜିଲ୍ଲାର ଗର୍ବ ଓ ଗୌରବ : ଟାଡିସରୁ ବାଇଙ୍କୁ ପଦ୍ମଶ୍ରୀ ପୁରସ୍କାର

Spread the love
କନ୍ଧମାଳ୨୬/୧/୨୦୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):   ଭାରତ ସରକାରଙ୍କ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପୂର୍ବରୁ ସମ୍ମାନଜନକ ପଦ୍ମ ପୁରସ୍କାର ଓ ପଦ୍ମ ବିଭୂଷଣ ଘୋଷଣା କରାଯାଇଛି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାରିପଡ଼ା ଗ୍ରାମର ପ୍ରଖ୍ୟାତ ଲୋକକବି ତଥା ସନ୍ନ୍ୟାସିନୀ ପୂର୍ଣ୍ଣମାସୀ ଯାନୀ ଓରଫ ଟାଡ଼ିସରୁ ବାଇଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି। ସେ ୧୯୪୪ ମସିହାରେ ଦଳପଡ଼ା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ନୀଳକଣ୍ଠ ଯାନୀ ଏବଂ ମାତାଙ୍କ ନାମ ରାଣୀମତି ଯାନୀ। ପୂର୍ଣ୍ଣମାସୀଙ୍କ ପିତା ଜଣେ ଶିକ୍ଷକ ଥିଲେ ମଧ୍ୟ ସେ ସମୟରେ ଗ୍ରାମାଞ୍ଚଳରେ ନାରୀ ଶିକ୍ଷା ପାଇଁ ବହୁ ପ୍ରତିବନ୍ଧକ ଥିବାରୁ ସେ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ଥିଲେ। ପୂର୍ଣ୍ଣମାସୀ ସମ୍ପୂର୍ଣ୍ଣ ନିରକ୍ଷର ଥିଲେ ମଧ୍ୟ ସମସ୍ତ ପୁରାଣ, ଶାସ୍ତ୍ର, ପୋଥି ତାଙ୍କ ମୁହଁରେ ଥିଲା ।ଏଯାବତ ତାଙ୍କ ମୁଖନିସୃତ ପ୍ରାୟ ୧୦ ହଜାର ଭଜନ, ଜଣାଣ ଲିଖିତ ଓ ରେକର୍ଡିଂ କରି ରଖାଯାଇଛି। ସନ୍ଥକବି ଭୀମ ଭୋଇଙ୍କ ଭଳି ଟାଡ଼ସରୁ ବାଇଙ୍କ ଭଜନ ଶୁଣିବାକୁ ଲୋକମାନଙ୍କର ଆଗ୍ରହ ଦେଖାଦେଇଥାଏ। ପୂର୍ଣ୍ଣମାସୀଙ୍କ ସ୍ବାମୀ ଆରାଧନା ଯାନୀ ଜଣେ ବିଷ୍ଣୁଭକ୍ତ ଥିଲେ। ସ୍ବାମୀଙ୍କ ସହ ସେ ବିଷ୍ଣୁଙ୍କ ଭଜନ କୀର୍ତ୍ତନରେ ଅଧିକ ସମୟ ଦେଉଥିଲେ। ପିଲାଦିନୁ ସେ ଜଙ୍ଗଲରୁ କାଠ ଆଣିବା ସହ ଫଳମୂଳ ସଂଗ୍ରହ କରୁଥିଲେ। ପୂର୍ଣ୍ଣମାସୀଙ୍କ ୬ଟି ସନ୍ତାନ ଜନ୍ମଲାଭ କରିଥିଲେ ମଧ୍ୟ ସମସ୍ତ ସନ୍ତାନଙ୍କର ପରଲୋକ ହୋଇଯାଇଥିଲା। ଏହି ଦୁଃଖ ପୂର୍ଣ୍ଣମାସୀଙ୍କୁ ସନ୍ନ୍ୟାସିନୀ କରି ଦେଇଥିଲା। ଏହାପରେ ପୂର୍ଣ୍ଣମାସୀ ଜଙ୍ଗଲରେ ଏକ ଗୁମ୍ଫାରେ ରହି ସନ୍ଥ ଜୀବନ ବିତାଇଥିଲେ। ପୂର୍ଣ୍ଣମାସୀଙ୍କ ମୁଖନିସୃତ ଭଜନ ଓ ଜଣାଣ ସମଗ୍ର କନ୍ଧମାଳ ଜିଲ୍ଲାରେ ଲୋକପ୍ରିୟ ହୋଇପାରିଥିଲା । ୧୯୬୯ ମସିହାରେ ପୂର୍ଣ୍ଣମାସୀ ଟିକାବାଲି ନିକଟସ୍ଥ ବପଲମେଣ୍ଡି ପାହାଡ଼ (ଟାଡିସରୁ)ରେ ପାଦଦେଶରେ ତପସ୍ୟା କରି ନିର୍ବାଣପ୍ରାପ୍ତ ହୋଇଥିଲେ। ଏହା ପରଠୁ ପୂର୍ଣ୍ଣମାସୀ ଓରଫ ଟାଡ଼ିସରୁ ବାଇ ଜଣେ ବିଷ୍ଣୁଭକ୍ତ ସନ୍ନ୍ୟାସିନୀ ଭାବେ କନ୍ଧମାଳ ଜିଲ୍ଲାରେ ପରିଚିତ ହୋଇଥିଲେ। ସେ ଟାଡ଼ିସରୁ ପାହାଡ଼ ପାଦଦେଶରେ ତପସ୍ୟା କରି ନିର୍ବାଣପ୍ରାପ୍ତ ହୋଇଥିବାରୁ ତାଙ୍କ ନାମ ଟାଡିସରୁ ବାଇ  ଭାବେ ପରିଚିତ ହୋଇଥିଲା। ସେ ପଦ୍ମଶ୍ରୀ ପାଉଥିବାରୁ ସମଗ୍ର କନ୍ଧମାଳ ଜିଲ୍ଲାରେ ଆନନ୍ଦର ଉଲ୍ଲାସ ଖେଳିଯାଇଛି ।ଭାରତ ସରକାରଙ୍କ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପୂର୍ବରୁ ସମ୍ମାନଜନକ ପଦ୍ମ ପୁରସ୍କାର ଓ ପଦ୍ମ ବିଭୂଷଣ ଘୋଷଣା କରାଯାଇଛି।

Related Posts

About The Author

Add Comment