ବାଲିଗୁଡା,01/01.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ନୂତନ ବର୍ଷକୁ ଧୁମଧାମରେ ପାଳନ କରିବା ପାଇଁ କନ୍ଧମାଳ ଜିଲାର ଫୁଲବାଣୀ ସମେତ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଜିଲା ପ୍ରଶାସନ ପକ୍ଷରୁ ଚିହ୍ନଟ ବହୁ ପର୍ଯ୍ୟଟନ ସ୍ଥଳକୁ ବର୍ତ୍ତମାନ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କୁ ପ୍ରବେଶ ଉପରେ ରୋକ୍ ଲଗାଯାଇଥିଲେ ମଧ୍ୟ ଜିଲାର ଅନ୍ୟ କେତେକ ପର୍ଯ୍ୟଟକ ସ୍ଥାନକୁ ବହୁ ସଂଖ୍ୟରେ ପର୍ଯ୍ୟଟକ ଆସୁଥିବାର ଦେଖାଯାଇଛି। ତେବେ ବର୍ତ୍ତମାନ ମଧ୍ୟ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଦାରିଙ୍ଗବାଡ଼ି। ଗୁରବାର ଠାରୁ ବହୁ ପର୍ଯ୍ୟଟକ ଆସିବା ଆରମ୍ଭ କରିଦେଇଛନ୍ତି। ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରବଳ ଶୀତ ହେଉଥିବା ବେଳେ ଜାଡ଼ ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ସେହି ଶୀତର ମଜା ନେବାପାଇଁ ପର୍ଯ୍ୟଟକମାନେ ଆସିଛନ୍ତି। ବର୍ଷର ଶେଷ ଦିନରେ ଶୀତର ମଜାନେବା ସହିତ ଜିରୋନାଇଟ୍ ସେଲିବ୍ରେସନ୍ ଓ ନୂଆବର୍ଷ ପାଳନ କରିବା ପାଇଁ ହଜାରହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ି ଭ୍ରମଣରେ ଆସିଛନ୍ତି।ଆଜି ନୂତନ ବର୍ଷର ପ୍ରଥମ ଦିନ ହୋଇଥିବାରୁ ଓଡ଼ିଶାର କାଶ୍ମୀରରେ ରାଜ୍ୟର ଅନେକ ସ୍ଥାନରୁ ବନ୍ଧୁବାନ୍ଧବ ମାନେ ବର୍ଷର ପ୍ରଥମ ଦିନରେ ଏକାଠି ହୋଇ ଦାରିଙ୍ଗବାଡ଼ି ଆସି ଖୁସି ମନାଉଛନ୍ତି । ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଗୁରବାର ରାତି ୧୦ଟାରୁ ଶୁକ୍ରବାର ସକାଳ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ନିର୍ଦ୍ଦେଶ ସରକାର ଜାରି କରିବାରୁ ସେମାନଙ୍କ ଜିରୋନାଇଟ ପାଳନ ଆଶା ନିରାଶାରେ ପରିଣତ ହୋଇଛି ବୋଲି ଭୁବନେଶ୍ୱର , କଟକ , ହାଇଦ୍ରାବାଦ ,ବାଙ୍ଗାଲୋର ଭଳି କେତେକ ଅଞ୍ଚଳରୁ ଆସିଥିବା ପର୍ଯ୍ୟଟକମାନେ ପ୍ରକାଶ କରିବା ସହିତ ରାଜ୍ୟ ସରକାଙ୍କ ନିର୍ଦ୍ଦେଶକୁ ମାନି ଚଳିବେ ବୋଲି କହିଛନ୍ତି।