ଯାଜପୁର/,୧୩/୦୯ (ସନ୍ଧାନ ନିୟୁଜ):(ସାଗରୀକା ଦଳାଇ) ଚଣ୍ଡିଖୋଲ- ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କନ୍ତପଡ଼ା ଛକ ନିକଟରେ ଏକ ଗଳିପୋଲ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ କନ୍ତପଡ଼ା ଛକ ସ୍ଥାନୀୟ ଅଞ୍ଚଳର ଏକ ମୁଖ୍ୟ ବଜାର ତଥା ଛକ ଅଟେ। ତେଣୁ ଲୋକ ମାନେ ରାସ୍ତା ଅତିକ୍ରମ କରିବା ପାଇଁ ଏଠାରେ ଏକ ଗଳିପୋଲ ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ। ସ୍ଥାନୀୟ ଲୋକମାନେ ଏନେଇ ଧର୍ମଶାଳା ବିଧାୟକ ଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।। ସ୍ଥାନୀୟ ରାଇଛନ୍ଦା ପଞ୍ଚାୟତ ସରପଞ୍ଚ ଦିପ୍ତୀମୟୀ ଜେନାଙ୍କ ସମେତ ପ୍ରାୟ ୧ ହଜାର ରୁ ଉର୍ଦ୍ଧ୍ବ ଦସ୍ତଖତ ସମ୍ବଳିତ ଦାବି ପତ୍ରରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି।ଅଞ୍ଚଳର ଚଣ୍ଡିଖୋଲ- ଡୁବୁରୀ ୫୩ ନାମ୍ବର ଜାତୀୟ ରାଜପଥର ଏକ ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି। ମାତ୍ର ଜାତୀୟ ରାଜପଥ ପ୍ରାଧିକରଣ ଜନସାଧାରଣଙ୍କ ସୁବିଧା ତଥା ସୁରକ୍ଷିତ ଗମନାଗମନ କୁ ଅଣଦେଖା କରୁଥିବା ଜଣାପଡିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା କାମ ଚାଲୁଥିବା ବେଳେ ରାସ୍ତା ପାର୍ଶ୍ୱବର୍ତ୍ତୀ ଜନ ସାଧାରଣ ଏବଂ ଛକ ଗୁଡ଼ିକରେ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରିବା ପାଇଁ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ହୋଇଥାଏ। ମାତ୍ର ଜେନାପୁର ଥାନା ଅଧିନ କନ୍ତପଡ଼ା ଛକ ନିକଟରେ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି। ଯାହା ଫଳରେ ହଜାର ହଜାର ଜନସାଧାରଣ ଅସୁବିଧା ଭୋଗ କରିବା ସହିତ ଦୁର୍ଘଟଣା ଆଶଙ୍କା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ମଧ୍ୟ ସମ୍ଭାବନା ଦେଖା ଦେଇଛି। ଏହି କନ୍ତପଡ଼ା ନିକଟରେ ଏକ ବଜାର ଏବଂ କନ୍ତପଡ଼ା ଗାଁ ସହିତ କନ୍ତପଡ଼ା ବଜାର ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ବଜାର ରହିଥିବାରୁ ରାସ୍ତାର ଉଚ୍ଚତା ବୃଦ୍ଧି ପାଇଲେ ଲୋକ ମାନେ ରାସ୍ତା ଅତିକ୍ରମ କରିବାରେ ଅସୁବିଧା ସୃଷ୍ଟି ହେବ। ଏହା ସହିତ ଲୋକ ମାନେ ବିପଦପୂର୍ଣ୍ଣ ଭାବେ ଅତିକ୍ରମ କଲେ ଦୁର୍ଘଟଣାର ସମ୍ଭାବନା ରହିଛି।ରାଇଛନ୍ଦା ପଞ୍ଚାୟତ ଅଧୀନରେ ଥିବା କନ୍ତପଡ଼ା ଗାଁ ଦେଇ ମୁକୁନ୍ଦ ପାତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଦେଇ ତାଳଜଙ୍ଗ ପଞ୍ଚାୟତ ବଳରାମ ପୁର କୁ ସଂଯୋଗ କରୁଥିବା ଏହି ରାସ୍ତା ବ୍ରାହ୍ମଣୀ ନଦୀ ବନ୍ଧ ଦେଇ ଢେଙ୍କାନାଳ ଜିଲ୍ଲାକୁ ସଂଯୋଗ କରୁଛି। ଯାତାୟାତ ଆବଶ୍ୟକତା ଦୃଷ୍ଟିରୁ ଏହି ରାସ୍ତା ସ୍ଥାନୀୟ ଜନସାଧାରଣ ଙ୍କ ର ଏକ ମୁଖ୍ୟ ରାସ୍ତା ଅଟେ। ଏହା ସହିତ କନ୍ତପଡ଼ା,ତୋଟା ସାହି, ତଇଲାସାହି, ରାମପୁର କଇଥା,ବାଲି କୁଦିଆ, ଆଦି ଅଞ୍ଚଳ ପାଇଁ କନ୍ତପଡ଼ା ଛକ ମୁଖ୍ୟ ଅଟେ। ଦୈନିକ ହଜାର ହଜାର ଲୋକ ନିଜ ନିଜ ବିଭିନ୍ନ କାମ ପାଇଁ ଏହି ଛକ ଉପରେ ନିର୍ଭର କରନ୍ତି। ମାତ୍ର ରାସ୍ତା ସମ୍ପ୍ରସାରଣ ସମୟରେ ଏହି ଛକ ନିକଟରେ ଏକ ଗଳିପୋଲ ନିର୍ମାଣ କରା ନ ଯାଇ ଜନସାଧାରଣଙ୍କ ଯାତାୟାତ ପାଇଁ ଅସୁବିଧା ଏବଂ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ଛକରୁ ମୁକୁନ୍ଦ ପାତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମୁକୁନ୍ଦପାତ୍ର ଡିଗ୍ରୀ କଲେଜ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କମ୍ପୁଟର ସେଣ୍ଟର, କୋଚିଂ ସେଣ୍ଟର, ଜନସେବା କେନ୍ଦ୍ର,ହୋଟେଲ,ମୋଟର ସାଇକେଲ ଶୋରୁମ, ଗ୍ୟାରେଜ, ବିଭିନ୍ନ ବେସରକାରୀ ଅଫିସ ସହିତ ହଜାର ହଜାର ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀଙ୍କ ଏକ ମାତ୍ର ରାସ୍ତା। ଯେଉଁ ଛକରେ ଓଲ୍ହାଇ ରାସ୍ତା ଅତିକ୍ରମ କରି ନିଜ ନିଜର ଶିକ୍ଷା ଲାଭ ତଥା ଭବିଷ୍ୟତ ଗଢ଼ିବା ପାଇଁ ଦୈନିକ ଯିବା ଆସିବା କରିଥାନ୍ତି। ଚଣ୍ଡିଖୋଲ- ଡୁବୁରୀ ଜାତୀୟ ରାଜପଥ ଏକ ବିପଦ ପୂର୍ଣ୍ଣ ରାଜପଥ ଭାବେ ପରିଚିତ। ଯଦି ପୁଣି ଏହି ଭଳି ତ୍ରୁଟି ପୂର୍ଣ୍ଣ ନିର୍ମାଣ କରାଯାଏ ତେବେ ଏଠାରେ ଦୁର୍ଘଟଣା ବୃଦ୍ଧି ପାଇବା ସହିତ ଉକ୍ତ ଛକ ନିକଟରେ ଲୋକ ମାନେ ପୋକ ମାଛି ପରି ମରିବେ। ଏନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜାତୀୟ ରାଜପଥର ଉଚ୍ଚ ପଦସ୍ଥ ଅଧିକାରୀ ତଥା ରେଜିଓନାଲ ଅଫିସର ଏବଂ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅବଗତ କରାଯାଇଥିବା ଜଣାପଡିଛି। ଜନସାଧାରଣଙ୍କ ସ୍ୱାର୍ଥ ଏବଂ ହଜାର ହଜାର ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହିତ ଏହି ଛକରେ ଏକ ଗଳି ପୋଲ ନିର୍ମାଣ ପାଇଁ ଦାବି ହୋଇଛି।
କନ୍ତପଡ଼ା ଛକରେ ଗଳି ପୋଲ ନିର୍ମାଣ ପାଇଁ ଦାବି।
|
September 13, 2025 |



