ଭୁବନେଶ୍ବର/ମୀରପୁର ୮/୧୦(ସନ୍ଧାନ ନିୟୁଜ)ସପ୍ତାହକ ତଳେ ରୋହିତ ଶର୍ମାଙ୍କ ବରିଷ୍ଠ ଦଳ ଦୁବାଇରେ ଏସିଆ କପ୍ ମୁକୁଟ ଜିତିଥିବା ବେଳେ ରବିବାର ଭାରତୀୟ କନିଷ୍ଠ ଦଳ ଅନୁରୂପ ସଫଳତା ଅର୍ଜନ କରିଛି। ବାଂଲାଦେଶର ମୀରପୁରଠାରେ ରବିବାର ଅନୁଷ୍ଠିତ ଫାଇନାଲ୍ରେ ଭାରତ ଶ୍ରୀଲଙ୍କାକୁ ୧୪୪ ରନ୍ର ବଡ଼ ବ୍ୟବଧାନରେ ହରାଇ ଏହି ଗୌରବ ଅର୍ଜନ କରିଛି। ଏଥି ସହ ଉଦୀୟମାନ ଦ୍ରୁତ ବୋଲର ରାଜେଶ ମହାନ୍ତି ମଧ୍ୟ ଏସିଆ କପ୍ ଜିତିବାର ବିରଳ ଓଡ଼ିଆଙ୍କ କ୍ଲବ୍ରେ ସାମିଲ ହୋଇଛନ୍ତି। ଢାକା ନିକଟସ୍ଥ ମୀରପୁରର ସେରେ ବାଙ୍ଗ୍ଲା ନ୍ୟାସନାଲ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଫାଇନାଲରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଯଶସ୍ବୀ ଜୟସ୍ବାଲ (୮୫, ୧୧୩ ବଲ, ୮ ଚୌକା, ୧ ଛକା) ଏବଂ ଅନୂଜ ରାୱତ (୫୭, ୭୯ ବଲ, ୪ ଚୌକା, ୩ ଛକା) ପ୍ରଥମ ୱିକେଟ୍ ପାଇଁ ୧୨୧ ରନ୍ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ଏହା ପରେ ଦେବଦତ୍ତ ପଦିକଲ୍ଲ (୩୧, ୪୩ ବଲ, ୧ ଚୌକା, ୧ ଛକା) ସୁଯୋଗ ହାତଛଡ଼ା କରିଥିଲେ। କିନ୍ତୁ ୱିକେଟରକ୍ଷକ ଅଧିନାୟକ ପି ସୀମରନ୍ ସିଂହ (୬୫*, ୩୭ ବଲ, ୩ ଚୌକା, ୪ ଛକା) ଏବଂ ଆୟୁଷ ବଦୋନି (୫୨*, ୨୮ ବଲ୍, ୨ ଚୌକା, ୫ ଛକା) ବିସ୍ଫୋରକ ବ୍ୟାଟିଂ କରି ଶେଷ ୯ ଓଭରରେ ୧୧୦ ରନ୍ ଯୋଡ଼ିବାରୁ ଭାରତ ନିର୍ଧାରିତ ୫୦ ଓଭରରେ ୩ ୱିକେଟ୍ ବିନିମୟରେ ୩୦୪ ରନ୍ କରିଥିଲା।
ଜବାବରେ ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୩୮.୪ ଓଭରରେ ୧୬୦ ରନ୍ରେ ସୀମିତ ରହିଥିଲା। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ତଥା ୱିକେଟରକ୍ଷକ ନିଶାନ ମଦୁକ୍ଷା ଫର୍ନାଣ୍ଡୋ ସର୍ବାଧିକ ୪୯ ରନ୍ କରିପାରିଥିଲେ। ମଧ୍ୟକ୍ରମରେ ନଭୋଦ ପରଣଭିତନା ୪୮ ରନ୍ କରିଥିଲେ। ଭାରତ ପକ୍ଷରୁ ମୋହିତ ଜାଙ୍ଗରା ଓ ରାଜେଶ ମହାନ୍ତି ବୋଲିଂ ଆରମ୍ଭ କରିଥିଲେ ମଧ୍ୟ ବାମହାତୀ ସ୍ପିନର ହର୍ଷ ତ୍ୟାଗୀ ସଫଳତମ ବୋଲର ଭାବେ ଶ୍ରୀଲଙ୍କାକୁ ଧରାଶାୟୀ କରିଥିଲେ। ଚମତ୍କାର ବୋଲିଂ ଚିତ୍ର ୧୦-୦-୩୮-୬ ସହିତ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତେବେ ଏସିଆ କପ୍ ସାରା ପ୍ରାଧାନ୍ୟ ବିସ୍ତାର କରିଥିବା ଯଶସ୍ବୀ ଜୟସ୍ବାଲ (୪ ମ୍ୟାଚ୍ରୁ ୩୧୮ ରନ୍) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସମ୍ମାନ ଅର୍ଜନ କରିଥିଲେ। ରାମେଶ୍ବର ତାରକା ରାଜେଶ ମହାନ୍ତି ପ୍ରତିଯୋଗିତାରେ ୩ ମ୍ୟାଚ୍ ଖେଳି ଗୋଟିଏ ୱିକେଟ୍ ପାଇଥିଲେ ମଧ୍ୟ ମିତ୍ତବ୍ୟୟୀ ବୋଲିଂ କରିଥିଲେ। ଫାଇନାଲରେ ରାଜେଶ ୪-୧-୧୮-୦ ବୋଲିଂ ଚିତ୍ର ସହ ଏସିଆ କପ୍ ବିଜୟର ଅଂଶୀଦାର ରହିଥିଲେ।