ନୂଆଦିଲ୍ଲୀ, (ସନ୍ଧାନ ନିଉଜ): ପୂର୍ବ ଲଦ୍ଦାଖରେ ଦୀର୍ଘ ୨ ବର୍ଷ ହେଲା ଚାଲିଥିବା ସୀମା ବିବାଦ ନେଇ ଭାରତ ଓ ଚୀନ ମଧ୍ୟରେ ୧୬ ପର୍ଯ୍ୟାୟର ଆଲୋଚନା ହୋଇଛି । କିନ୍ତୁ ଚୀନ ମାମଲାର ସମାଧାନ ପାଇଁ ଆଗ୍ରହୀ ନ ଥିବା କୁହାଯାଉଛି । ଚୀନ କଥାବାର୍ତ୍ତା ଆଳରେ ଚୀନ ସୀମାରେ ନିଜକୁ ମଜବୁତ କରିବାକୁ ଲାଗି ପଡ଼ିଛି । ଚୀନର ସେନା ପିପୁଲ୍ସ ଲିବରେଶନ ଆର୍ମି ନିକଟରେ ଏଲଏସି ପାଖରେ ଶିନଜିୟାଙ୍ଗ ଅଞ୍ଚଳରେ ଆଡଭାନ୍ସ ମଲ୍ଟିପଲ ଲଞ୍ଚ ରକେଟ ସିଷ୍ଟମ ପରୀକ୍ଷା କରିଛି । ଉଚ୍ଚ ପାହାଡ଼ରୁ ଯୁଦ୍ଧ ପାଇଁ କରାଯାଇଥିବା ଏହି ରକେଟ ସିଷ୍ଟମ ଉପରେ ଭାରତୀୟ ସେନା ଠିକଣାକୁ ଟାର୍ଗେଟ କରିପାରେ ବୋଲି ମଧ୍ୟ ସଂଦେହ ହେଉଛି ।
ଚୀନର ସରକାର ଗଣମାଧ୍ୟମ କହିଛି ଯେ, ଚୀନ ଖୁବ ଶୀଘ୍ର ଭାରତ-ଚୀନ ସୀମାରେ ପିଏଚଏ-୧୬ ଏମ୍ଏଲ୍ଆରଏସ୍କୁ ମୁତୟନ କରିବା ଦିଗରେ ଅଗ୍ରସର ହେଉଛି । କେବଳ ସେତିକି ନୁହେଁ ପିଏଲ୍ଏ ଝିଜିୟାଙ୍ଗ ଅଞ୍ଚଳରେ ଏକ ନୂଆ ପ୍ରକାରର ରକେଟ ମାଇନ୍ ବିଛାଇବା ବାହନର ଲାଇଭ ଫାୟର ଡ୍ରିଲ୍ ମଧ୍ୟ କରିଛି ।
ଚୀନ୍ର ସରକାରୀ ମିଡିଆ ନେଟୱକ୍ ସିସିଟିଭି ବୁଧବାର ୩୩ ସେକେଣ୍ଡର ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଚୀନ ସୈନିକ ପୋଙ୍ଗୋଙ୍ଗ୍ ହ୍ରଦକୁ ଅକ୍ତିଆର କରିବା ଲାଗି ହେଲିକପ୍ଟର ଦ୍ୱାରା ଆକ୍ରମଣ କରିବାକୁ ଅଭ୍ୟାସ କରୁଥିବା ଦେଖାଯାଇଛି । ଏହି ଭିଡିଓ ଭାରତ ଓ ଚୀନ ମଧ୍ୟରେ ୧୬ ପର୍ଯ୍ୟାୟର ଆଲୋଚନାର କିଛି ଘଣ୍ଟା ପରେ ଦେଖାଯାଇଛି ।