ନୂଆଦିଲ୍ଲୀ, ୦୨/୦୫ (ସନ୍ଧାନ ନିଉଜ) : କରୋନା ମୁକାବିଲା ପାଇଁ ଲକଡାଉନର ଅବଧି ଦୁଇ ସପ୍ତାହ ବୃଦ୍ଧି କରାଯାଇଛି। କଣ୍ଟେଣ୍ଟମେଣ୍ଟ ଜୋନ ପାଇଁ ରହିବ କଟକଣା। ଏହି ଜୋନରେ ରହୁଥିବା ସମସ୍ତ ବାସିନ୍ଦା ଆରୋଗ୍ୟ ସେତୁ ଆପ ବ୍ୟବହାର କରୁଥିବା ନେଇ ସ୍ଥାନୀୟ କର୍ତ୍ତୃପକ୍ଷ ନିଶ୍ଚିତ କରିବେ ବୋଲି କହିଛି ଗୃହ ମନ୍ତ୍ରାଳୟ।ଏହି ଆପ କୋଭିଡ-୧୯ ଭୂତାଣୁ ସଂସ୍ପର୍ଶରେ ଆସିବାର ବିପଦ ସ୍ତର ନିର୍ଣ୍ଣୟ କରିବା ପାଇଁ ବ୍ଲୁଟୁଥ୍-ଆଧାରିତ ନିକଟତର ଟ୍ରାକିଂ ଓ ଅବସ୍ଥାନ ତଥ୍ୟ ବ୍ୟବହାର କରେ। ଉପଭୋକ୍ତା ସେମାନଙ୍କ ମୋବାଇଲ୍ ନମ୍ବର ବ୍ୟବହାର କରି ଆପରେ ପଞ୍ଜିକରଣ କରିବା ପରେ ନାମ, ବୟସ, ଲିଙ୍ଗ ଓ ବୃତ୍ତି ପରି ବ୍ୟକ୍ତିଗତ ବିବରଣୀ ପ୍ରବେଶ କରିବାକୁ ପଡିଥାଏ।
କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଏସଓପି ଲାଗୁ ହୋଇଛି। ତେଣୁ ପ୍ରଶାସନ ପକ୍ଷରୁ ବ୍ୟାପକ କଣ୍ଟାକ୍ଟ ଟ୍ରେସିଂ କରାଯିବ। ଲକ୍ଷଣ, ଯାତ୍ରା ଇତିହାସ, ସଂକ୍ରମିତଙ୍କ ସହିତ ସଂପର୍କକୁ ଲକ୍ଷ୍ୟ ରଖି ବ୍ୟକ୍ତିଙ୍କୁ କ୍ୱାରାଣ୍ଟାଇନ କରାଯିବ। ଥଣ୍ଡା, ଜ୍ୱାର, ଶ୍ୱାସକ୍ରିୟାରେ ସମସ୍ୟା ଥିବା ଲୋକମାନଙ୍କର ନମୁନା ପରୀକ୍ଷଣ କରାଯିବ।