କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ; ନିର୍ବାଚନ ସ୍ଥଗିତ, ବିଭିନ୍ନ ମହଲରୁ ଶୋକ

Spread the love

ଭୁବନେଶ୍ବର,14/04/2021 (ସନ୍ଧାନ ନିଉଜ): ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଏହି ନିଷ୍ପତ୍ତି ନିଆଯାଇଛି।  ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ପଦକ୍ଷେପ ନିଆଯିବ। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ(୫୨)ଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ବର ସ୍ଥିତ ଆପୋଲୋ ହସ୍‌ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତକୁ ନେଇ ସବୁ ଦଳର ନେତୃତ୍ୱ ମାନେ ଦୁଃଖ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ବିଜେପି ମହିଳା ମୋର୍ଚ୍ଚାର ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ ଏବଂ ମନୀଷା ଚିନ୍ମିୟୀ ବେହେରା ମଧ୍ୟ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି।ସମ୍ବିଧାନର ନିର୍ବାଚନ ଲୋକ ପ୍ରତିନିଧି ଆଇନ ୧୯୫୧ ର ୫୨ତମ ଅନୁଚ୍ଛେଦ  ଅନୁସାରେ ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କର ଯଦି ମତଦାନ ପୂର୍ବରୁ ଦେହାନ୍ତ ହୁଏ, ତାହେଲେ ନିର୍ବାଚନ କମିଶନ ସ୍ୱତନ୍ତ୍ର କ୍ଷମତା ବଳରେ ନିର୍ବାଚନକୁ ସ୍ଥଗିତ କରିପାରିବେ। ଧାରାରେ ଉଲ୍ଳେଖ ରହିଛି ଯେ, ଯଦି ନାମାଙ୍କନ ଦାଖଲର ଶେଷ ତାରିଖର ଦିନ ୧୧ଟା ପରେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟେ ତାଙ୍କ ନାମାଙ୍କନକୁ ଅନୁଚ୍ଛେଦ ୩୬ ସିଦ୍ଧ ଘୋଷଣା କରାଯାଇଥାଏ। କିମ୍ବା ଧାରା ୩୭ ଅନୁସାରେ ଯଦି ସେ ନିଜର ନାମାଙ୍କନ ପ୍ରତ୍ୟାହାର କରି ନଥାଆନ୍ତି, ତେବେ ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ନିର୍ବାଚନକୁ ସ୍ଥଗିତ ରଖି ଆଉ ଏକ ନୂଆ ତାରିଖ ଘୋଷଣା କରିପାରନ୍ତି। ତାଙ୍କ ପାଖରେ ଏଥି ନେଇ ଆବଶ୍ୟକ ମେଡିକାଲ୍ ରିପୋର୍ଟ ରିଟର୍ଣ୍ଣିଂ ପହଞ୍ଚିବା ଆବଶ୍ୟକ। ନିର୍ବାଚନ କମିଶନଙ୍କୁ ଏହି ନିଷ୍ପତ୍ତି ଜଣାଇଲା ପରେ ତାରିଖ ନିର୍ଦ୍ଧାରଣ ନେଇ ନିଷ୍ପତ୍ତି ନିଆଯିବ। ଏହି କ୍ଷେତ୍ରରେ ନିର୍ବାଚନ କମିଶନ ସମ୍ପୃକ୍ତ ରିଟର୍ଣ୍ଣି ଅଧିକାରୀଙ୍କୁ ସେହି ନିର୍ଦିଷ୍ଟ ରାଜନୀତିକ ଦଳକୁ ଆଉ ଜଣେ ବିକଳ୍ପ ପ୍ରାର୍ଥୀ ଘୋଷଣା କରିବାକୁ ନିର୍ଦେଶ ଦେବେ। ୭ ଦିନ ଏଥିଲାଗି ସମୟ ଦିଆଯିବ। ଏହା ପରେ ଆବଶ୍ୟକ ପ୍ରକ୍ରିୟା ଗ୍ରହଣ କରାଯାଇ ଭୋଟ ଗ୍ରହଣ କରାଯିବ।

Related Posts

About The Author

Add Comment