ଭଦ୍ରକ,୫/୮ (ସନ୍ଧାନ ନିୟୁଜ ) ଓଡ଼ିଆ ଭାଷାରେ ନାମଫଳକ ଲଗାଇବାକୁ ନେଇ ଜିଲ୍ଲା ପ୍ରଶାସନର ଉଦ୍ୟମ ଏକ ପ୍ରକାର ଫେଲ ମାରିଥିବା ଦେଖିବାକୁ ମିଳୁଛି। ଭଦ୍ରକ ସହରର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲଗାଇବାକୁ ପ୍ରଶାସନ ସମସ୍ତଙ୍କୁ ପରାମର୍ଶ ଦେଇଥିଲା। ଏଥିନେଇ ଜିଲ୍ଲା ପ୍ରଶାସନ ପୂର୍ବ ପ୍ରସ୍ତୁତି ସହ ନିଷ୍ଠାପର ଉଦ୍ୟମ ଆରମ୍ଭ କରିଥିଲା। ବିଭିନ୍ନ ଅନୁଷ୍ଠାନମାନଙ୍କ ସହ ବୈଠକରେ ମିଳିତ ହୋଇ ସେମାନଙ୍କୁ ଏ ସମ୍ପର୍କରେ ତାଗିଦ କରିବା ସହ ଉପଯୁକ୍ତ ପରାମର୍ଶ ଦେଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ସହରରେ ଏ ସମ୍ପର୍କରେ ପ୍ରଚାର ପ୍ରସାର କରାଯାଇ ସଚେତନତା ସୃଷ୍ଟି ମଧ୍ୟ କରାଯାଇଥିଲା। ହେଲେ ଜିଲ୍ଲା ପ୍ରଶାସନର ଏହି ତାଗିଦ କିମ୍ବା ପରାମର୍ଶ ଆଜି ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ କାର୍ଯ୍ୟକାରି ଦେଖିବାକୁ ମିଳି ନାହିଁ। ସୂଚନାରୁ ଯାହା ଜଣାପଡ଼ିଛି ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରୀ ଓ ବେସରକାରୀ ତଥା ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କରେ ପ୍ରଶାସନ ପକ୍ଷରୁ ଚିଠି ନଂ ୮୯/ ୧୫.୦୩.୧୮ ମୂଳେ ଓଡ଼ିଆ ଭାଷାରେ ନାମଫଳକ ଲଗାଇବା ସହ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ତାଗିଦ୍ କରାଯାଇଥିଲା। ସରକାରଙ୍କ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କୁହାଯାଇଥିଲା। ଏହି ବୈଠକରେ ଭଦ୍ରକ ଚାମ୍ବର ଅଫ କମର୍ସ, କଚେରୀ ବଜାର, ଘୋଷରା ବଜାର, ଏକତା ମାର୍କେଟ, ବନ୍ତଛକ, ସାଳନ୍ଦୀ ବାଇପାସ, ପୁରୁଣା ବଜାର, ଚନ୍ଦନବଜାର ଓ ଚରମ୍ପା ବଜାର ବଣିକ ସଂଘର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳ ବିଭିନ୍ନ ଅନୁଷ୍ଠାନମାନଙ୍କ ମତାମତ ସଂଗ୍ରହ କରିଥିଲେ। ପରେ ସମସ୍ତ ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ନାମଫଳକ ଓଡ଼ିଆ ଭାଷାରେ ଲେଖିବାପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ସମସ୍ତ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ତାଗିଦ୍ କରାଯାଇଥିଲା। ଯଦି କୌଣସି ଅନୁଷ୍ଠାନ ଅନ୍ୟ ଭାଷାରେ ଲେଖିବାକୁ ଆଗ୍ରହୀ, ତେବେ ତାହା ଓଡ଼ିଆ ଭାଷାରେ ଲେଖିବା ପରେ ଏହା ଲେଖି ପାରିବେ ବୋଲି କହିଥିଲେ। ତୃଣମୂଳସ୍ତରରେ ସଚେତନତା ସୃଷ୍ଟି କରିବା ନିମିତ୍ତ ଅନୁଷ୍ଠାନର ମୁଖ୍ୟମାନେ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସ୍ୱତଃସ୍ପୂର୍ତ୍ତ ଭାବେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ସମସ୍ତଙ୍କୁ ଆବେଗ ଓ ଆଗ୍ରହ ଦେଖାଇବା ଦିଗରେ ବୈଠକରେ ଗୁରୁତ୍ୱରୋପ କରାଯାଇଥିଲା। ଠିକ ସେହିପରି ବ୍ୟବସାୟିକ ପ୍ରତିଷ୍ଠାନର ମାଲିକମାନେ ସେମାନେ ନେଇଥିବା ଫ୍ରାଞ୍ଚାଇଜ୍ କମ୍ପାନୀମାନଙ୍କର ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଓଡ଼ିଆ ଭାଷାରେ ନାମଫଳକ ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଇତି ମଧ୍ୟରେ ପ୍ରଶାସନ ସ୍ଥିର କରିଥିବା ତାରିଖ ଅତିକ୍ରମ କରିସାରିଛି। ହେଲେ ଜିଲ୍ଲାପାଳଙ୍କ ତାଗିଦ, ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ସାମାନ୍ୟତମ ପ୍ରଭାବ କୌଣସି ସ୍ଥାନରେ ଦେଖିବାକୁ ମିଳିନି। କାରଣ ସହରର କୌଣସି ଗୋଟିଏ ପ୍ରତିଷ୍ଠାନ ଏଦିଗରେ ନିଜର ଅଙ୍ଗୀକାରବଦ୍ଧତା ବା ଆଗ୍ରହ ଦେଖାଇ ନାହାନ୍ତି। ଯେଉଁଠି ଦେଖିଲେ ସେହି ପୂର୍ବର ନାମଫଳକ। ଅପରପକ୍ଷରେ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏପରିକି ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମଫଳକ ଓଡ଼ିଆରେ ଲେଖାଯାଇଥିଲେ ମଧ୍ୟ ଲେଖାପଢ଼ା ଚାଲିଛି ସମ୍ପୂର୍ଣ୍ଣ ଇଂରାଜୀ ଭାଷାରେ। ଏହାକୁ ନେଇ ଚିନ୍ତାପ୍ରକଟ କରିଛି ଉତ୍କଳ ସମ୍ମିଳନୀ ଓ ଭାଷା ପ୍ରତିଷ୍ଠାନ। ବିଭିନ୍ନ ସଂଗଠନ ଭାଷା ଆନ୍ଦୋଳନ ଜରିଆରେ ସରକାର ଓ ପ୍ରଶାସନ ଉପରେ ଏହି ପ୍ରସଙ୍ଗରେ ଚାପ ପକାଇ ଆସିଥିଲେ। ଶେଷରେ ସରକାର ଏ ଦିଗରେ କିଛି ସାକରାତ୍ମକ ଦୃଷ୍ଟିକୋଣ ଆପଣେଇ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲା ପ୍ରଶାସନର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଜନସାଧାରଣଙ୍କ ମଧ୍ୟରେ ଅନାଗ୍ରହ ଭାବ ଓ ଆତ୍ମସଚେତନତାର ଅଭାବ ଯୋଗୁଁ ଆଜି ଏହି ଉଦ୍ୟମ ଫେଲ ମାରିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଓଡ଼ିଆରେ ନାମଫଳକ ଲେଖିବା ପ୍ରସଂଗ : କଟକଣା ମାନିନାହାନ୍ତି ବ୍ୟବସାୟୀ, ପ୍ରଶାସନ ଉଦ୍ୟମ ଫେଲ!
|
August 5, 2019 |
