ଓସ୍କାର ପାଇଁ ଫିଲ୍ମ ଫେଡେସେନ୍ ଅଫ ଇଣ୍ଡିଆର ତାଲିକାଭୁକ୍ତ ହେଲା ‘ଦ ଚେକ୍ ପୋଷ୍ଟ’

Spread the love

ଭୁବନେଶ୍ୱର, ୦୯/୧୧/୨୦ (ସନ୍ଧାନ ନିଉଜ) : ଫିଲ୍ମ ଫେଡେରେସନ ‌ଅଫ୍ ଇଣ୍ଡିଆ ପ୍ରତିବର୍ଷ ଭାରତରୁ ଶ୍ରେଷ୍ଠ ସିନେମା ପଠାଇଥାଏ ଏକାଡେମୀ ବା ଓସ୍କାରକୁ। ସେଇ କ୍ରମରେ ୯୩ତମ ଏକାଡେମୀ ବା ଓସ୍କାର ଆୱାର୍ଡ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା। ଯୋଗତ୍ୟ ଅନୁସାରେ ହିନ୍ଦି ଚଳଚିତ୍ର ‘ଦ ଚେକ୍ ପୋଷ୍ଟ’ ଏହି ତାଲିକାରେ ସାମିଲ ହୋଇଛି।

ଓଡିଶା ପ୍ରଯୋଜନା ସଂସ୍ଥା ଗୋଲ୍‌ଡେନ ଟ୍ରାଙ୍ଗେଲ୍ ପ୍ରଡକସନ୍ ଦ୍ୱାରା ନିର୍ମିତ ଏହି ଚଳଚିତ୍ରଟି ଏକ ସତ୍ୟ ଘଟଣା ଉପରେ ପ୍ରସ୍ତୁତ। ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରିୟରଂଜନ ସାହୁଙ୍କ ଲିଖିତ ପୁସ୍ତକ “ତନଖି ଫାଟକ’ ବା ‘ଦ ଚେକ୍ ପୋଷ୍ଟ’କାହାଣୀ ଉପରେ ନିର୍ମିତ ହୋଇଛି ଏହି ଚଳଚିତ୍ର। ଶ୍ରୀଯୁକ୍ତ ପ୍ରିୟରଂଜନ ସାହୁଙ୍କ ଜୀବନରେ ଗୋଟିଏ ଅନାଥ ଛୋଟ ଝିଅଟିର ପ୍ରବେଶ ହୋଇଥିଲା। ଗୋଟିଏ ଚେକ୍ ପୋଷ୍ଟ ବା ତନଖି ଫାଟକ ନିକଟରେ ଝିଅଟି ବାଦାମ ବିକୁ ଥିଲା। ସମୟକ୍ରମେ ପ୍ରିୟରଂଜନ ଝିଅଟି ପ୍ରତି ଆକର୍ଷିତ ହୋଇ ତାକୁ ପୋଷ୍ୟ କନ୍ୟା ସନ୍ତାନ ଭାବରେ ଗ୍ରହଣ କରିଥିଲେ। ୨୦୧୨ ମସିହା ଜୁନ ମାସ ୧୬ ତାରିଖ ଦିନ ପ୍ରିୟରଂଜନ ତାଙ୍କ ବନ୍ଧୁଙ୍କ ସହିତ ଝିଅଟିକୁ ଆଣିବାକୁ ଯାଇଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ପୂର୍ବ ଦିନ ଅର୍ଥାତ୍ ଜୁନ ୧୫ ତାରିଖ ଦିନ ସେହି ଝିଅଟି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇ ସାରିଥିଲା। ଏହା ହେଉଛି ‘ଦ ଚେକ୍ ପୋଷ୍ଟ’ ର ମୌଳିକ କାହାଣୀ। ଏହି ଚଳଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ହାସନ ନାଜର। ଶ୍ରୀଯୁକ୍ତ ହାସନ ହେଉଛନ୍ତି ଜଣେ ବ୍ରିଟିଶ- ଇରାନୀୟ ନିର୍ଦ୍ଦେଶକ। ୨୦୧୫ ମସିହାରେ ତାଙ୍କ ନିର୍ଦ୍ଦେଶିତ ଚଳଚିତ୍ର ‘ୟୁଟୋପିଆ’ ଆଫଗାନିସ୍ତାନ ଦେଶରୁ ଓସ୍କାର ପାଇଁ ମନୋନୀତ ହୋଇଥିଲା। କାହାଣୀର ଚିତ୍ରନାଟ୍ୟ ସମ୍ଭାଳିଛନ୍ତି ଇରାନ୍ ରାଷ୍ଟ୍ରର ଶ୍ରୀ ଆରାଶ୍ ସେଫିଜାମାତିା ଫିଲ୍ମଟିର ସମସ୍ତ ସୁଟିଂ ଭୁବନେଶ୍ୱର ଓ କଟକ ଆଖପାଖରେ ସୁଟିଂ ହୋଇଥିଲା। ୨୦୨୦ ଫେବୃୟାରୀ ମାସରେ ଚଳଚିତ୍ରଟି ଭାରତୀୟ ସେନ୍‌ସର ୟୁ ସାର୍ଟିଫିକେଟ୍ ହାସଲ କରିଛି।

ଇରାନ୍‌, ଇଂଲଣ୍ଡ, ଲୁଥାଇନିଆ ଆଦି ରାଷ୍ଟ୍ରମାନଙ୍କର ବିଭିନ୍ନ ପ୍ରେକ୍ଷାଳୟରେ ଫିଲ୍ମଟି ପ୍ରଦର୍ଶିତ ହୋଇ ଦର୍ଶକ ଓ ସିନେ ସମୀକ୍ଷକଙ୍କ ମନ ଜିଣି ସାରିଛି। ଯୁଗାନ୍ତରେ ଥରେ ଏପରି ହୃଦୟସ୍ପର୍ଶୀ କାହାଣୀକୁ ନେଇ ଚଳଚିତ୍ରଟିଏ ନିର୍ମାଣ ହୋଇଥାଏ ବୋଲି ବିଦେଶୀ ସିନେ ସମୀକ୍ଷକମାନେ ମତ ପୋଷଣ କରିଛନ୍ତି। କରୋନା ପ୍ରାର୍ଦୁଭାବ ପରେ ନିୟମିତ ସିନେମା ହଲ୍ ଖୋଲିଲେ ଫିଲ୍ମଟି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପୁନଃ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ କରାଯାଇଛି।

ଆସନ୍ତା ୧୭ ତାରିଖରୁ ଫିଲ୍ମ ଫେଡେରେସନ୍‌ର ଭର୍ଚୁଆଲ୍ ସ୍କ୍ରିନିଂ କୋଲକତା ଠାରେ ଆରମ୍ଭ ହେବାକୁ ଯାଉଛି। ଏ ବର୍ଷ ‘ଦ ଚେକ୍ ପୋଷ୍ଟ’ ଚଳଚିତ୍ରଟି ନିଶ୍ଚିତ ଭାବରେ ଭାରତ ତରଫରୁ ଓସ୍କାର ପାଇଁ ମନୋନୀତ ହେବ ବୋଲି ଆଶା ରଖିଛନ୍ତି ଚଳଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଲେଖିଥିବା ଓ ନିଜେ ଏହି ଚଳଚିତ୍ରଟିର ମୁଖ୍ୟଭୂମିକାରେ ଅଭିନୟ କରିଥିବା ସାମ୍ବାଦିକ ପ୍ରିୟରଂଜନ ସାହୁ।

Related Posts

About The Author

Add Comment