ଭୁବନେଶ୍ୱର, ୦୧/୦୪ (ସନ୍ଧାନ ନିୟୁଜ) : ସମଗ୍ର ବିଶ୍ୱରେ ମୃତ୍ୟୁ ତାଣ୍ଡବ ରଚିଥିବା କରୋନା ଓଡିଶାରେ ନିୟନ୍ତ୍ରଣାଧୀନ ରହିଛି। ୪୭୩ଟି ପରୀକ୍ଷା ରିପୋର୍ଟ ରାଜ୍ୟ ସରକାରଙ୍କର ହସ୍ତଗତ ହୋଇଥିବା ବେଳେ ସେଥିମଧ୍ୟରୁ ୩ଟି ରିପୋର୍ଟ ପଜିଟିଭ୍ ଆସିଛି। ପଜିଟିଭ୍ ରିପୋର୍ଟ ଆସିଥିବା ୩ ଜଣ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ଅବସ୍ଥା ସ୍ଥିିର ରହିଛି। ଏହାଛଡ଼ା ୫୭ ଜଣ କରୋନା ସନ୍ଦିଗ୍ଧ ଥିବା ବେଳେ ସମସ୍ତେ କ୍ୱାରେଣ୍ଟିନରେ ରହିଛନ୍ତି। ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।ସେ କହିଲେ ଓଡିଶା ବାହାରୁ ୧୧,୫୭୫ ଜଣ ପ୍ରବାସୀ ରାଜ୍ୟକୁ ଆସିଛନ୍ତି। ସେମାନଙ୍କ ମଧ୍ୟରେ ୪,୩୦୪ ଜଣ ବିଦେଶ ଫେରନ୍ତା। ରାଜ୍ୟବାସୀ ଓ ସରକାରଙ୍କ ପାଇଁ ଏହି ବ୍ୟକ୍ତିମାନେ ଚିନ୍ତାର କାରଣ ପାଲଟିଥିବାରୁ ସେମାନଙ୍କ ଉପରେ ବିଶେଷ ଦୃଷ୍ଟି ରଖିବାର ଆବଶ୍ୟକତା ରହିଛି।
ଶ୍ରୀ ବାଗଚୀ କହିଲେ ଭାରତରେ ବର୍ତ୍ତମାନ ସୁଦ୍ଧା ୧୨୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ବିଶ୍ୱର ୨୦୦ ରାଷ୍ଟ୍ର କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।