ରାଉରକେଲା,୩/୧୧ (ସନ୍ଧାନ ନିୟୁଜ) : ଦିନଥିଲା, ଗାଁ ଚାଟଶାଳି ପାଲଟିଥିଲା ଶିଶୁର ବିଦ୍ୟା ସାଧନର ଏକ ମାତ୍ର ବିକଳ୍ପ। ସମୟର ତାଳେ ତାଳେ ବଦଳିବାରେ ଲାଗିଲା ଶିକ୍ଷାର ପ୍ରଣାଳୀ ଓ ବ୍ୟବସ୍ଥା। ବିଦ୍ୟାଳୟରେ ପାଦ ଥାପିଲେ ଶିଶୁ। ମାତ୍ର ନବେ ଦଶକରେ ଓଡିଆ ବିଦ୍ୟାଳୟ ମାନଙ୍କ ସହିତ ପ୍ରତିଯୋଗିତା ଆରମ୍ଭ କରି ବ୍ୟବସାୟିକ ଦୃଷ୍ଟିକୋଣରୁ ଖୋଲିବାରେ ଲାଗିଲା ଇଂରାଜୀ ମାଧ୍ୟମ ବିଦ୍ୟାଳୟ। ଏଇଠୁ ଆରମ୍ଭ ହେଲା ଓଡିଆ ବିଦ୍ୟାଳୟର ଶନିଦଶା, ଧନୀରୁ ଆରମ୍ଭ କରି ମଧ୍ୟବିତ ପରିବାରର ଅଭିଭାବକ ମାନେ ନିଜ ପିଲାମାନଙ୍କୁ ଓଡିଆ ବିଦ୍ୟାଳୟ ପରିବର୍ତେ, ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ପଠାଇବା ଉଚିତ ମନେ କରିବା ସହିତ ଭୁଲିଗଲେଣି ନିଜ ପିଲା ଦିନର ମଧୁବାବୁଙ୍କ ବର୍ଣ୍ଣବୋଧକୁ। ଶିଶୁଟି ତିନୋଟି ବସନ୍ତରେ ପାଦଦେବା ମାତ୍ରେ ଅଭିଭାବକ ଝୁଲେଇଦେଉଛି ଛୁଆ କାନ୍ଧରେ ଓଜନିଆ ଇଂରାଜୀ ପୁସ୍ତକର ଭାର। ଓଡିଶାର ପାଣି ପବନରେ ଜନ୍ମିତ ଶିଶୁଟି ମଧ୍ୟ ଜୋର ଦେଇ କହୁଛିଯେ ‘ସେ ଇଂଲିସ ମିଡିୟମ ଛୁଆ’! ଏହା ଶୁଣିଲେ ଯେମିତି ଛାତି ଥରି ଉଠୁଛି। ଧିରେ ଧିରେ ଭୁଲିବାରେ ଲାଗୁଛି ନିଜର ଭାଷା, ସଂସ୍କୃତି ଐତିହ ଓ ପରମ୍ପରାକୁ। ତେଣୁ ଆଜିକା ସମାଜରେ ଯଦି ଏପ୍ରକାର ଅହଙ୍କାରର ପ୍ରତୀଯୋଗିତା ଲାଗିରହିବ ଶିକ୍ଷା କ୍ଷେତ୍ରରେ, ଏମତି ଏକ ଦିନ ଆସିବ, ଆମ ପରପିଢୀ ମାନେ ଓଡିଆ ଭାଷା ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିବେ ଏବଂ ଏପଟେ ଓଡିଆ ଭାଷାକୁ ବଂଚାଇବା ପାଇଁ ଆମେ ବିଭିନ୍ନ ଅନୁଷ୍ଠାନ ଗଠନ କରି ସଚେତନତା ସୃଷ୍ଟି କରି ଚାଲୁଥିବା(!) ଯାହାକି ଧର୍ମକୁ ଆଖିଠାର ସଦୃଶ। ଅଭିଭାବକ ମାନଙ୍କ ବିମୁଖତା ଯୋଗୁ ବର୍ତମାନ ଧିରେ ଧିରେ ଓଡିଆ ମାଧ୍ୟମ ବିଦ୍ୟାଳୟ ଗୁଡିକ ବନ୍ଦ ହେବାକୁ ବସୁଥିବା ବେଳେ, ଅପରପକ୍ଷରେ ଛତୁ ଫୁଟିବା ଭଳି ଖୋଲିବାରେ ଲାଗିଛି ଇଂରାଜୀ ମାଧ୍ୟମ ବିଦ୍ୟାଳୟ।
ଓଡିଆ ସ୍କୁଲ ମାଟି ମାଡୁ ନାହାନ୍ତି ଅଭିଭାବକ!
|
November 3, 2019 |