ଭୁବନେଶ୍ୱର, ୨୫/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) : ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ୩୦ଟି ଜିଲ୍ଲାକୁ ଲକଡାଉନ୍ ଘୋଷଣା କରିଛନ୍ତି। ସେହି ଅନୁଯାୟୀ ୨୨ଜଣ ବରିଷ୍ଠ ଓଏଏସ ଅଫିସରଙ୍କର ବଦଳି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏହି ଅଧିକାରୀମାନେ କରୋନା ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ତୁଲାଇବେ। ଯେହେତୁ ସେସବୁ ଜିଲ୍ଲାରେ ଥିବା ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନିକ) କାର୍ଯ୍ୟ ତୁଲାଉଛନ୍ତି ନବ ନିଯୁକ୍ତ ଅଧିକାରୀମାନେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଭାବେ କାର୍ଯ୍ୟ କରିବେ। ୪୮ଘଣ୍ଟା ମଧ୍ୟରେ ନୂଆ ଦାୟିତ୍ୱରେ ଯୋଗ ନଦେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।
ମଙ୍ଗଳବାର ପ୍ରକାଶିତ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଓଏଏସ୍ ଅଫିସର ସଂଗ୍ରାମ କେଶରୀ ସ୍ୱାଇଁଙ୍କୁ ଇସ୍ପାତ ଓ ଖଣି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବା ବେଳେ ଶିବ ନାରାୟଣ ନନ୍ଦଙ୍କୁ ସାଧାରଣ ଉଦ୍ୟୋଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଶ୍ରୀ ନନ୍ଦ ଅତିରିକ୍ତ ଭାବେ ଓଡ଼ିଶା ବନ ଉନ୍ନୟନ ନିଗମର ଜେନେରାଲ ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଇବେ।
ସେହିପରି ଲିପସା ଦାସଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ବରିଷ୍ଠ ଓଏଏସ୍ କରୁଣାକର ରାଇକାଙ୍କୁ ଗଜପତିର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ଛେଳିଆଗଡ଼ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଦାୟିତ୍ୱରେ ରହିବେ। ଲିଲି କୁମାରୀ କୁଲୁଙ୍କୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ, ଅରୁଣ କୁମାର ମହାପାତ୍ରଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ, ନରହରି ସେଠୀଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ, ନିବେଦିତା ମିଶ୍ରଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ, ରାସାଇ ଲାଗୁରୀଙ୍କୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଶ୍ରୀ ଲାଗୁରୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଡିଏମଫ ପାଣ୍ଠିର ସିଇଓ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି।ସେହିପରି ସୁଦାମ ଚରଣ ମଣ୍ଡଳଙ୍କୁ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସହ ଅତିରିକ୍ତ ଭାବେ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।