ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟ

ପ୍ୟାରୀମୋହନ ଆଚାର୍ଯ୍ୟ ଜଣେ ଐତିହାସିକ ଓ ସମ୍ପାଦକ ଥିଲେ । ୮ ମଇ ୧୮୫୧ରେ ଏକ ଉପନିବେଶୀ ବଙ୍ଗୀୟ ବ୍ରାହ୍ମଣ ପରିବାରରେ କଟକ ଜିଲ୍ଲା କୁଆଁପାଳ ନିକତବର୍ତ୍ତୀ ପଶୁଲୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।
ମାତ୍ର ୨୦ ବର୍ଷ ବୟସରୁ ସେ ମଧୁସୂଦନ ରାଓ ଓ ଗୋବିନ୍ଦ ରଥଙ୍କ ସହିତ ମିଶି ଓଡ଼ିଆ ଭାଷାରେ ଉତ୍କଳ ପୁତ୍ର ନାମକ ସମ୍ବାଦପତ୍ର ଆରମ୍ଭ କରିଥିଲେ । ସେ ଏହି ସମ୍ବାଦପତ୍ରର ପ୍ରକାଶକ ଓ ସମ୍ପାଦକ ଥିଲେ । ସେଥିରେ ସେ ଜୋତାର ଦରଖାସ୍ତ ନାମକ ଲେଖାଟିଏ ପ୍ରକାଶ କରିଥିଲେ । ଏହାର ପ୍ରତ୍ୟକ୍ଷ ଅର୍ଥ ଥିଲା ଯେ ତତ୍କାଳୀନ କଟକ ନଗର ପରିଚାଳନା ଅଧିକାରୀ ନଗରକୁ ନିର୍ମଳ ରଖିବାରେ ଅସମର୍ଥ ହୋଇ ଅଛନ୍ତି । ଏହାଦ୍ୱାରା ସେ ମାଜିଷ୍ଟ୍ରେଟଙ୍କ କ୍ରୋଧର ଶିକାର ହେଲେ । ମାଜିଷ୍ଟ୍ରେଟ ତାଙ୍କୁ ସ୍କୁଲରୁ ବହିସ୍କାର କରିବାପାଇଁ ପ୍ରଧାନ ଶିକ୍ଷକ ଚଣ୍ଡୀ ଚରଣ ବନ୍ଦୋପାଧ୍ୟାୟଙ୍କୁ ନିର୍ଦ୍ଦେଶ ଦେଲେ । ପ୍ୟାରୀମୋହନ ମାଜିଷ୍ଟ୍ରେଟଙ୍କୁ ଭୁଲ ନ ମାଗି କମିଶନର ସାହେବଙ୍କୁ ଭେଟିବା ଲାଗି ବାହାରି ପଡ଼ିଲେ । ତା’ପରେ ସେ କଟକରେ ଏକ ପ୍ରାଇଭେଟ ସ୍କୁଲର ପ୍ରତିଷ୍ଠା କଲେ । ସେତେବେଳେ ସେ ମାସକୁ ୨୫ ଟଙ୍କା ରୋଜଗାର କରୁଥିଲେ, ନିଜର ଗୁଜୁରାଣ ମେଣ୍ଟିବା ଭଳି ରାଶି ରଖି ବାକି ସବୁ ଅର୍ଥ ସେ ଏହି ଅନୁଷ୍ଠାନକୁ ଦାନ କରୁଥିଲେ । ମଧୁସୂଦନଙ୍କ ସହିତ ଏହି ସ୍କୁଲର ଉନ୍ନତି ପାଇଁ ସେ ପ୍ରତ୍ୟକ୍ଷ ଭାବରେ ଧନୀ ଲୋକ ମାନଙ୍କଠାରୁ ଅର୍ଥ ଯୋଗାଡ଼ କରିବାରେ ଲାଗି ପଡ଼ିଥିଲେ । ଡମପଡ଼ା ରାଜାଙ୍କ ପାଖରେ ମ୍ୟାନେଜରର କାମ କରିବାଯାକେ ସେ ଏହି ସ୍କୁଲକୁ ତଦାରଖ କରୁଥିଲେ । ସ୍କୁଲଟି ତାଙ୍କରି ନାମରେ ନାମିତ, ଯାହା ଏବେ ପ୍ୟାରୀମୋହନ ଏକାଡେମୀ ନାମରେ ମଧ୍ୟ ଜଣାଶୁଣା ।
ଉତ୍କଳକୁ ଏ ଆପଣାର ମାତୃଭୂମି ଜ୍ଞାନ କରି ପୂଜା କରୁଥିଲେ । ଉତ୍କଳରେ ଇତିହାସର ଅଭାବ ଦେଖି ସେ ବହୁଗ୍ରନ୍ଥ, ପୁରାତନ ରାଜକୀୟ ନଥି ଓ ମାଦଳା ପାଞ୍ଜି ଆଦି ଗବେଷଣା କରି ଗୋଟିଏ ଓଡ଼ିଆ ଇତିହାସ ସଂକଳନ କରିଥିଲେ । ଓଡ଼ିଶା ପ୍ରତି ତାଙ୍କର ପ୍ରଗାଢ଼ ପ୍ରେମ ଥିଲା। ଏ ମହାଶୟ କଟକର ପ୍ୟାରୀମୋହନ ଏକାଡେମୀର ପ୍ରତିଷ୍ଠା ବିଷୟରେ ସୂତ୍ରଧର ହୋଇଥିଲେ ।

Related Posts
About The Author