ଏସ୍‌ଆର୍‌ସି ଦେଲା ବାତ୍ୟାର କ୍ଷୟକ୍ଷତିର ରିପୋର୍ଟ: ୧୪ ଜିଲାର ୧ କୋଟି ୫୦ ଲକ୍ଷ ୯୪ ହଜାର ୩୨୧ଜଣ ପ୍ରଭାବିତ

Spread the love

୧ ଲକ୍ଷ ୮୯ହଜାର ୯୫ଟି କଚ୍ଚା ଘର ସମ୍ପୂର୍ଣ୍ଣ ନଷ୍ଟ

୫୨୪୪ ପ୍ରାଥମିକ ବିଦ୍ୟାଳୟ ଓ ୧୫୪୭ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ନଷ୍ଟ

୯୬୯୩ କିଲୋମିଟର ଆର୍‌ଡି ରୋଡ୍‌ ବିପର୍ଯ୍ୟସ୍ତ

୪୬୧୦ଟି ପକ୍କା ଘର କ୍ଷତିଗ୍ରସ୍ତ

ଭୁବନେଶ୍ୱର,୧୧/୫ (ସନ୍ଧାନ ନିୟୁଜ): ବାତ୍ୟା ‘ଫନୀ’କୁ  ଏକ ସପ୍ତାହ ପୁରିଥିବା ବେଳେ ଶୁକ୍ରବାର କ୍ଷୟକ୍ଷତିର ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର। ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀଙ୍କ ସୂଚନା ଅନୁଯାୟୀ, ରାଜ୍ୟର ୧୪ ଜିଲାର ୧ କୋଟି ୫୦ ଲକ୍ଷ ୯୪ ହଜାର ୩୨୧ଜଣ ପ୍ରଭାବିତ ହୋଇଛନ୍ତି। ଏହି ଜିଲାଗୁଡ଼ିକ ମଧ୍ୟରେ ରହିଛି ପୁରୀ, ଖୋର୍ଦ୍ଧା, କଟକ, ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼। ବାତ୍ୟାରେ ମୋଟ ୫ ଲକ୍ଷ ୮ ହଜାର ୪୬୭ଟି ଘର ଭାଙ୍ଗି ଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।

‘ଫନୀ’ରେ ୪୧ଜଣଙ୍କ ମୃତ୍ୟୁ ଘଟିଛି। ଅତ୍ୟଧିକ ପ୍ରଭାବିତ ପୁରୀ ଜିଲାରେ ମୋଟ ୧ ଲକ୍ଷ ୮୯ହଜାର ୯୫ଟି କଚ୍ଚା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖୋର୍ଦ୍ଧା ଓ ଭୁବନେଶ୍ୱର ସହରାଞ୍ଚଳରେ ଅଧିକରୁ ଅଧିକ ଗଛ ଉପୁଡ଼ିଯାଇଛି। ଏଥିସହ ୩ଜଣ ଆହତ ହୋଇଛନ୍ତି। ସେହିଭଳି ଯାଜପୁର ଜିଲାରେ ୭୪ଜଣ ଆହତ ହୋଇଛନ୍ତି।

ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଟେଲିକମ୍‌ ସେବା ଅଧିକ ବାଧାପ୍ରାପ୍ତ ହୋଇଛି। ଏହାଛଡ଼ା ୫୨୪୪ ପ୍ରାଥମିକ ବିଦ୍ୟାଳୟ ଓ ୧୫୪୭ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ନଷ୍ଟ ହୋଇଥିବା ଏସ୍‌ଆର୍‌ସି କହିଛନ୍ତି। ସେହିଭଳି ବିଶେଷ ଭାବେ ପ୍ରଭାବିତ ୫ଜିଲାରେ ୩୨୯୦ଟି ଉଠା ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ୯୬୯୩ କିଲୋମିଟର ଆର୍‌ଡି ରୋଡ୍‌ ବିପର୍ଯ୍ୟସ୍ତ ହେବା ସହ  ୪୬୧୦ଟି ପକ୍କା ଘର କ୍ଷତିଗ୍ରସ୍ତ ହୋଇଛି।

ସୂଚନାଯୋଗ୍ୟ, ଅଧିକ ପ୍ରଭାବିତ ୫ ଜିଲାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସହାୟତା ପ୍ରଦାନ କରାଯାଉଛି। ପ୍ରଭାବିତଙ୍କୁ ମାଗଣା ଚାଉଳ, ଟଙ୍କା ଓ ପଲିଥିନ ପ୍ରଦାନ କରାଯାଉଛି। ଏହାଛଡ଼ା ବାତ୍ୟା ପ୍ରଭାବିତ ସମସ୍ତ ଜିଲାବାସୀଙ୍କୁ ଏକମାସର ଅତିରିକ୍ତ ପେନସନ ସହ ରିଲିଫ୍‌ କାର୍ଡ ଅନୁଯାୟୀ ଗୃହ ନିର୍ମାଣ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ। ଅପରପକ୍ଷେ ପଶୁପକ୍ଷୀ ଓ ମାଛ ଚାଷ ସହ ଧାନ ଓ ଅନ୍ୟାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଗୁଡ଼ିକର ସମୀକ୍ଷା କରାଯାଇ କ୍ଷତିପୂରଣ ଦିଆଯିବ। ରିଲିଫ ବଣ୍ଟନ ଓ ଥଇଥାନ କାର୍ଯ୍ୟ ଶେଷ ହେବାପରେ ମିଶନ ମୋଡରେ ବୃକ୍ଷରୋପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related Posts

About The Author

Add Comment