ଏସପ୍ଲାନେଡ ମଲର ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣା: ସାମ୍ବାଦିକ ସଂଘର ଧାରଣା ଜାରି, ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି

Spread the love

ଭୁବନେଶ୍ୱର, ୨୮/୧୨ (ସନ୍ଧାନ ନିୟୁଜ/ମାନସ ରାଉତ) ): ଏସପ୍ଲାନେଡ ମଲର ଦାଦାଗିରି ଏବେ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଲାଣି । ଅର୍ଗସର କାର୍ଯ୍ୟରତ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିବା ସହ ରୁମରେ ବନ୍ଦ କରିବା ଘଟଣା ବିରୁଦ୍ଧରେ  ଆଜି ରାଜ୍ୟର ସବୁସ୍ଥାନରେ ସାମ୍ବାଦିକମାନେ ବିକ୍ଷୋଭ ପ୍ରଦର୍ଶନ ଜାରିରଖିଛନ୍ତି । ଏପରିକି ଏସପ୍ଲାନେଡ ମଲ ସାମ୍ନାରେ ଶତାଧିକ ସାମ୍ବାଦିକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜାରି ରଖିଛନ୍ତି । ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ ନକରିବା ପର୍ଯ୍ୟନ୍ତ ସେମାନେ ଉଠିବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସେଠାକାର ମାର୍କେଟିଂ ମ୍ୟାନେଜର ଶ୍ୟାମା ଝାଙ୍କ ଉପରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ବେଳେ ଖୁବଶୀଘ୍ର ତାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ସାମ୍ବାଦିକମାନେ ଦାବି କରିଛନ୍ତି  ।

ଏହାସହ ଆଜିର ଏହି ପ୍ରତିବାଦ ଜଣେ ସାମ୍ବାଦିକା ପାଇଁ କେବଳ ନୁହେଁ ଏହା ନାରୀ ପ୍ରତି ହୋଇଥିବା ଦୁର୍ବ୍ୟବହାରର ପ୍ରତିବାଦ ବୋଲି ବରିଷ୍ଠ ସାମ୍ବାଦିକମାନେ କହିଥିବା ବେଳେ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ସୁରକ୍ଷା ଆଇନ ଆଣନ୍ତୁ ବୋଲି ନେତାମାନେ ମତପ୍ରକାଶ କରିଛନ୍ତି ।

ଏସପ୍ଲାନେଡ ମଲରେ ସାମ୍ବାଦିକଙ୍କ ବିକ୍ଷୋଭକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ସମର୍ଥନ ଜଣାଇଛନ୍ତି ।  ଯେଭଳି ଭାବେ ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ କରାଯାଉଛି ତାହା ସୂଚାଉଛି ରାଜ୍ୟରେ ଆଇନ୍‌ ବ୍ୟବସ୍ଥା କିପରି ଚାଲିଛି । ସାମ୍ବାଦିକ ଜଣେ ସତ୍ୟ ଉଜାଗର କରିବା ପାଇଁ ରାତିଦିନ ଏକ କରି ଖବର ପ୍ରସାରଣ କରୁଛି । ବେଳେବେଳେ ଏହି ଖବର ଶାସକ ଦଳକୁ ବି ମାଇଲେଜ୍‌ ଦିଏ ତ କେତେବେଳେ ବିରୋଧୀ ଏହି ସତ୍ୟ ଜାଣିବା ପରେ ନିଜର ରାଜନୀତିରେ ବ୍ୟବହାର କରୁଥିବା ଦେଖିବାକୁ ମିଳେ । କିନ୍ତୁ ଯେତେବେଳେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏଭଳି ଅମାନୁଷୀକ ଭାବେ ସଂଘବଦ୍ଧ ଆକ୍ରମଣ କରାଯାଉଛି ଏହା କେବଳ ଯେ ମଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ବୋଲି କହିହେବନି, ଏମାନଙ୍କ ସାହସ ପଛରେ ପୋଲିସର ନେକ୍ସସ ରହିଥିବା ନେଇ ଅଭିଯୋଗ ହେଉଛି । ଜଣେ ମହିଳା ସାମ୍ବାଦିକାଙ୍କୁ ଖୋଦ ରାଜ୍ୟର ରାଜଧାନୀରେ ଏଭଳି ଭାବେ ଆକ୍ରମଣ ହେଉଥିବା ବେଳେ ଜଣେ ସାଧାରଣ ନାଗରିକ କିଭଳି ଭାବେ ପ୍ରତିବାଦ କରିବା ସମୟରେ କେଉଁ ପରିସ୍ଥିତିରେ ପଡ଼ୁଥିବ ତାହା ସ୍ପଷ୍ଟ ଅନୁମେୟ ।

ସେଥିପାଇଁ ଦେଖିବାକୁ ମିଳେ ଜଣେ ସାଧାରଣ ଲୋକଟି ପ୍ରତିବାଦ କରିବା ଠାରୁ କିଛି ଟଙ୍କା ଦେଇ ପଳାଇଯିବାକୁ ଚାହେଁ । କାରଣ ସେ ଭଲ ଭାବେ ଜାଣିଛି ପ୍ରତିବାଦ କଲେ ନିଜ ଜୀବନ ପ୍ରତି ବିପଦ ରହିଛି । ଏପରିକି ପୋଲିସ ପାଖକୁ ଗଲେ ବି ଜଣେ ସାଧାରଣ ଲୋକର ଅଭିଯୋଗର କିଛି ମୂଲ୍ୟ ହିଁ ରହୁନି । ବିଭିନ୍ନ ଦଫାର ଡର ଦେଖାଇ ଖାକୀ ବାବୁମାନେ କେସ୍‌ ରଫାଦଫା କରିବାକୁ ଚେଷ୍ଟା କରୁଥିବା ମଧ୍ୟ ଅଭିଯୋଗ ହୁଏ । ତେବେ ରାଜ୍ୟ ସରକାରଙ୍କ ମୋ ପୋଲିସ କାର୍ଯ୍ୟକ୍ରମ କଣ କେବଳ ଏକ ପ୍ରହସନ ବୋଲି ଲୋକେ କହୁଛନ୍ତି । ମୋ ସରକାର ମାଧ୍ୟମରେ ଡିଜିପି ଏବଂ ଖୋଦ ମୁଖ୍ୟମନ୍ତ୍ରୀ ଅଭିଯୋଗକାରୀଙ୍କ ସହ କଥା ହୋଇ ଫିଡବ୍ୟାକ୍‌ ନେଉଛନ୍ତି । କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଆଉ ଏହାର  ଉଦାହରଣ ଗତାକଲି ଏସପ୍ଲାନେଡରେ ଘଟିଥିବା ଘଟଣା ବୟାନ କରୁଛି ।

ମୋ ସରକାର ଏବଂ 5ଟି ସରକାର ଲାଗୁ କରିବା ପରେ ପୋଲିସ ପ୍ରଶାସନ ଲୋକ ଦେଖାଣିଆ ଭାବେ ଲୋକଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କଲା  ।କିନ୍ତୁ ନୀଳବର୍ଣ୍ଣ ଶୃଗାଳ ପରି ନିଜର ପ୍ରକୃତିକୁ ପୋଲିସ ପ୍ରଶାସନ ଲୁଚାଇ ରଖିବାରେ ଅସର୍ମଥ ହୋଇଛି ବୋଲି ସାଧାରଣ ଲୋକେ ଅଭିଯୋଗ କରିଛନ୍ତି । ରାଜଧାନୀରେ ଜଣେ ମହିଳାଙ୍କୁ ଏଭଳି ଭାବେ ଆକ୍ରମଣ ହେବା ପରେ ବି କମିଶନରେଟ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଏବେବି ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛି । ଲୋକାଦେଖାଣି ଭାବେ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରି ବିଶ୍ୱାସ ଜିତିବାକୁ ଚେଷ୍ଟା କରୁଥିବା କମିଶନରେଟ ପୋଲିସର କାର୍ଯ୍ୟକଳାପ ଉପରେ ସାମ୍ବାଦିକମାନେ ପ୍ରଶ୍ନ କରିଛନ୍ତି ।

ତେବେ ଅର୍ଗସ ସାମ୍ବାଦିକା ସ୍ୱାତୀ ଜେନାଙ୍କ ବ୍ୟତୀତ ପୂର୍ବରୁ ବହୁ ସାମ୍ବାଦିକା ଏବଂ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । ଖୋଦ ଲୋକପ୍ରତିିନଧି ମାନେ ମଧ୍ୟ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା । ଏସବୁ କେଉଁଠି ନା କେଉଁଠି ଦୁର୍ନୀତିକାରୀଙ୍କୁ ଗୁଣ୍ଡାଗିରି କରିବାକୁ ଖୁରାକ ଯୋଗାଉଥିବ ନିଶ୍ଚୟ  ।ଅନ୍ୟପଟେ ଗୋଟିଏ ମଲ୍‌ର ସାମାନ୍ୟ ସିକ୍ୟୁରିଟି ଗାର୍ଡ ଜଣେ ସାମ୍ବାଦିକାଙ୍କୁ ଆକ୍ରମଣ କରିବା ଘଟଣା ଏହା ଏକ ବଡ଼ ନେକ୍ସସକୁ ଇଙ୍ଗିତ କରୁଛି । ଏମିତି ମଧ୍ୟ କୁହାଯାଉଛି ଏହି ଘଟଣାରେ ପୋଲିସ ନିଜର ଫାଇଦା ଉଠାଇବାକୁ ପୂରା ପ୍ରଚେଷ୍ଟା ଜାରି ରଖିଛି । ଏକଥା ଆମେ କହୁନୁ ପୋଲିସ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇବା ସହ ସାମ୍ବାଦିକମାନେ ଏଭଳି ପଚାରୁଛନ୍ତି ।

ରାଜ୍ୟ ରାଜଧାନୀରେ ଶତାଧିକ ସାମ୍ବାଦିକ ନିଜ ନ୍ୟାୟ ପାଇଁ ଲଢ଼ୁଥିବା ବେଳେ ଗୃହ ବିଭାଗ ମୁଖ୍ୟ ଖୋଦ ମୁଖ୍ୟମନ୍ତ୍ରୀ ନିରବ ଅଛନ୍ତି । ନିଜ କଣ୍ଟ୍ରୋଲରେ ଥିବା ପୋଲିସ ବିଭାଗ ଟଙ୍କା ପାଇଁ ବିକ୍ରି ହେଉଥିବା ନେଇ ଅଭିଯୋଗ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନିରବ କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ମାମଲାର ତଦନ୍ତ ଜଣେ ଡିସିପି ରାଙ୍କର ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ଡିସିପି ଅନୁପ ସାହୁ । ଯଦି ସମ୍ପୂର୍ଣ୍ଣ ଘଟଣା ଭିଡିଓ ଫୁଟେଜ୍‌ ଏବଂ ଅଭିଯୋଗ ରହିଛି ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ କାହିଁକି ପଛଘୁଞ୍ଚା ଦେଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ କେବଳ ଦୁଇ ଜଣ ତଳିଆ କର୍ମଚାରୀଙ୍କୁ ଗିରିଫ କରି ଚୁପ ବସିଥିବା କମିଶନରେଟ ପୋଲିସ କେତେବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରୁଛି ତାହା ଦେଖିବାକୁ ବାକି ରହିଲା ।

Related Posts

About The Author

Add Comment