ଇସଲାମାବାଦ, ୧୮/୦୨ (ସନ୍ଧାନ ନିଉଜ : ପୁଲ୍ୱାମାରେ ଆତଙ୍କବାଦୀ ଆକ୍ରମଣର ଜବାବ ସ୍ବରୂପ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ କଠୋର ବାଣିଜ୍ୟିକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାକୁ ଦିଆଯାଇଥିବା ‘ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର’ (ଏମ୍ଏଫ୍ଏନ୍) ମାନ୍ୟତାକୁ ପ୍ରତ୍ୟାହାର କରି ନିଆଯାଇଥିବା ବେଳେ ପାକିସ୍ତାନରୁ ଆସୁଥିବା ସବୁ ସାମଗ୍ରୀ ଉପରେ ଟିକସ ପରିମାଣ ୨୦୦%କୁ ବଢ଼ାଇ ଦିଆଯାଇଛି। ଭାରତର ଏହି ସବୁ ପଦକ୍ଷେପକୁ ନେଇ ପାକିସ୍ତାନର ତିଳେ ହେଲେ ଚିନ୍ତା ନାହିଁ। ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବାଣଜ୍ୟିକ ଉପଦେଷ୍ଟା ଅବଦୁଲ୍ ରଜାକ୍ ଦାଉଦ୍ କହିଛନ୍ତି ଯେ, ଏମ୍ଏଫ୍ଏନ୍ ମାନ୍ୟତା ପ୍ରତ୍ୟାହାର କରାଯାଇଥିବା ବିଷୟରେ କୌଣସି ସୂଚନା ଭାରତ ପକ୍ଷରୁ ଆମକୁ ଦିଆଯାଇନାହିଁ। ତେବେ ଭାରତର ଏହି ପଦକ୍ଷେପକୁ ନେଇ ଆମେ ବିଚାରବିମର୍ଶ ଜାରି ରଖିଛୁ। ଏସଂକ୍ରାନ୍ତରେ ଦରକାର ପଡ଼ିଲେ ଭାରତ ସରକାରଙ୍କ ସହ କଥାବାର୍ତା କରିବୁ ବୋଲି ସେ କହିଛନ୍ତି। ଆବଶ୍ୟକ ହେଲେ, ଭାରତ ବିରୋଧରେ ବିଶ୍ବ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ଅଭିଯୋଗ କରାଯିବ ବୋଲି ସେ କହିଛନ୍ତି। ଉଭୟ ଭାରତ ଓ ପାକିସ୍ତାନ ଡବ୍ଲ୍ୟୁଟିଓର ସଦସ୍ୟ ଦେଶ। ସଦସ୍ୟ ରାଷ୍ଟ୍ରଗୁଡ଼ିକ ଭିତରେ ବ୍ୟବସାୟକୁ ନେଇ କୌଣସି ପ୍ରକାର ଅସଙ୍ଗତି ଦେଖାଦେଲେ ଗୋଟିଏ ଦେଶ ଅନ୍ୟ ଦେଶ ବିରୋଧରେ ନ୍ୟାୟିକ ବିଚାର ପାଇଁ ଡବ୍ଲ୍ୟୁଟିଓରେ ଆବେଦନ କରିପାରିବ। ସେଠାରେ ଯେଉଁ ରାୟ ପ୍ରକାଶ ପାଇବ ତାହାକୁ ଉଭୟ ଦେଶକୁ ମାନିବାକୁ ପଡ଼ିବ। ୧୯୯୬ ମସିହା ପରଠାରୁ ଭାରତ ପକ୍ଷରୁ ପାକିସ୍ତାନକୁ ଏମ୍ଏଫ୍ଏନ୍ ମାନ୍ୟତା ପ୍ରଦାନ କରାଯାଇଛି। ଏହି ମାନ୍ୟତା ପ୍ରଦାନ କରିବାର ଅର୍ଥ ହେଉଛି ସୀମା ଶୁଳ୍କ ଏବଂ ଅନ୍ୟାନ୍ୟ ଶୁଳ୍କରେ କୌଣସି ପାତରଅନ୍ତର କରାଯିବ ନାହିଁ। ପାକିସ୍ତାନ କିନ୍ତୁ ଭାରତକୁ ଆଜି ପର୍ଯ୍ୟନ୍ତ ଏମ୍ଏଫ୍ଏନ୍ ମାନ୍ୟତା ପ୍ରଦାନ କରିନାହିଁ। ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ପରିମାଣ ୨୦୧୭-୧୮ରେ ୨୪୧ କୋଟି ଡଲାର ଥିଲା। ସେଥି ମଧ୍ୟରୁ ଭାରତ ପକ୍ଷରୁ ପାକିସ୍ତାନକୁ ୧୯୧ କୋଟି ଡଲାରର ସାମଗ୍ରୀ ରପ୍ତାନି କରାଯାଇଥିବା ବେଳେ ପାକିସ୍ତାନରୁ ୪୮୮.୫ ନିୟୁତ ଡଲାର ଥିଲା। ପାକିସ୍ତାନ ପକ୍ଷରୁ ଭାରତକୁ ସତେଜ ଫଳ, ସିମେଣ୍ଟ୍, ପେଟ୍ରୋଲିୟମ୍ ସାମଗ୍ରୀ, ଖଣିଜ ପଦାର୍ଥ, ଚମଡ଼ା, ପ୍ରୋସେସଡ୍ ମିନେରାଲ୍, ରାସାୟନିକ ପଦାର୍ଥ, କପା, ମସଲା, ଉଲ୍, ରବର୍, ଆଲ୍କୋହଲ୍ ପାନୀୟ, ମେଡିକାଲ୍ ଉପକରଣ, ସାମୁଦ୍ରିକ ଉତ୍ପାଦ, ରଙ୍ଗ ଏବଂ କ୍ରୀଡ଼ା ସାମଗ୍ରୀ ରପ୍ତାନି କରାଯାଉଛି। ଗତବର୍ଷ ବର୍ଷ ପାକିସ୍ତାନ ଭାରତକୁ ୩୪୮୨.୩ କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରିଥିଲା।



