ପୁରୀ, ୨୯/୮ (ସନ୍ଧାନ ନିୟୁଜ) ପୁରୀ ଏମାର ମଠ ବହୁ ପୁରୁଣା । ହେଲେ ୧୮୨୧ ମସିହା ବେଳକୁ ଏମାର ମଠ ପରିସରରେ ଏହି ପାଠାଗାରକୁ ପ୍ରତିଷ୍ଠା କରିଥିଲେ ଗଦାଧର ରାମାନୁଜ ଦାସ । ଜଗନ୍ନାଥ ସଂସ୍କୃତିକ ପ୍ରଚାର ପ୍ରସାର ପାଇଁ ଗୁରୁ ରଘୁନନ୍ଦନ ରାମାନୁଜ ଦାସଙ୍କ ନାଁରେ ଏହି ଲବ୍ଧପ୍ରତିଷ୍ଠ ପାଠାଗାରଟିକୁ ସ୍ଥାପନା କରାଯାଇଥିଲା । ଏମାର ମଠ ପକ୍ଷରୁ କୌଣସି ଚିଠା ଦିଆଯାନଥିଲେ ବି ଏଠାରେ ପ୍ରାୟ ୫ ହଜାରରୁ ଅଧିକ ପୁସ୍ତକ ଓ ପାଣ୍ଡୁଲିପି ଥିବା ଜଣାପଡିଛି । ଅଧିକାଂଶ ପୁସ୍ତକ ନଷ୍ଟ ହୋଇଯାଇଥିବା ଜଣାପଡିବା ପରେ ଏହାର ସଂରକ୍ଷଣ ପାଇଁ ପ୍ରଶାସନ ନିଷ୍ପତି କରିଛି ।
ଦୀର୍ଘ ବର୍ଷରୁ ଅସୁରକ୍ଷିତ ହୋଇପଡିଥିବା ଏମାର ମଠକୁ ଭାଙ୍ଗି ମାଟିରେ ମିଶାଇ ଦେବା ଜରୁରୀ ହୋଇପଡିଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପୁରୀ ଜିଲ୍ଲା ପ୍ରଶାସନ । ମଠର ମହନ୍ତ ଓ ସାଧୁ ସନ୍ଥଙ୍କୁ ମଠ ଖାଲି କରିବାକୁ କୁହାଯାଇଛି । ବହିପତ୍ର ସ୍ଥାନାନ୍ତର ହେବା ପରେ ମଠରେ ଥିବା ଆସବାବ ପତ୍ର ମଧ୍ୟ ସ୍ଥାନାନ୍ତର ହେଉଛି ।
ଏପଟେ ମଠରେ ପହଂଚି ଜିଲ୍ଲା ପ୍ରଶାସନର କର୍ମଚାରୀ ଔପଚାରିକ ଭାବେ ନୋଟିସ ମାରିଛନ୍ତି । ମଠର ମହନ୍ତ ନଥିବାରୁ ଲଟକା ଲଗାଇଛି ପ୍ରଶାସନ । ଅର୍ଥାତ ଗୁରୁବାର ଏହି ସର୍ବପୁରାତନ ମଠରେ ସରକାରୀ ବୁଲଡୋଜର ଚାଲିପାରେ । ମେଘନାଦ ପାଚେରୀଠାରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟାରେ ଭାଙ୍ଗିବାକୁ ଯାଉଛି ଏମାର ମଠ । ଯେଉଁ ମଠରେ ଦିନେ ରୁପା ଇଟା ମିଳିବାରୁ ଚର୍ଚ୍ଚାର ପରିଧିକୁ ଆସିଥିଲା ।