ଏବେ ବି ସମସ୍ୟା ଘେରରେ ରାଇକଳାବାସୀ

Spread the love

କେନ୍ଦୁଝର, 22.01.2021(ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା): ଗ୍ରାମାଞ୍ଚଳର ଉନ୍ନତି ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି। ସରକାର ଯୋଜନାର ଲମ୍ବା ତାଲିକା ପ୍ରସ୍ତୁତ କରି ନିର୍ବାଚନ ସମୟରେ ଏହାକୁ ବ୍ୟବହାର କରି ଭୋଟ ହାତେଇବାରେ ଲାଗିଥିବା ବେଳେ ନିର୍ବାଚନର ପରଦିନ ଏହାକୁ ଭୁଲି ଯାଉଛନ୍ତି ।  ନିର୍ବାଚନ ବେଳେ ଲୋକମାନଙ୍କ ସାମ୍ନାରେ ପାହାଡ ଭଳି ପ୍ରତିଶ୍ରୁତି ଗଦା କରନ୍ତି। ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ପାଟଣା ବ୍ଲକ ରାଜନଗର ପଞ୍ଚାୟତର ରାଇକଳା ଗ୍ରାମବାସୀ । ଗ୍ରାମରେ ନା ଅଛି ଭଲ ରାସ୍ତା ନା ଅଛି ଡ୍ରେନେଜ୍ ବ୍ୟବସ୍ଥା। ଭଲ ରାସ୍ଥା ଟିଏ ପାଇଁ ଆଜି ବି ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଗାଁ ଠାରୁ ସହର ପର୍ଯ୍ୟନ୍ତ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ ବାସ୍ତବରେ ତାହାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚି ପାରୁନି। ଜିଲ୍ଲାରେ ଗମନା ଗମନ ପାଇଁ ରାସ୍ତା ଘାଟ ସୁଦୃଢ଼ କରିବା ସହ ପାନୀୟଜଳ, ଡ୍ରେନର ବ୍ୟବସ୍ଥା ଓ ରହିବା ପାଇଁ ପକ୍କାଘର ଆଦି ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବାକୁ  ପ୍ରୟାସ କରି ମଧ୍ୟ ଫେଲ ମାରିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପ୍ରଶାସନ ।  ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରାଇକଳା ଗାଁ ନୂଆସାହିର ରାସ୍ତା ଦୀର୍ଘ ଦିନ ଧରି ଶୋଚନୀୟ ହୋଇପଡ଼ିଛି। ସାହିର ଅଧାରାସ୍ତା କଂକ୍ରିଟ ଥିବା ବେଳେ ଅନ୍ୟ ଭାଗରେ ରାସ୍ତା ସଙ୍କୁଚିତ ହେବା ସହ ବାଲି ଭରି ରହିଛି । ଏପରି କି ଡ୍ରେନର ବ୍ୟବସ୍ଥା ନଥିବାରୁ ଟିକିଏ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଛି । ବର୍ଷା ଛାଡ଼ିଯିବାର ଦୀର୍ଘଦିନ ପରେ ମଧ୍ୟ ରାସ୍ତାରେ ଚାଲିବା କଷ୍ଟକର ହୋଇପଡ଼ୁଛି। ଯେଉଁ ଖଣ୍ଡିକ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା ତାହା ମଧ୍ୟ ଭାଙ୍ଗିବାକୁ ଲାଗିଲାଣି । ଯାହାଫଳରେ ଯାନବାହାନ ତ ଦୂରର କଥା ସାଇକେଲ ଟିଏ ନେଇ ଯିବାରେ ଲୋକେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ସେହିପରି ଗାଁରେ ଉତ୍କଟ ପିଇବା ପାଣି ସମସ୍ୟା । ଆବଶ୍ୟକ ପରିମାଣର ନଳ କୂଅ ରହିଥିଲେ ମଧ୍ୟ ପିଇବା ପାଣି ପାଇଁ ସାରା ଗାଁ ସ୍କୁଲ ନଳକୂଅ ଉପରେ ଆସ୍ଥା ପ୍ରକୋଟ କରିଥାନ୍ତି। ଗାଁରେ ଅବସ୍ଥାପିତ ହୋଇଥିବା ନଳକୂଅ ମଧ୍ୟରୁ କେଉଁଠାରୁ ଲୁହାପଥର ଗୁଣ୍ଡ ବାହାରୁଥିବାବେଳେ କେଉଁ ନଳକୂଅ ପାଣିରୁ ଦୁର୍ଗନ୍ଧ ବାହାରୁଛି । ଏନେଇ ଗ୍ରାମବାସୀ ପକ୍ଷରୁ ୱାଡ଼ମେମ୍ବର, ସରପ , ବିଧାୟକଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ ଶୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। ଆଗାମୀ ଦିନରେ ଏହାକୁ ଅଣଦେଖା କରାଗଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

 

Related Posts

About The Author

Add Comment