ନୂଆଦିଲ୍ଲୀ, ୨୭/୧୦/୨୦୨୧ (ସନ୍ଧାନ ନିଉଜ) : ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାକୁ ଏବେବି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଜରୁରୀ କାଳୀନ ବ୍ୟବହାର ଅନୁମୋଦନ ମିଳିପାରିନି । ଯାହାକୁ ନେଇ ବର୍ତ୍ତମାନ ସୁଦ୍ଧା କୋଭାକ୍ସିନ୍ ଅନୁମତି ଅପେକ୍ଷାରେ ରହିଛି । ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଜରୁରୀ କାଳୀନ ବୈଠକ ବସିଥିବା ବେଳେ ଆଜି ବି କୋଭାକ୍ସିନ୍ କୁ ଅନୁମତି ମିଳିପାରିନି । ଆସନ୍ତା ନଭେମ୍ବର ୩ରେ ମିଳିତ ଜାତିସଂଘର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ପୂର୍ବରୁ ଭାରତ ବାୟୋଟେକ୍ ପକ୍ଷରୁ ଆବଶ୍ୟକୀୟ ଦସ୍ତାବିଜ୍ ଦାଖଲ କରାଯାଇନଥିବା ଦର୍ଶାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭାକ୍ସିନ୍ କୁ ଅନୁମତି ଦେଇନଥିବା ବେଳେ ପରେ ଭାରତ ବାୟୋଟେକ୍ ପକ୍ଷରୁ ଅକ୍ଟୋବର ସୁଦ୍ଧା ସମସ୍ତ ଦସ୍ତାବିଜ୍ ଦାଖଲ କରାଯାଇଥିଲା । ଲକ୍ଷ ଲକ୍ଷ ଭାରତୀୟଙ୍କ ସମେତ କେନ୍ଦ୍ର ସରକାରଙ୍କ ନଜର ଏହି ପ୍ରକ୍ରିୟା ଉପରେ ରହିଛି । ଏହି ସପ୍ତାହ ଶେଷ ସୁଦ୍ଧା ସ୍ପଷ୍ଟୀକରଣ ଆସିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ମିଳିଛି । ଭାରତରେ ନିର୍ମିତ ଏହି କରୋନା ଟିକା ନେବାପାଇଁ ବିଶ୍ୱର ଏକାଧିକ ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଛନ୍ତି । ଭାରତରେ ବ୍ୟବହାର ପରେ ବଳକା ଟିକାକୁ ବିଦେଶ ରପ୍ତାନୀ ପାଇଁ ଯୋଜନା କରୁଛି ଭାରତ ବାୟୋଟେକ । ସେହିପରି କୋଭାକ୍ସିନକୁ ଡବ୍ଲୁଏଚଓ ମାନ୍ୟତା ମିଳିଲେ ଏହି ଟିକାର ଦୁଇଟି ଡୋଜ ନେଇଥିବା ଭାରତୀୟଙ୍କୁ ବିଦେଶ ଯାତ୍ରା ପାଇଁ ଅନୁମତି ମିଳିବା ସହଜ ହେବ ।
ଏବେବି ଅନୁମତି ଅପେକ୍ଷାରେ କୋଭାକ୍ସିନ୍, ଅନୁମୋଦନ ପାଇଁ ଆଉ ଏକ ସପ୍ତାହ ବିଳମ୍ବ
|
October 27, 2021 |
