ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା

Spread the love

●ଭକ୍ତଙ୍କ ଆଗମନ ଉପରେ ସଂପୂର୍ଣ୍ଣ ରୋକ୍
● ପରମ୍ପରା ଅନୁଯାୟୀ କେବଳ ପାଳିତ ହେବ ନୀତିକାନ୍ତି
● ପ୍ରଶାସନିକ ପ୍ରସ୍ତୁତି ବୈଠକରେ ଘୋଷଣା କଲେ ଯାଜପୁର ଉପଜିଲ୍ଲାପାଳ

ବଡ଼ଚଣା, ୨୫ /୧/୨୦୨୧(ସନ୍ଧାନ ନିଉଜ) କୋଭିଡ କଟକଣା ପାଇଁ ଏବର୍ଷ ହେବନି ଓଡିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ଯାତ୍ରା ।।
ଆଜି ( 25 01 2021 ) ଅପରାହ୍ନରେ ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅନ୍ତର୍ଗତ ପଲାଇ ଗ୍ରାମସ୍ଥିତ ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଓଳାଶୁଣୀ ଗୁମ୍ଫାର ଗଣେଶ ମଣ୍ଡପ ଠାରେ ଆୟୋଜିତ ପ୍ରଶାସନିକ ପ୍ରସ୍ତୁତି ବୈଠକରେ ଏହା ଘୋଷଣା କରିଛନ୍ତି ଯାଜପୁର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ।।
ପ୍ରତିବର୍ଷ ମାଘ କୃଷ୍ଣ ଏକାଦଶୀ ତିଥିରେ ସନ୍ଥ ସାଧକ ଅରକ୍ଷିତ ଦାସଙ୍କ ପବିତ୍ର ମହାପ୍ରୟାଣ ତିଥିରୁ ସପ୍ତାହ ଧରି ଓଡିଶା ପ୍ରସିଦ୍ଧ ଏହି ଓଳାଶୁଣୀ ଗୁମ୍ଫା ଯାତ୍ରା ଅନୁଷ୍ଠିତ ହୋଇଥାଏ ଏବଂ ଏଠାରେ ପ୍ରତିଦିନ ଲକ୍ଷାଧିକ ଲୋକଙ୍କର ସମାଗମ ଏହି ମେଳାରେ ହୋଇଥାଏ ।।
କୋଭିଡର ପ୍ରକୋପ କମିଥିଲେ ମଧ୍ୟ ଲୋକଙ୍କର ବୃହତ୍ତର ସ୍ବାସ୍ଥ୍ୟ ସେବାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଉପ ଜିଲ୍ଲାପାଳ କହିଥିଲେ ।।
ସେ ପୁଣି କହିଥିଲେ ଯେ, ବିଗତ ଦିନରେ ଯାଜପୁର ଜିଲ୍ଲାରେ ଆୟୋଜିତ ବରୁଣେଶ୍ୱର ମେଳା, ବାରୁଣୀ ମେଳା ଓ ମା’ ବିରଜାଙ୍କ ରଥଯାତ୍ରା ମଧ୍ୟ ଭକ୍ତଶୂନ୍ୟ ଭାବେ ଏବଂ କଟକଣା ସହିତ ପାଳନ କରାଯାଇଛି। ଓଳାଶୁଣୀ ମେଳା ମଧ୍ୟ ଅନୁରୂପ ଭାବେ ବିନା ଭକ୍ତରେ କେବଳ ପରମ୍ପରା ରକ୍ଷାକରି ପାଳିତ ହେବ ।। ମେଳାରେ କୌଣସି ଦୋକାନ ବଜାର ଖୋଲିବନି, ଯାତ୍ରା ପାର୍ଟି ପଡିବନି କିମ୍ବା କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବନାହିଁ ।। ଆବଶ୍ୟକ ପଡିଲେ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ପ୍ରଶାସନ ମଧ୍ୟ ୧୪୪ ଧାରା ଜାରି କରିପାରେ । ଅନ୍ୟମାନଙ୍କ ମଧ୍ୟରେ ଦର୍ପଣ ତହସିଲଦାର ବରଣେନ୍ଦୁ ମହାନ୍ତି, ବଡଚଣା ବିଡିଓ ଅଜିତ ନାରାୟଣ ପ୍ରସାଦ ଗିରି, ଓଳାଶୁଣୀ ମଠ ମହନ୍ତ ନାମାନନ୍ଦ ଦାସ, ଓଳାଶୁଣୀ ଗୁମ୍ଫା ଉନ୍ନୟନ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ସାମ୍ବାଦିକ ଶୁଭେନ୍ଦୁ କୁମାର ଭୂୟାଁ , ଓଳାଶୁଣୀ ଉନ୍ନୟନ ପରିଷଦର ବ୍ରଜମୋହନ ସାମଲ, ଉନ୍ନୟନ ଟ୍ରଷ୍ଟର ଉପାଧ୍ୟକ୍ଷ ଦାମୋଦର ସ୍ୱାଇଁ, ମାହାଙ୍ଗା ତହସିଲଦାର ମଧୁସୂଦନ ନାୟକ, ମାହାଙ୍ଗାର ଅତିରିକ୍ତ ବିଡିଓ ଜ୍ଞାନରଂଜନ ପଣ୍ଡା, ବାଲିଚନ୍ଦ୍ରପୁର ଥାନା ଆଇଆଇସି ସୁକାନ୍ତ କୁମାର ପାତ୍ର, RWSS ର ସହକାରୀ ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋତିରଂଜନ ଦାସ, ସମରେଶ ଭୂୟାଁ, ଫାୟାର ଅଫିସର ପ୍ରଭାକର ସାହୁ, ଜଂଗଲ ବିଭାଗର ଶଶିକାନ୍ତ ବେହେରା, ଜିଲ୍ଲା ପରିଷଦର ସଦସ୍ୟ ବିପିନ ଜେନା, ବିକ୍ରମତିରଣ ସରପଞ୍ଚ ବାସନ୍ତୀ ହେମ୍ଭ୍ରମ, ପ୍ରଧ୍ୟାପକ ରବୀନ୍ଦ୍ରନାଥ ସାମଲ, ଅଲେଖ ଚନ୍ଦ୍ର ସାମଲ, ପଲାଇ ସତ୍ୟସାଇ ସେବା ସମିତିର ଆବାହକ ସୁମନ୍ତ କୁମାର ଭୂୟାଁ, ଦିଲ୍ଲୀପ କୁମାର ସାମଲ,ରତିକାନ୍ତ ସାମଲ, ରୁଦ୍ର ସିଂହ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।।
ଓଳାଶୁଣୀ ଗୁମ୍ଫା ଉନ୍ନୟନ ଟ୍ରଷ୍ଟ ଓ ସନ୍ଥ ଅରକ୍ଷିତ ଫାଉଣ୍ଡେସନ ପକ୍ଷରୁ ଏ ଅବସରରେ ଯାଜପୁରର ବିଦାୟୀ ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କୁ ଉତ୍ତରୀୟଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।। ବୈଠକରେ ଯୋଗଦେବା ପୂର୍ବରୁ ଉପଜିଲ୍ଲାପାଳ ମହାପୁରୁଷ ଅରକ୍ଷିତ ଦାସଙ୍କ ପବିତ୍ର ସମାଧି ମନ୍ଦିର ଓ ଅନନ୍ତ ଗୁମ୍ଫା ଦର୍ଶନ କରି ଆଶିର୍ବାଦ କାମନା କରିଥିଲେ ।।
ଶେଷରେ ଦର୍ପଣ ତହସିଲଦାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।।

Related Posts

About The Author

Add Comment